ମାଲକାନଗିରି,(ବି.ବି.ନ୍ୟୁଜ୍): ଜନନୀ ଯନ୍ତ୍ରଣା ଜିଲ୍ଲାର ପିଛା ଛାଡୁନି । ଆସିପାରିଲାନି ଆମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପୁଣି ଜଣେ ଗର୍ଭବତୀଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ଜଳଭଣ୍ଡାର ପାରି କରାଇ ନିଆଯାଇଛି ଡାକ୍ତରଖାନା । ଏଭଳି ଅଭାବନୀୟ ଘଟଣା ଘଟିଛି ଜୋଡାମ୍ବ ପଞ୍ଚାୟତର ଜନ୍ତୁରାଇ ଗାଁରେ ।
ଶୁକ୍ରବାର ଗ୍ରାମର ମହେନ୍ଦ୍ର ପୁନାଙ୍କ ସ୍ତ୍ରୀ ଦଇମତୀ ପୁନାଙ୍କ ପ୍ରସବକାଳୀନ ବେଦନା ଆରମ୍ଭ ହୋଇଥିଲା । ଆମ୍ବୁଲାନ୍ସକୁ ଫୋନ୍ କରି ଜଣାଇଥିଲେ ପରିବାର ଲୋକେ । କିନ୍ତୁ ରାସ୍ତା ଖରାପ ଯୋଗୁ ଆସିପାରିନଥିଲା ଆମ୍ବୁଲାନ୍ସ । ବହୁ କଷ୍ଟରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଜୋଡାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ନଥିଲେ । ଏଣେ ଦଇମତୀଙ୍କ ଗର୍ଭଯନ୍ତ୍ରଣା ବଢି ଚାଲିଥିଲା । ଅନ୍ୟ ଉପାୟ ନପାଇ ପରିବାର ଲୋକେ ଗ୍ରାମର ଆଶା କର୍ମୀଙ୍କ ସହିତ ଏକ ଦେଶୀ ଡଙ୍ଗାରେ ଦଇମତୀଙ୍କୁ ଧରି ଅକାତକାତ ପାଣି ଥିବା ବାଲିମେଳା ଜଳଭଣ୍ଡାର ପାରି କରାଇଥିଲେ । ସ୍ପିଲୱେ ଲଞ୍ଚ ଘାଟରେ ପହଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍ସକୁ ପୁଣିଥରେ ଫୋନ୍ କରି ଜଣାଇଥିଲେ । ରାସ୍ତା ଭଲଥିବା ସତ୍ତେ୍ୱ ପହଞ୍ଚି ନଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ଏକ ଅଟୋ ଭଡା କରି ଗରିବ ପରିବାର ଲେେକେ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନେଇଥିଲେ ଦଇମତୀଙ୍କୁ ।
ଗୁରୁପ୍ରିୟା ସେତୁ ଉଦଘାଟନ ହେଲା । ବିଚ୍ଛିନ୍ନାଞ୍ଚଳବାସୀ ଭାବିଥିଲେ ସେମାନଙ୍କ ଦୁଃଖ ଦୂର ହେଲା ବୋଲି । କିନ୍ତୁ ଅନେକ ଗାଁ ଏବେବି ବିଚ୍ଛିନ୍ନ ହୋଇ ରହିଛି । ଜଳଭଣ୍ଡାର ଭିତରେ ଏବେ ବି ସେମାନଙ୍କୁ ଜରୁରୀକାଳୀନ ସମୟରେ ଜୀବନକୁ ବାଜି ଲଗାଇ ପାରି ହେବାକୁ ପଡୁଛି । ଏଥିରୁ ବାଦ୍ ପଡ଼ୁନାହାନ୍ତି ଗର୍ଭବତୀ ଏବଂ ବୃଦ୍ଧବୃଦ୍ଧା । ସ୍ୱାଭିମାନ ଅଞ୍ଚଳବାସୀଙ୍କ ଲାଗି ଜଳଭଣ୍ଡାର ମଧ୍ୟରେ ଆମ୍ବୁଲାନ୍ସ ଲଞ୍ଚ ସୁବିଧା ଥିଲେ ମଧ୍ୟ ତାହା ରୋଗୀମାନଙ୍କ କାମରେ ଆସୁନଥିବା ଅଭିଯୋଗ ହୋଇଛି । ଜଳଭଣ୍ଡାରରେ ଚାଲୁଥିବା ଲଞ୍ଚଗୁଡିକ ଅଧିକାଂଶ ସମୟରେ ଅଚଳ ରହୁଥିବାରୁ ବିଚ୍ଛିନ୍ନାଞ୍ଚଳବାସୀ ବାଧ୍ୟହୋଇ ଏବେ ବି ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ।
Comments are closed, but trackbacks and pingbacks are open.