ପାରାଦୀପ,(ବି.ବି.ନୁ୍ୟଜ୍): ସୋସିଆଲ୍ ମିଡିଆ ପୁଣି କମାଲ୍ ଦେଖାଇଛି । ମୋବାଇଲ୍ରେ ଭାଇରାଲ୍ ହୋଇଥିବା ଖବରକୁ ଦେଖିବା ପରେ ମାନସିକ ଭାରସାମ୍ୟ ହରାଇ ୧୧ ବର୍ଷ ତଳୁ ଘରୁ ପଳାଇଥିବା ପୁଅକୁ ଆଜି ଖୋଜି ପାଇଛନ୍ତି ବାପା । ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଛାଡ଼ି ପଳାଇ ଆସିଥିବା ଗଞ୍ଜାମ ଜିଲ୍ଳା ବୁଗୁଡ଼ା ଥାନା ମେଣ୍ଟପୁର ଗ୍ରାମର ସୁଦର୍ଶନ ସ୍ୱାଇଁ ପାରାଦୀପରେ ମାନସିକ ଭାରସାମ୍ୟ ହରାଇ ଏଣେତେଣ ବୁଲୁଥିବା ଅବସ୍ଥାରେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି ।
ମାନସିକ ଭିନ୍ନକ୍ଷମ ଲୋକଙ୍କ ବାଳ କାଟୁଥିବା ଜଣେ ସମାଜସେବୀଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ପାରାଦୀପରେ ବୁଲୁଥିବା କିଛି ମାନସିକ ଭିନ୍ନକ୍ଷମଙ୍କ ବଢିଥିବା ଲମ୍ବା ବାଳକୁ କାଟି ସଫା କରାଯାଉଥିବା ଦୃଶ୍ୟ ରହିଥିଲା । ସେଥିରେ ସୁଦର୍ଶନ ସ୍ୱାଇଁଙ୍କ ଭିଡିଓ ମଧ୍ୟ ରହିଥିଲା । ସୁଦର୍ଶନ ଦୀର୍ଘ ଦିନ ହେବ ପାରାଦୀପରେ ଏଣେତେଣେ ଘୂରି ବୁଲୁଛନ୍ତି । ମୋବାଇଲ୍ରେ ଭାଇରାଲ୍ ଭିଡିଓକୁ ଦେଖି ସୁଦର୍ଶନଙ୍କ ବାପା ଜୟ ସ୍ୱାଇଁ ଓ ସମ୍ପର୍କୀୟ ଭାଇ ପ୍ରଦୀପ ଜେନା ଚିହ୍ନି ପାରଥିଲେ । ସୁଦର୍ଶନ ପାରାଦୀପରେ ଥିବା ମଧ୍ୟ ଭିଡିଓରୁ ଜାଣିବାକୁ ପାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ତନାଘନା । ବାପା ଜୟ ଓ ସମ୍ପର୍କୀୟ ଭାଇ ପ୍ରଦୀପ ପାରାଦୀପରେ କାମ କରୁଥିବା ସେମାନଙ୍କ ଗ୍ରାମର ଜଣେ ବ୍ୟକ୍ତି ଉମାଶଙ୍କର ଡ଼ାକୁଆଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ୩ ଦିନ ଧରି ପାରାଦୀପରେ ଖୋଜି ନ ପାଇବା ପରେ ଆଜି ସେମାନେ ବନ୍ଦର କର୍ମଚାରୀ ଦେବଦତ୍ତ ନାୟକ ଓ ସୋମନାଥ ସ୍ୱାଇଁଙ୍କ ସହ ଯୋଗାଯୋଗ କରିଥିଲେ । ଖୋଜାଖୋଜି ପରେ ସୁଦର୍ଶନଙ୍କୁ ପାରାଦୀପ ଥାନା ସମ୍ମୁଖ ବରଗଛ ପାଖରେ ଠାବ କରାଯାଇଥିଲା । ସୁଦର୍ଶନଙ୍କୁ ଦେଖିବା ପରେ ବାପା ଜୟଙ୍କ ଆଖିରୁ ଲୁହ ଝରିଆସିଥିଲା ।
