ଚିତ୍ରଡ଼ା, (ବି.ବି.ନୁ୍ୟଜ): ମଦ ନିଶା ହେଲା କାଳ । ସ୍ୱାମୀ ମଦ ନିଶାରେ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ନୃଶଂସ ଭାବେ ହତ୍ୟା କରିଛି । ଏହାପରେ ସ୍ତ୍ରୀର ମୃତ ଶରୀରକୁ ଘରଠାରୁ ଏକ ମିଟର ଦୂରରେ ଗାତ ଖୋଳି ପୋତି ଦେବାକୁ ଉଦ୍ୟମ ମଧ୍ୟ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଖଡ଼ିଗାଁ ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମର ଲୋଧା ସମ୍ପ୍ରଦାୟ ପରିବାରରେ । ମଙ୍ଗଳୁ କଟୁଆଳ ସୋମବାର ତା’ର ସ୍ତ୍ରୀ ବୁଦୁଲଙ୍କୁ ମଦ୍ୟପ ନିଶାରେ ମାରି ହତ୍ୟା କରିଛି । ପୁଲିସ ଅଭିଯୁକ୍ତ ମଙ୍ଗଳୁକୁ ଅଟକ ରଖିଛି ।
ସୂଚନାନୁଯାୟୀ, ମଙ୍ଗଳୁ ଓ ତାଙ୍କ ସ୍ତ୍ରୀ ବୁଦୁଲୁଙ୍କର ଦୁଇଝିଅକୁ ନେଇ ପରିବାର । ଜଙ୍ଗଲରୁ ଜାଳେଣି କାଠ, ପତ୍ର ଆଦି ସଂଗ୍ରହ କରି ତାକୁ ବିକ୍ରି କରି ପେଟ ପୋଷନ୍ତି । ପ୍ରତିଦିନ ଗ୍ରାମ ନିକଟରେ ମଙ୍ଗଳୁ ଓ ବୁଦୁଲୁ ମଦ ପିଅନ୍ତି । ଘରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗେ । ପ୍ରତିଦିନ ପରି ସୋମବାର ମଧ୍ୟ ଦୁହେଁ ମଦ ପିଇ ଘରକୁ ଫେରିଥିଲେ । ଦୁହିଁଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଝଗଡ଼ା ହୋଇଥିଲା । ଝଗଡ଼ାରେ ମଙ୍ଗଳୁ ଅତ୍ୟଧିକ କ୍ରୋଧିତ ହୋଇ ବୁଦୁଲୁଙ୍କୁ ପିଟି ପିଟି ମାରି ଦେଇଥିଲା । ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ସ୍ତ୍ରୀକୁ ଘର ନିକଟରେ ଗାତ ଖୋଳି ପୋତି ଦେବାକୁ ଚେଷ୍ଟା କରିଥିଲା । ଗ୍ରାମବାସୀଙ୍କଠାରୁ ଫୋନ ପାଇ ମୋରଡ଼ା ଥାନା ଆଇଆଇସି କୁନି ବେଶ୍ରା ଅଭିଯୁକ୍ତ ମଙ୍ଗଳୁ କଟୁଆଳକୁ କାବୁ କରିଛନ୍ତି । ଗ୍ରାମବାସୀଙ୍କ କହିବାନୁଯାୟୀ, ମଙ୍ଗଳୁ ଏକ ଠେଙ୍ଗାରେ ନିସ୍ତୁକ ବୁଦୁଲୁଙ୍କୁ ପିଟିଥିଲା । ଫଳରେ ବୁଦୁଲୁର ମୃତୁ୍ୟ ହୋଇଛି । ପୁଲିସ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ନେଇ ଘଟଣାର ଅନୁସନ୍ଧାନ ଜାରି ରଖିଛି । ମୋରଡ଼ା ଥାନା କେସ୍ ନମ୍ବର ୭/୨୦୨୧ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିବା ଜଣାଯାଇଛି । ମଙ୍ଗଳୁକୁ ଥାନାରେ ଅଟକ ରଖାଯାଇଛି । ଚିତ୍ରଡ଼ା ଫାଣ୍ଡି ଅଧିକାରୀ ରାଜେନ୍ଦ୍ର ମଣ୍ଡଳ ତଦନ୍ତ ଅଧିକାରୀ ବୋଲି ଜଣାଯାଇଛି ।


Comments are closed, but trackbacks and pingbacks are open.