ହାଜତ ମୃତୁ୍ୟରେ ବିଧାନସଭା ହୁଲସ୍ତୁଲ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହାଜତ ମୃତୁ୍ୟ ବନ୍ଦ କର । ପୁଲିସ ଜୁଲୁମ ଚଳିବ ନାହିଁ । ପୁଲିସ ଦମନ ବନ୍ଦ କର । ହାଜତ ମୃତୁ୍ୟ ସରକାର ହାଏ ହାଏ…. । ଏ ସ୍ଲୋଗାନରେ କମ୍ପିଲା ବିଧାନସଭା । ବିରୋଧୀଙ୍କ ହଙ୍ଗାମାରେ ବିଧାନସଭା ପଡ଼ିଲା ଆଉ ଉଠିଲା । ପୁରୀ ଓ ବୀରମିତ୍ରପୁର ହାଜତ ମୃତୁ୍ୟକୁ ପ୍ରସଙ୍ଗ କରି ଶୀତ ଅଧିବେଶନ ଆରମ୍ଭରୁ ଜୋରଦାର ଆକ୍ରମଣ କରିଥିଲେ ବିରୋଧୀ । ବିଜେପି ଓ କଂଗ୍ରେସର ଆକ୍ରମଣରେ ଗୃହ ହୁଲସ୍ତୁଲ୍ ହୋଇଥିଲା । ଗୃହ ଥରକୁ ଥର ୪ ଥର ମୁଲତବି ରହିଲା । ବାଚସ୍ପତିଙ୍କ ଅନୁରୋଧ କାଟୁ କଲାନି । ସର୍ବ ଦଳୀୟ ବୈଠକ ବସିଲା । ଫଳ କିନ୍ତୁ ଶୂନ । ବିରୋଧୀଙ୍କ ସ୍ଲୋଗାନ, ହୋହଲ୍ଲା ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିଥିଲେ ।
ଆରମ୍ଭରୁ ଆକ୍ରମଣ । ରାଜ୍ୟରେ ଦୁଇଟି ସ୍ଥାନରେ ହାଜତ ମୃତୁ୍ୟ ଘଟଣା ବିଧାନସଭାର ଶୀତ ଅଧିବେଶନକୁ ତତଲା କରିଛି । ବିରୋଧୀ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗକୁ ଧରି ସରକାରଙ୍କୁ ଘେରିଥିଲେ । କୈଫିୟତ୍ ମାଗିଛନ୍ତି । ପୁରୀ ଏସ୍ପିଙ୍କୁ ତୁରନ୍ତ ଗିରଫ ସହ ଚାକିରିରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ପୁଲିସର ମନମାନିରେ ତାଲା ଲଗାଇବାକୁ ଦାବି ରଖିଛନ୍ତି । ଏହାଛଡ଼ା ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରିଥିଲେ ବିରୋଧୀ ।
ଆଜି ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ନାଲିଆଖି ଦେଖାଇଥିଲେ ବିରୋଧୀ । ସିଧା ସଳଖ ଗୃହର ମଧ୍ୟଭାଗକୁ ଆସିଥିଲେ । ଦାବି କରିଥିଲେ, ହାଜତ ମୃତୁ୍ୟ ଘଟଣା ସଂପର୍କରେ ଆଲୋଚନା କର । ବିଜେପି ଓ କଂଗ୍ରେସର ଏ ଦାବିକୁ ଅଣଦେଖା କରି ବାଚସ୍ପତି ଗୃହକାର୍ଯ୍ୟ ଆଗେଇନେବାକୁ ଉଦ୍ୟମ କଲେ । ଆଉ ସମ୍ଭାଳି ପାରିଲେନି ବିରୋଧୀ । ପୂରାକୁ ପୂରା ରାଗି ପାଚି ଲାଲ ପଡ଼ିଗଲେ । ଆରମ୍ଭ କଲେ ସ୍ଲୋଗାନବାଜି । ଉଭୟ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ଗଳାଫଟା ସ୍ଲୋଗାନ ମଧ୍ୟରେ ବିଧାନସଭାର ସ୍ଥାୟୀ କମିଟିକୁ ସଦସ୍ୟ ମନୋନୟନ ନେଇ ବିଜ୍ଞପ୍ତି ପଢ଼ିଲେ । ବିରୋଧୀଙ୍କ ପାଟିତୁଣ୍ଡ ଏତେ ଜୋର ଥିଲା ଯେ, ବାଚସ୍ପତି କ’ଣ କହୁଥିଲେ କିଛି ଶୁଭୁନଥିଲା । ବିରୋଧୀ ସଭ୍ୟମାନେ ବାଚସ୍ପତିଙ୍କ ଟେବୁଲ ବାଡେ଼ଇବା ସହ ନାରା ଛାଡ଼ୁଥିଲେ । ଏପରିକି କିଛି ସଭ୍ୟ ବାଚସ୍ପତିଙ୍କ ନିକଟକୁ ମାଡ଼ି ଯିବାକୁ ଉଦ୍ୟମ କରୁଥିଲା ବେଳେ ସୁରକ୍ଷା କର୍ମଚାରୀ ବାଧା ଦେଇଥିଲେ । ବିରୋଧୀ ସଭ୍ୟମାନେ ମିଳିତ ଭାବେ ହ;ଗୋଳ ଜାରି ରଖିଥିଲେ ।
ବିରୋଧୀ ସଦସ୍ୟଙ୍କ ହଙ୍ଗାମା ମଧ୍ୟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଚୁକ୍ତିଭିତ୍ତିକ ଶ୍ରମିକ (ସଂଶୋଧନ) ଓ କମ୍ପାନି (ସଂଶୋଧନ) ଅଧ୍ୟାଦେଶକୁ ଉପସ୍ଥାପନ କରିଥିଲେ । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପଶୁ ସମ୍ପଦ (ବିପଣନ) ଦ୍ୱିତୀୟ ଅଧ୍ୟାଦେଶକୁ ଗୃହରେ ଉପସ୍ଥାପନ କରିଥିଲେ । ବିରୋଧୀ ସଭ୍ୟମାନେ ବାରମ୍ବାର ଟେବୁଲ ବାଡେ଼ଇବାରୁ କରୋନା ସଂକ୍ରମଣ ଏଡ଼ାଇବାକୁ ବାଚସ୍ପତିଙ୍କ ସମ୍ମୁଖରେ କାଚ ଭଳି ଲାଗିଥିବା ପ୍ଲାଷ୍ଟିକ୍ କାନ୍ଥ ତଳକୁ ଖସି ପଡ଼ିଥିଲା । ୩.୧୦ ମିନିଟରେ ବାଚସ୍ପତି ଗୃହକୁ ୧୫ ମିନିଟ୍ ପାଇଁ ମୁଲତବି ଘୋଷଣା କରିଥିଲେ ।
୩.୨୫ ମିନିଟ୍ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ କହିବାକୁ ଅନୁମତି ଦେଲେ । ସେ କହିବା ଆରମ୍ଭ ନକରୁଣୁ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଲେ ପ୍ରଥମେ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ବସି ଏ ପ୍ରସଙ୍ଗରେ ଆଲୋଚନା ହେଉ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ । ଗୃହକୁ ଅଧଘଣ୍ଟାଏ ପାଇଁ ମୁଲତବି ରଖାଗଲା । ସର୍ବଦଳୀୟ ବୈଠକ ବସିଲା । ଗୃହ ପୁଣି ଆଉ ଦୁଇ ଥର ମୁଲତବି ରହିଲା ମାତ୍ର କିଛି ସୁଫଳ ମିଳିଲା ନାହିଁ ।
ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବାମାତ୍ରେ ବିରୋଧୀ ପୂର୍ବାପେକ୍ଷା ଆହୁରି ତତଲା ହୋଇଥିଲେ । ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦିଅନ୍ତୁ । ଏସ୍ପିଙ୍କୁ ତୁରନ୍ତ ଗିରଫ କରିବାକୁ ବିରୋଧୀ ଦାବି କରିଥିଲେ । ହାଜତ ମୃତୁ୍ୟ ଚଳିବ ନାହିଁ ବୋଲି ସ୍ଲୋଗାନକୁ ଜୋରଦାର କରିଥିଲେ । ଏପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍ ଗୃହରେ ଉପସ୍ଥାପନ କରିଥିଲେ । ଏହାପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ହୋ ହଲ୍ଲା ଓ ପାଟିତୁଣ୍ଡ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା । ଏହାପରେ ବାଚସ୍ପତି ଗୃହକୁ ଶନିବାର ଯାଏ ମୁଲତବି ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons