ହଂକଂରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ

Get real time updates directly on you device, subscribe now.

ହଂକଂ: ଗତ କିଛି ସପ୍ତାହ ଧରି ହଂକଂରେ ସାଧାରଣ ଲୋକଙ୍କ ଦ୍ୱାରା କରାଯାଉଥିବା ବିକ୍ଷୋଭ ପ୍ରଦର୍ଶନ ଥମିବାର ନାଁ ଧରୁନାହିଁ । ଆଜି ମଧ୍ୟ ହଂକଂର ବିଭିନ୍ନ ଭାଗରେ ବ୍ୟାପକ ମାତ୍ରାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ବ୍ରିଟେନ ଦ୍ୱାରା ହଂକଂର ପରିଚାଳନା ଦାୟିତ୍ୱ ଚୀନ୍କୁ ହସ୍ତାନ୍ତର କରାଯିବାର ବାର୍ଷିକୀ ପାଳନ କରାଯିବାର ଥିଲା । ହଂକଂର ଲେଜିସଲେଟିଭ କାଉନସିଲ( ସରକାରୀ ମୁଖ୍ୟାଳୟ)ରେ ଏଥିପାଇଁ ପତାକା ଉତ୍ତୋଳନ କରାଯିବା ସହିତ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ସାଧାରଣ ଲୋକେ ଏହାକୁ ଭଣ୍ଡୁର କରିବାକୁ ଯୋଜନା କରିଥିଲେ ।
ସେମାନେ ହଜାର ହଜାର ସଂଖ୍ୟାରେ ସହରର ବିଭିନ୍ନ ଭାଗରେ ଶୋଭାଯାତ୍ରା ବାହାର କରି ସଡ଼କ ଅବରୋଧ କରିଥିଲେ । କେତେକ ସ୍ଥାନରେ ପୁଲିସ ସେମାନଙ୍କୁ ଘଉଡାଇବା ପାଇଁ ଲାଠି ଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ୍ ସ୍ପ୍ରେ କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବିକ୍ଷୋଭକାରୀମାନେ ପରେ ଲେଜିସଲେଟିଭ କାଉନସିଲ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସଶସ୍ତ୍ର ସୁରକ୍ଷାକର୍ମୀ କାର୍ଯ୍ୟାଳୟ ଭିତରେ ରହି ସେମାନଙ୍କୁ ରୋକିବାକୁ ଉଦ୍ୟମ କରିଥିଲେ ।
ବିକ୍ଷୋଭକାରୀମାନେ ଚୀନ୍କୁ ସମର୍ଥନ କରୁଥିବା ହଂକଂର କିଛି ରାଜନେତା ଓ ଅଧିକାରୀମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ସେମାନେ ମଧ୍ୟ ପ୍ରତ୍ୟର୍ପଣ ବିଲ୍କୁ ବିରୋଧ କରି ନାରା ଦେଇଥିଲେ । ଏହି ପ୍ରତ୍ୟର୍ପଣ ବିଲ୍କୁ ବିରୋଧ କରି ଗତ କିଛି ସପ୍ତାହ ହେଲା ହଂକଂର ବିଭିନ୍ନ ଅଞ୍ଚଳରେ ଜୋରଦାର ଆନ୍ଦୋଳନ କରାଯାଇଆସୁଛି । ଉକ୍ତ ବିଲ୍ରେ ବିଭିନ୍ନ ଅଭିଯୋଗର ସମ୍ମୁଖୀନ ହେଉଥିବା ହଂକଂର ନାଗରିକଙ୍କୁ ଚୀନ୍କୁ ସ୍ଥାନାନ୍ତର କରାଯାଇ ସେଠାରେ ସେମାନଙ୍କର ବିଚାର କରାଯିବାର ବ୍ୟବସ୍ଥା ଥିଲା । ମାତ୍ର ବ୍ୟାପକ ଆନ୍ଦୋଳନ ପରେ ହଂକଂ ପ୍ରଶାସନ ଏହି ବିଲ୍କୁ ରଦ୍ଦ କରିଥିଲେ । ହେଲେ ଏହାପରେ ବି ଉକ୍ତ ବିଲ୍କୁ ନେଇ ବିରୋଧ କମିବାର ଦେଖାଯାଉନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons