ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘ହେଲୋ, ମୁଁ ଆସୁଛି ଭୁବନେଶ୍ୱର…’ । ହାତ ହଲାଇ ହସ୍ପିଟାଲ୍ ବେଡରୁ ପ୍ରଶଂସକ ଓ ଭୁବନେଶ୍ୱରବାସୀଙ୍କୁ ଆସୁଛି ବୋଲି କହିଛନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି । ଯେଉଁଦିନକୁ ସମସ୍ତଙ୍କ ଅପେକ୍ଷା ଥିଲା । ସମସ୍ତେ ପଚାରୁଥିଲେ କେବେ ଫେରିବେ ପ୍ରିୟ ଅଭିନେତା ବିଜୟ ମହାନ୍ତି । ଆଜି ସେ ଦିନ ଆସିଯାଇଛି । ଆସନ୍ତାକାଲି ସକାଳ ୮ଟାରୁ ୯ଟା ମଧ୍ୟରେ ସେ ଭୁବନେଶ୍ୱରରେ ପହଞ୍ଚିବେ । ଆଜି ପୂର୍ବାହ୍ନ ୧୧ଟା ୫୫ମିନିଟ୍ରେ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବା ହସ୍ପିଟାଲ୍ରୁ ବାହାରିଯାଇଛନ୍ତି । ଭୁବନେଶ୍ୱରରୁ ଯାଇଥିବା ଡାକ୍ତରଟିମ୍ ସହ ଆମ୍ବୁଲାନ୍ସ ଯୋଗେ ରାସ୍ତାରେ ଆସୁଛନ୍ତି ।
ବହୁ ଅପେକ୍ଷା ପରେ ବିଜୟ ମହାନ୍ତି ଫେରୁଥିବାରୁ ସହାୟତା ଲାଗି ପରିବାର ପକ୍ଷରୁ ଝିଅ ଜସ୍ମିନ ମହାନ୍ତି ଓ ପତ୍ନୀ ତନ୍ଦ୍ରା ରାୟ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଝିଅ ଜସ୍ମିନ କହିଛନ୍ତି, ଯେଉଁମାନଙ୍କ ସହୟତା ଲାଗି ବାପା ଆଜି ପୁଣି ଥରେ ଭୁବନେଶ୍ୱର ଫେରି ପାରିଛନ୍ତି ସେମାନଙ୍କୁ ଭୁଲିପାରିବୁ ନାହିଁ । ପ୍ରଥମେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ମନୋଜ ପଟ୍ଟନାୟକ, ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକଙ୍କୁ ଧନ୍ୟବାଦ ଜଣାଉଛି । ଏକ ଭିଡିଓ ଜାରି କରି ଝିଅ ଜସ୍ମିନ ଏହି ବାର୍ତ୍ତା ରଖିଛନ୍ତି । ଏହି ଭିଡିଓ ସହିତ ବିଜୟ ମହାନ୍ତିଙ୍କ ‘ହେଲୋ, ମୁଁ ଆସୁଛି ଭୁବନେଶ୍ୱର…’ ଓ ତାଙ୍କୁ ଅଣାଯିବା ସମୟର କିଛି ଭିଡିଓ ଭାଇରାଲ୍ ହୋଇଛି । ଭାରି ବ୍ୟାକୁଳ ହୋଇ ଖୋଜୁଥିବା ପ୍ରଶଂସକମାନେ ବହୁଦିନ ପରେ ତାଙ୍କର ପ୍ରିୟ ଅଭିନେତାଙ୍କୁ ଏହି ଭିଡିଓ ମାଧ୍ୟମରେ ଦେଖିଛନ୍ତି ।
ବିଜୟ ମହାନ୍ତିଙ୍କ ଛାତ୍ର ତଥା ଅଭିନେତା ଅଖିଳ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ସାର୍ ସୁସ୍ଥ ଅଛନ୍ତି । ଖାଇଛନ୍ତି, ପାଣି ପିଇଛନ୍ତି ଏବଂ କଥାବାର୍ତ୍ତା କରୁଛନ୍ତି । ଆସନ୍ତାକାଲି ସକାଳେ ଆସି ହସ୍ପିଟାଲ୍ରେ ପହଞ୍ଚିବେ । କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ସାର୍ ଶୀଘ୍ର ସୁସ୍ଥ ହେବେ । ଆମ୍ବୁଲାନ୍ସରେ ଜଣେ ଡାକ୍ତର, ଟେକ୍ନିସିଆନ୍ ଏବଂ ଦୁଇଜଣ ଡ୍ରାଇଭର ଅଛନ୍ତି । ସୂଚନାଯୋଗ୍ୟ ଯେ, ହୃଦ୍ଘାତ ପରେ ଶ୍ୱାସକ୍ରିୟାରେ ସମସ୍ୟା ଥିବାରୁ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ହସ୍ପିଟାଲ ଆଇସିୟୁରେ ଥିଲେ । ଆଜି ସେଠାରୁ ଡିସ୍ଚାର୍ଜ ହୋଇଛନ୍ତି । ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିଲା ପରେ ପୁନର୍ବାର ତାଙ୍କର ଚିକିତ୍ସା ଚାଲୁ ରହିବ ।
Comments are closed, but trackbacks and pingbacks are open.