ଧାମନଗର,(ବି.ବି.ନୁ୍ୟଜ୍): କ୍ଷେତରୁ ବାରମ୍ବାର ପନି ପରିବା ଚୋରି ହେଉଥିବା ବେଳେ ତାହାକୁ ଜଗିବାକୁ ଯାଇ ଦୁର୍ବୃତ୍ତଙ୍କ ଦ୍ୱାରା ଜଣେ ଚାଷୀ ହତ୍ୟାର ଶିକାର ହୋଇଛନ୍ତି । ଏହି ଘଟଣା ସମଗ୍ର ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି (୬୩) । ପୂର୍ଣ୍ଣଚନ୍ଦ୍ର ନିଜ କ୍ଷେତରେ ସାରୁ ସହିତ ବିଭିନ୍ନ ପନି ପରିବା ଚାଷ କରି ଆସୁଥିଲେ । ଚାଷରୁ ଉପାର୍ଜିତ ଅର୍ଥରେ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ କିଛିଦିନ ହେଲା ତାଙ୍କ କ୍ଷେତରୁ ପରିବା ଚୋରି ହୋଇ ଆସୁଥିଲା । ଗତକାଲି ରାତି ପ୍ରାୟ ୯ଟା ବେଳେ ପୂର୍ଣ୍ଣଚନ୍ଦ୍ର କ୍ଷେତ ଆଡ଼କୁ ଯାଉଥିବା କହି ଘରୁ ଆସିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ପରିବାର ଲୋକ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ମାତ୍ର ଆଜି ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ ଦେହ କ୍ଷେତ ଠାରୁ ମାତ୍ର କିଛି ଦୂରରେ ଥିବା ଏକ ଗାଢିଆରେ ଭାସୁଥିବା ଦେଖିଥିଲେ । ଏହି ଖବର ପରିବାର ଲୋକଙ୍କ ପକ୍ଷରୁ ପୁଲିସକୁ ଜଣାଇବାରୁ ଘଟଣାସ୍ଥଳେ ଥାନା ଅଧିକାରୀ ମାନସ କୁମାର ଦେଓ, ଏସଡିପିଓ ମନୋରଂଜନ ସାମଲ, ଏଏସଆଇ ହୃଷୀକେଶ ବିଶ୍ୱାଳ, ଭଦ୍ରକରୁ ସାଇଣ୍ଟିଫିକ ଟିମ୍ ଏବଂ ବାଲେଶ୍ୱରରୁ ସନ୍ଧାନୀ କୁକୁର ପହଞ୍ଚିି ଘଟଣାର ଛାନଭିନ କରିଥିଲେ ।
ସୂଚନା ଥାଉକି ବାରମ୍ବାର ସେହି କ୍ଷେତରୁ ଚୋରି ହେଉଥିବା ନେଇ ପୂର୍ଣ୍ଣଚନ୍ଦ୍ର ରାତିରେ ଜଗିଥିଲେ । ଦୁର୍ବୃତ୍ତମାନେ ପୂର୍ବପରି କ୍ଷେତରୁ ଚୋରି କରୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବିରୋଧ କରିବାରୁୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ସନେ୍ଦହ କରିଛନ୍ତି । ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଦୁଇଟି ବାଉଁଶ ମୂଳିଆ (ପିଟଣା)କୁ ଜବତ କରିଛି । ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ମୁଁହ, ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଏବଂ ରକ୍ତ ଜୁଡୁବୁଡ ହୋଇଥିବାରୁ ଏହି ହତ୍ୟାକାଣ୍ଡ ଏକାଧିକ ଲୋକ ସାମିଲ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ପୁଲିସ ଧରିବ ବୋଲି ଏସଡିପିଓ ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଥାନାରେ କେଶ ନଂ-୩/୨୦ରେ ଏକ ହତ୍ୟା ମାମଲା ରୁଜୁ ହେବା ସହିତ ସେହି ଗ୍ରାମର ଜଣକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ପୁଲିସ ଆଜି ସନ୍ଧ୍ୟାରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି ।
Comments are closed, but trackbacks and pingbacks are open.