ସ୍ୱାମୀ, ବାପଘର କଲେ ପର: ଜୀବନ ଲଢେ଼ଇରେ ହାରିଗଲେ ରେବତୀ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): କ୍ୟାନସର୍ରେ ଆକ୍ରାନ୍ତ ବୋଲି ଜଣାପଡିବା ପରେ ସ୍ୱାମୀ ହାତ ଛାଡ଼ିଥିଲେ । ବାପଘର ଲୋକ ବି କରଛଡ଼ା ଦେଲେ । ଡାକ୍ତରଖାନାରେ ଭର୍ତ୍ତି କରି ସମସ୍ତେ କିଏ କୁଆଡେ଼ ମୁହଁଛପା ଦେଇ ବୁଲିଲେ, ଫେରାର୍ ହୋଇଗଲେ । ବେସାହାରା ଅବସ୍ଥାରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ପଡିରହିଥିଲେ ରେବତୀ । ଶେଷରେ ଜୀବନ ଲଢେ଼ଇରେ ହାରିଗଲେ ସେ । ଅସହାୟ ଅବସ୍ଥାରେ ଆଜି ସବୁଦିନ ପାଇଁ ଆଖି ବୁଜିଦେଲେ । ମୃତ ରେବତୀ ଦାସଙ୍କ ଘର ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରେ । ରେବତୀଙ୍କ ମୃତଦେହକୁ ସ୍ୱେଚ୍ଛାସେବୀ ଅଭିମନୁ୍ୟ ଦାସ ଉଦ୍ଧାର କରି ଖାନନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ କରିଛନ୍ତି ।
ମେଦିନାପୁର ଅଞ୍ଚଳର ରେବତୀ (୨୬) ବର୍ଷକ ତଳେ କ୍ୟାନସର୍ରେ ଆକ୍ରାନ୍ତ ହୋଇଥିଲେ । ସେ କ୍ୟାନସର୍ ପୀଡ଼ିତ କଥା ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିବା ପରେ ତାଙ୍କ ସ୍ୱାମୀ ଦୂରେଇ ଯାଇଥିଲେ । ଏମିତିକି ରେବତୀଙ୍କୁ ସେ ଘରୁ ମଧ୍ୟ ତଡ଼ି ଦେଇଥିଲେ । ଉପାୟ ନପାଇ ରେବତୀ ବାପ ଘରକୁ ଫେରିଯାଇଥିଲେ । ବାପଘର ଲୋକଙ୍କ ସହାୟତାରେ ବର୍ଷେ ହେଲା ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁଥିଲେ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ବେଳେ ତାଙ୍କ କଥା ବୁଝିବାକୁ କେହି ଆଗ୍ରହ ଦେଖାଇନଥିଲେ । ଏମିତିକି ଗତ ସପ୍ତାହରେ ସେ ବାପାଙ୍କ ସହାୟତାରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପହଞ୍ଚିଥିଲେ । ମାତ୍ର ରେବତୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜାଣି, ତାଙ୍କ ନିରୁପାୟ ବାପା ଅସହାୟ ଅବସ୍ଥାରେ ତାଙ୍କୁ ଛାଡ଼ି ଡାକ୍ତରଖାନାରୁ ପଳାଇ ଯାଇଥିଲେ । ଫଳରେ ରେବତୀ ସଂପୂର୍ଣ୍ଣ ଅସହାୟ ହୋଇଯାଇଥିଲେ । ଡାକ୍ତରଖାନାରେ ଅସହାୟ ଅବସ୍ଥାରେ ସେ ପଡ଼ିଥିବା ଦେଖି ସ୍ୱେଚ୍ଛାସେବୀ ଅଭିମନୁ୍ୟ ଦାସ ତାଙ୍କୁ ସହାୟତା କରିଥିଲେ । ଫଳରେ ସେ ୱାର୍ଡରେ ଭର୍ତ୍ତି ହେବାର ସୁଯୋଗ ପାଇଥିଲେ । ହେଲେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଅବଶ୍ୟ ରେବତୀଙ୍କ ମୃତୁ୍ୟ ଖବର ପାଇଲା ପରେ ତାଙ୍କ ବାପା ଡାକ୍ତରଖାନାରେ ପହଞ୍ଚିଥିଲେ । ମାତ୍ର ଗାଁମୁଣ୍ଡ ଯାଏ ଝିଅର ମୃତଦେହ ନେବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଏଣୁ ସ୍ୱେଚ୍ଛାସେବୀଙ୍କ ସହାୟତାରେ ରେବତୀଙ୍କ ଶେଷକୃତ୍ୟ ଖାନନଗର ଶ୍ମଶାନରେ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons