ସ୍ୱାଭିମାନ ଅଞ୍ଚଳରେ ପୁଲିସ-ଜନତା ଖଣ୍ଡଯୁଦ୍ଧ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତ ରାଙ୍ଗିନିଗୁଡା ଗାଁର ରାଜୁ ହନ୍ତାଳଙ୍କ ଶବ ଏକ ପରିତ୍ୟକ୍ତ ଅଙ୍ଗନବାଡି ଗୃହରୁ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ଥମିବାର ନାଁ ଧରୁନି । ଗାଁ ଲୋକେ ଅଭିଯୋଗ କରିଆସୁଛନ୍ତି ଯେ, ବିଏସଏଫ୍ ଯବାନମାନେ ରାଜୁଙ୍କୁ ଡାକିନେଇ ହତ୍ୟା କରି ଫିଙ୍ଗି ଦେଇଛନ୍ତି । ଏହାକୁ ନେଇ ୨ଦିନ ହେଲା ଥାନା ଓ ବିଏସଏଫ୍ କ୍ୟାମ୍ପ ଘେରାଉ କରାଯାଇଥିଲା । ବ୍ୟବଚ୍ଛେଦ ପରେ ଶବ ନେବାକୁ ପୁଲିସ କହିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆଜି ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଶବକୁ ପାପରମେଟଲା ଥାନା ଆଗରେ ରଖି ବିକ୍ଷୋଭ କରିଥିଲେ । ଏହାକୁ ନେଇ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତତର୍କ ଏବଂ ଠେଲାପେଲା ସାଙ୍ଗକୁ ଖଣ୍ଡଯୁଦ୍ଧ ହୋଇଥିଲା । ଗ୍ରାମବାସୀଙ୍କ ଟେକା ମାଡରେ ଦୁଇଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି । ସେମାନେ ହେଲେ କୁବେର ଅନୁଗୁଳିଆ ଓ ଧୀରେନ କୁମାର ଦେବତା । ଜିଲ୍ଲା ପ୍ରଶାସନ ସହ ଏସ୍ପି ରିଶିକେଶ ଖିଲାରୀ ଡି ସେଠାରେ ପହଞ୍ଚି ମୃତବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଶବ ସକ୍ରାର କରିବାକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତା ପରେ ଶବ ନେଇଥିଲେ ପରିବାର ଓ ଗ୍ରାମବାସୀ ।
ସୂଚନା ଥାଉକି, ଗତ ଶନିବାର ଦିନ ଜନ୍ତାପାଇର ଏକ ପରିତ୍ୟକ୍ତ ଅଙ୍ଗନବାଡି କେନ୍ଦ୍ରରୁ ରାଙ୍ଗିନିଗୁଡା ଗାଁର ନିଖୋଜ ରାଜୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ରାଜୁଙ୍କୁ ବିଏସଏଫ୍ ଯବାନମାନେ ହାଟରୁ ଜବରଦସ୍ତ କ୍ୟାମ୍ପକୁ ନେଇଯାଇଥିବା ଓ ସେଠାରେ ପିଟି ପିଟି ହତ୍ୟା କରିଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଥିଲେ । ଗ୍ରାମବାସୀଙ୍କ ସହ ଯାଇ ମୃତକଙ୍କ ଝିଅ ଟିକନ ହନ୍ତାଳ ଏ ସଂପର୍କରେ ପାପରମେଟଲା ଥାନାରେ ରବିବାର ଏତଲା ଦେଇଥିଲେ । ରାଜୁଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଗ୍ରାମବାସୀ ରବିବାରଠାରୁ ପାପରମେଟଲା ଥାନା ଓ ବିଏସଏଫ କ୍ୟାମ୍ପ ଘେରାଉ କରୁଥିଲେ । ରାଜୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ କେଉଁ କାରଣରୁ ତାଙ୍କ ମୃତୁ୍ୟ ଘଟିଛି ଜଣାପଡିବ ଓ କାର୍ଯାନୁÂାନ ଗ୍ରହଣ କରାଯିବ ବୋଲି ଆନେ୍ଦାଳନକାରୀଙ୍କୁ ବୁଝାଇଥିଲା ପୁଲିସ୍ ।
ଜିଲ୍ଲା ହସପିଟାଲରେ ମାଜିଷ୍ଟେ୍ରଟଙ୍କ ଆଗରେ ବ୍ୟବଚ୍ଛେଦର ଭିଡିଓ ଉତ୍ତୋଳନ କରାଯାଇଥିଲା । ଏହାପରେ ରାଜୁଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ପରିବାର ଲୋକେ ଶବ ଗ୍ରହଣ କରିନଥିଲେ । ଆଜି ସକାଳେ ପରିବାର ଓ ଗ୍ରାମବାସୀ ଶବକୁ ଥାନା ଆଗରେ ରଖି ବିକ୍ଷୋଭ କରିଥିଲେ । ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଯାଇ ପୁଲିସ ନାକେଦମ ହୋଇଥିଲା । ଆନେ୍ଦାଳନକାରୀଙ୍କ ଢେଲା ମାଡ଼ରେ ଆହତ ହୋଇଥିବା ସୁରକ୍ଷା କର୍ମଚାରୀ କୁବେର ଓ ଧୀରେନଙ୍କୁ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଏସ୍ପି ଶ୍ରୀ ଖିଲାରୀ ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଇଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯଦି ଏହା ହତ୍ୟାକାଣ୍ଡ ହୋଇଥିବ, ତାହେଲେ ଅପରାଧୀଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟାରେ ଆନେ୍ଦାଳନ ହଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons