ମାଲକାନଗିରି,(ବି.ବି.ନୁ୍ୟଜ): ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାଇଁ ପୁଣି ମେଗା ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଭିମାନ ଅଞ୍ଚଳର ପ୍ରତି ପରିବାରକୁ ଗୋଟିଏ ଲେଖାଏଁ ସ୍ମାର୍ଟ ଫୋନ୍ ମାଗଣାରେ ବଣ୍ଟନ କରାଯିବ । ଶୁଭାରମ୍ଭ ଅବସରରେ ପଣସପୁଟ, ଜୋଡାମ୍ବ, ଅଣ୍ଡ୍ରାପାଲ୍ଲି, ଯନ୍ତ୍ରୀ, ଗାଜୁଲମାମୁଡି, ରାଲେଗଡା, ପାପରମେଟଲା, ଧୂଳିପୁଟ ଆଦି ୯ଟି ପଞ୍ଚାୟତର ୬୯୧୭ ପରିବାରକୁ ମାଗଣାରେ ସ୍ମାର୍ଟ ମୋବାଇଲ ଫୋନ ବଣ୍ଟନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ଏହି ଅବସରରେ ସେ କହିଛନ୍ତି, ସ୍ମାର୍ଟ ଫୋନ୍ ଦ୍ୱାରା ସ୍ୱାଭିମାନ ଅଞ୍ଚଳର ପିଲାମାନେ ଅନ୍ଲାଇନ୍ରେ ପାଠ ପଢ଼ି ପାରିବେ । ଅଞ୍ଚଳବାସୀ ସେମାନଙ୍କ ସମସ୍ୟା ସଂପର୍କରେ ସିଧାସଳଖ ସରକାରଙ୍କୁ ଜଣାଇ ପାରିବେ । ଅନ୍ୟ ଅଞ୍ଚଳ ସହ ଯୋଡ଼ି ହୋଇପାରିବେ । ସ୍ୱାଭିମାନ ଅଞ୍ଚଳରେ ୫ଟି ମୋବାଇଲ ଟାୱାର ପ୍ରତିÂା କରାଯାଇଛି । ଆଗକୁ ଆଉ ୩ଟି ଟାୱାର ବସାଯିବ । ଏହାଦ୍ୱାରା ୪ଜି ନେଟ ସୁବିଧା ମିଳିପାରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାଭିମାନ ଅଞ୍ଚଳ ସବୁବେଳେ ମୋ’ ହୃଦୟରେ ଅଛି । ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ ମୋର ଉଦ୍ୟମ ଜାରି ରହିବ ।
ସେ କହିଥିଲେ, ୨୦୧୮ ଜୁଲାଇ ମାସରେ ଗୁରୁପ୍ରିୟା ସେତୁ ଉଦ୍ଘାଟନ ସମୟରେ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଥିଲା । ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଅବସରରେ ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହ ମାଓବାଦୀଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସୂଚନା ଦିଆଯାଇଥିଲା, ମାଲକାନଗିରି ଜିଲ୍ଲାରେ ହଳଦୀ ଚାଷ ଭଲ ହେଉଥିବାରୁ ଏହାର ପ୍ରୋସେସିଂ ଓ ବ୍ରାଣ୍ଡିଂ ପ୍ରକଳ୍ପ କରାଯିବ । ବିଜୁଳି ଆଲୁଅ ସମସ୍ୟାର ସମାଧାନ ଲାଗି ନୂତନ ୩୩ କେଭି ସବ୍ଷ୍ଟେସନ ପ୍ରତିÂା ହେବ । ୭ଟି ନୂଆ ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୧୪ଟି ନୂତନ ରାସ୍ତା ନିର୍ମାଣ, ୪୩ଟି ଉଠାଜଳସେଚନ ପ୍ରକଳ୍ପ, ୪୧୯ଟି ଗଭୀର ନଳକୂଅ ଖନନ କରାଯିବ । ଏହାଦ୍ୱାରା ୧୭୦୦ ହେକ୍ଟର ଜମି ଜଳସେଚିତ ହେବ । ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, କୃଷି, ପକ୍କା ଘର, ବ୍ୟାଙ୍କ ସେବା ଆଦି ଉନ୍ନୟନ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଆଯିବ ।
ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ ସ୍ୱାଭିମାନ ଅଞ୍ଚଳର ଶହଶହ ଆଦିବାସୀ ମହିଳା ଓ ପୁରଷ । ମୁଖ୍ୟମନ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ନିଜ ନିଜ ଅଞ୍ଚଳର ସମସ୍ୟା ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥି ବେହେରା, ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ ଡାକ୍ତର ୱାଇ. ବିଜୟ,ଏସ୍ପି ରିଶିକେଶ ଡି. ଖିଲାରୀ ପ୍ରମୁଖଙ୍କ ସହ ବ୍ଲକସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.