ମାଲକାନଗିରି,(ବି.ବି.ନୁ୍ୟଜ୍): କିଛିଦିନର ନିରବତା ପରେ ସ୍ୱାଭିମାନ ଅଞ୍ଚଳରେ ପୁଣି ମାତିଛନ୍ତି ମାଓବାଦୀ । ଦୁର୍ଗମ ଜୋଡାମ୍ବ ଥାନାର ଖଜୁରୀଗୁଡା ଗାଁରେ ଘଟାଇଛନ୍ତି ହିଂସାକାଣ୍ଡ । ୩ ଜଣଙ୍କୁ ଗାଁରୁ ଉଠାଇନେବା ପରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି । ଅନ୍ୟ ୨ ଜଣଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ିଛନ୍ତି । ଖଜୁରୀଗୁଡ଼ା ଗାଁରୁ ଯବାନମାନେ ଦିନକ ତଳେ ୭ଟି ବୋମା ଉଦ୍ଧାର କରିବା ପରେ ଏହି ୩ ଜଣ ସେମାନଙ୍କୁ ଖବର ଦେଇଥିବା ସନେ୍ଦହ କରି ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଲେ ଦାସୁ ଖେମୁଡୁ ଓରଫ ଖିଲ (୨୫) । ଗୁରୁତର ଆହତ ୨ ଜଣ ହେଲେ ସନା ହନ୍ତାଳ(୩୦) ଏବଂ ସମରୁ ଖିଲ(୩୫) । ମାଓବାଦୀଙ୍କ ଏଭଳି ବର୍ବରକାଣ୍ଡ ପରେ ଗାଁରେ ଆତଙ୍କ ଖେଳିଯାଇଛି । ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।
ସୂଚନାଥାଉକି, ମଙ୍ଗଳବାର ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ ଥାନା ଅଞ୍ଚଳରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଗୋରାସେତୁ ନିକଟରେ ୭ଟି ବୋମା ଖଞ୍ଜିଥିଲେ । ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯବାନମାନେ । ପୋତା ଯାଇଥିବା ବୋମାଗୁଡ଼ିକୁ ଅତ୍ୟନ୍ତ ସତର୍କତାର ସହ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଗାଁର ଉପରୋକ୍ତ ତିନିଜଣ ଯୁବକ ପୁଲିସ ଇନଫର୍ମର ସାଜି ରାସ୍ତାରେ ପୋତା ଯାଇଥିବା ବୋମା ସଂପର୍କରେ ସେମାନଙ୍କୁ ସୂଚନା ଦେଇଥିଲେ ବୋଲି ସନେ୍ଦହ କରିଥିଲେ ଗୁମ୍ମା ଏରିଆ କମିଟିର ମାଓବାଦୀମାନେ । ମଙ୍ଗଳବାର ରାତିରେ ହିଁ ୩୦ରୁ ଅଧିକ ମାଓବାଦୀ ଖଜୁରୀଗୁଡା ଗାଁରେ ପହଞ୍ଚିଥିଲେ । ଦାସୁ, ସନା ଓ ସମରୁଙ୍କୁ ଘରୁ ଉଠାଇ ନେଇ ଗାଁ ମୁଣ୍ଡରେ ନିସ୍ତୁକ ମାଡ଼ ମାରିଥିଲେ । ସନା ଓ ସମରୁଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ି ଦେଇଥିଲେ । କିନ୍ତୁ ଦାସୁଙ୍କୁ ତଣ୍ଟିକାଟି ନିର୍ମମ ଭାବେ ହତ୍ୟା କରିଥିଲେ । ପରେ ମୃତଦେହକୁ ଗାଁ ମୁଣ୍ଡରେ ପକାଇ ଦେଇ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଦାସୁଙ୍କ ମୃତଦେହ ଉଦ୍ଧାର କରି ଘରକୁ ନେଇଥିଲେ ।
ଗାଁରେ ଲାଲ୍ ତାଣ୍ଡବ ସଂପର୍କରେ ଖବର ପାଇ ରାତିରେ ପହଞ୍ଚିଥିଲା ଯୋଡାମ୍ବ ପୁଲିସ । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏଥିସହ ବିଏସଏଫ ଯବାନଙ୍କ ସହାୟତାରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଆଜି ସକାଳେ ଦାସୁଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ମାଓବାଦୀଙ୍କ ମାଡ଼ରେ ଗୁରୁତର ସନା ଓ ସମରାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ଏହି ଘଟଣା ସ୍ୱାଭିମାନ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି ।
ଏ ସଂପର୍କରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ କେ. କହିଛନ୍ତି ଯେ, ମାଓବାଦୀମାନେ ସ୍ୱାଭିମାନ ଅଞ୍ଚଳର ଉନ୍ନତି ଚାହୁଁନାହାନ୍ତି । ଶାନ୍ତିି ଭଙ୍ଗ କରିବା ଲାଗି ଏଭଳି ହିଂସାକାଣ୍ଡ ଘଟାଉଛନ୍ତି । ବିଶେଷ କରି ସ୍ୱାଭିମାନ ଅଞ୍ଚଳର ଲୋକେ ସବୁଦିନ ପାଇଁ ସମାଜର ମୁଖ୍ୟସ୍ରୋତରୁ ଦୂରେଇ ରୁହନ୍ତ୍ୁ ଏବଂ ପଛୁଆ ହୋଇ ରହିଥାନ୍ତୁ ବୋଲି ସେମାନେ ଚାହୁଁଛନ୍ତି । ପୁଲିସ୍ ଇନଫର୍ମର ଆଖ୍ୟା ଦେଇ ନିରିହ ଆଦିବାସୀଙ୍କୁ ହତ୍ୟା କରିବା ସହ ମାଡ଼ ମାରୁଛନ୍ତି । ସେମାନଙ୍କ ମନରେ ଭୟ ସଂଚାର କରି ନିଜ ଆଧିପତ୍ୟ ବିସ୍ତାର କରିବା ଲାଗି ଉଦ୍ୟମ କରୁଛନ୍ତି । ଏହାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ । ଦୃଢ ହସ୍ତରେ ସେମାନଙ୍କୁ ଦମନ କରାଯିବ । ସ୍ୱାଭିମାନ ଅଞ୍ଚଳର ଲୋକେ ସୁରକ୍ଷା କର୍ମୀଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରୁଥିବାରୁ ରାଗରେ ମାଓବାଦୀମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ସେ କହିଛନ୍ତି ।


Comments are closed, but trackbacks and pingbacks are open.