ସୁଦର୍ଶନ ସୁରଟରେ କାମ କରୁଥିଲେ । ତେବେ ସେ ସେଠାରୁ ୧୧ ବର୍ଷ ତଳେ ପଳାଇ ଆସିଥିଲେ । ହେଲେ ମେଣ୍ଟପୁରକୁ ଯାଇନଥିଲେ । ହଠାତ୍ ଦିନେ ତାଙ୍କ ଗାଁ ପାଖରେ ଥିବା ଆଉ ଏକ ଗ୍ରାମରେ ଇତସ୍ତତଃ ବୁଲୁଥିବା ଖବର ଘର ଲୋକଙ୍କ ପାଖରେ ପହଞ୍ଚିଥିଲା । ଘର ଲୋକ ଯାଇ ସୁଦର୍ଶନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖସି ପଳାଇଥିଲେ । ସେହିଦିନଠାରୁ ସେ ଆଉ ମିଳିନଥିଲେ । ଘରର ବଡ଼ପୁଅ ସୁଦର୍ଶନଙ୍କୁ ଖୋଜାଖୋଜି କରି ନିରାଶ ହେବା ପରେ ତାଙ୍କୁ ପାଇବାର ଆଶା ଛାଡି ଦେଇଥିଲେ ପରିବାର ଲୋକ । ଏଣେ ସ୍ୱାମୀ ପଳାଇବା ପରେ ସୁଦର୍ଶନଙ୍କ ପତ୍ନୀ ଆଉ ଦୁଇ ପୁଅ ହତାଶ ହୋଇପଡିଥିଲେ । ଘରୁ ଆସିବା ବେଳକୁ ସୁଦର୍ଶନଙ୍କ ଦୁଇ ପୁଅ ଛୋଟ ଛୋଟ ହୋଇଥିବା ବେଳେ ଏବେ ଜଣେ ୮ମ ଓ ଜଣେ ୬Â ଶ୍ରେଣୀରେ ପଢୁଛନ୍ତି ।
ଆଜି ସୁଦର୍ଶନଙ୍କୁ ଉଦ୍ଧାର କରାଯିବା ପରେ ପାରାଦୀପ ଥାନାକୁ ଖବର ଦିଆଯାଇଥିଲା । ଥାନା ଅଧିକାରୀ ରଜନୀକାନ୍ତ ସାମଲ ସୁଦର୍ଶନଙ୍କ ଚୁଟି କଟାଇ ତାଙ୍କ ଗାଧୋଇବା ଓ ଖାଇବାର ବନେ୍ଦାବସ୍ତ କରିଥିଲେ । ତାଙ୍କୁ ନୂଆ ପୋଷାକ, ଚପଲ ପିନ୍ଧିବାକୁ ଦିଆଯାଇଥିଲା । ବାପା ଜୟ ଥାନାରେ ଉପଯୁକ୍ତ ପ୍ରମାଣ ଦେଖାଇ ସୁଦର୍ଶନଙ୍କୁ ସାଙ୍ଗରେ ନେଇଯାଇଥିଲେ । ପ୍ରଥମେ ସେମାନେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଯାଇ ଗାଁ ମେଣ୍ଟପୁରକୁ ଫେରିଯିବେ ବୋଲି କହିଛନ୍ତି । ଆଜି ମହାଶିବରାତ୍ରୀ ଅବସରରେ ଶିବଙ୍କ ଦୟାରୁ ପୁଅକୁ ଫେରି ପାଇଥିବାରୁ ଥାନା ପରିସରରେ ଥିବା ମନ୍ଦିରରେ ମଧ୍ୟ ବାପା ଓ ପୁଅ ଠାକୁରଙ୍କୁ ମୁଣ୍ଡିଆ ମାରିବା ଦୃଶ୍ୟ ସମସ୍ତଙ୍କୁ ଭାବ ବିହ୍ୱଳ କରି ପକାଇଥିଲା ।
Comments are closed, but trackbacks and pingbacks are open.