କୋଲାବନଗର,(ବି.ବି.ନୁ୍ୟଜ): କୋରାପୁଟ ସଦର ବ୍ଲକ ବଡ଼କେରେଙ୍ଗା ପଞ୍ଚାୟତ ଦେବୀଘାଟ ଓ ପେଟା ପଞ୍ଚାୟତର ୧୮ ଖଣ୍ଡ ଗାଁଲୋକେ ଦୀର୍ଘବର୍ଷ ହେଲା ସ୍ୱାସ୍ଥ୍ୟସେବାରୁ ବଞ୍ଚିତହୋଇ ଆସୁଥିବା ଅଭିଯୋଗ ହୋଇଛି । ଏଠାରେ କୋଲାବ ଯୋଜନା ଚାଲିଥିବା ବେଳେ ୨୦୦୦ରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା । ହେଲେ ଏହି କେନ୍ଦ୍ର ସହ ପରିସରକୁ ଭାରତୀୟ ପ୍ରଥମ ରିଜର୍ଭ ବାଟାଲିୟନ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ହୋଇଯାଇଥିଲା । ଅନ୍ୟପକ୍ଷେ ୨୦୧୦ରେ କୋରାପୁଟ ନିକଟ ବିଜାଘାଟିକୁ ବାଟାଲିୟନ୍ ଉଠିଯାଇଥିଲେ ମଧ୍ୟ ଏଠାରେ ଆଉ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ନାହିଁ । ଫଳରେ କୋଲାବନଗର ସମେତ ୧୮ଖଣ୍ଡ ଗାଁର ୧୫ ହଜାରରୁ ଅଧିକ ଲୋକ ବର୍ତ୍ତମାନ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଏନେଇ ସ୍ଥାନୀୟ ଲୋକେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାକୁ ସେ ନିଦେ୍ର୍ଧଶ ଦେଇଥିଲେ । ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କୋଲାବନଗରର ପୁରୁଣା ହସପିଟାଲ ପରିଦର୍ଶନରେ ମଧ୍ୟ ଆସିଥିଲେ । ଖୁବ୍ ଶୀଘ୍ର ପୁରୁଣା ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ କରାଯାଇ ନଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି ।
ସୂଚନା ଥାଉ କି କୋଲାବନଗର ଅଞ୍ଚଳ ସହ ଦେବୀଘାଟି ଓ ପେଟା ପଞ୍ଚାୟତ ବଣପାହାଡ ମଧ୍ୟରେ ରହିଛି । ଏଠାରେ ଡେଙ୍ଗୁ, ମ୍ୟାଲେରିଆଜନିତ ରୋଗ ଅଧିକ ରହିଛି । ସ୍ୱାସ୍ଥ୍ୟଜନିତ ଅସୁବିଧା ହେଲେ ଲୋକେ ୨୦ କିମି ଦୂର କୋରାପୁଟ ନହେଲେ ୮୧ କିମି ଦୂର ମାଥାଲପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି । ଲୋକଙ୍କ ଅସୁବିଧା ସମ୍ପର୍କରେ ରାଜ୍ୟସ୍ତରରୁ ଆରମ୍ଭକରି ବିଧାୟକ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସୁଫଳ ମିଳି ନଥିବା ବଡ଼କେରେଙ୍ଗା ପଞ୍ଚାୟତ ସଭାପତି ଯୋଗେନ୍ଦ୍ର ଜେନା, ସରପଞ୍ଚ ଲଳିତମୋହନ ବଡ଼ନାୟକ ପ୍ରମୁଖଙ୍କ ସହ ଅନ୍ୟମାନେ କହିଛନ୍ତି । ତୁରନ୍ତ ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ କରା ନଗଲେ ଆଗାମୀଦିନରେ ରାସ୍ତାରୋକ କରାଯାଇ ଆନେ୍ଦାଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।
Comments are closed, but trackbacks and pingbacks are open.