ଖୋର୍ଦ୍ଧା(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜରେ ଶନିବାର ଭୋର୍ରେ ହାତୀ ଆକ୍ରମଣରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଆକ୍ରମଣରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ପୁରୀ ଶରଣକୂଳ ନୂଆ ଜଗନ୍ନାଥ ସଡ଼କକୁ ହଜ ଛକ ଠାରେ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଏବଂ ହାତୀ ଘଉଡ଼ାଇବା ଦାବିରେ ସକାଳୁ ୭ଟାଠାରୁ ଅପରାହ୍ନ ୧ଟା ଯାଏ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବରିÂ ଅଧିକାରୀମାନେ ଘୋଷଣା କରିବା ପରେ ଅବରୋଧ ହଟିଥିଲା ।
ଟାଙ୍ଗୀ ରେଞ୍ଜ ଅଧୀନ ହଜ ଗ୍ରାମ ପାଇକସାହିର ବଂଶୀଧର ଛୁଆଳସିଂହ (୭୦) ଶୁକ୍ରବାର ରାତି ୧.୨୦ମିନିଟ୍ରେ ପରିସ୍ରା କରିବାକୁ ଦାଣ୍ଡପଟକୁ ଯାଇଥିଲେ । ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରି ଦଳିଦେଇ ପଳାଇ ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ ଦୁଇଟି ହାତୀ ପଳାଇ ଯାଇଥିଲେ ।
ପରେ ହାତୀ ଦୁଇଟି ହଜ ବଜାର ପାର ହୋଇ ଭୋର ୪.୫୦ ମିନିଟ୍ ସମୟରେ କଲାରଝର ଗ୍ରାମର ସନାତନ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତୁ୍ୟ ହୋଇଥିଲା । ପରେ ସେହି ଗ୍ରାମର ବ୍ରଜବନ୍ଧୁ ସାହୁ (୬୫)ଙ୍କୁ ହାତୀ ଆକ୍ରମଣ କରିବା ଫଳରେ ତାଙ୍କ ଡାହାଣଗୋଡ଼ରେ ପ୍ରବଳ ଭାବେ ଆଘାତ ହୋଇଥିଲା । ସେ ଏବେ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି ।
ଏହି ଘଟଣା ପ୍ରଚାରିତ ହେବା ପରେ ସକାଳୁ ଦୁଇ ଗ୍ରାମର ଉତ୍ତ୍ୟକ୍ତ ଲୋକେ ପୁରୀ ଶରଣକୂଳ ନୂଆ ଜଗନ୍ନାଥ ସଡ଼କକୁ ହଜ ଛକଠାରେ ଅବରୋଧ କରିଥିଲେ । ମୃତକ ଓ ଆହତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଥିଲେ । ଚାରି ଘଣ୍ଟା ରାସ୍ତା ଅବରୋଧ ପରେ ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ସୁଦୀପ୍ତ ନାୟକ, ବେଗୁନିଆ ତହସିଲଦାର, ଟାଙ୍ଗୀ ବନଖଣ୍ଡ ଅଧିକାରୀ ଅଜୟ ଜଗଦେ୍ଧବ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ମୃତକଙ୍କ ପରିବାରକୁ ରାଜ୍ୟ ରେଡକ୍ରସ ପାଣ୍ଠିରୁ ୧୦ହଜାର ଲେଖାଏଁ ଟଙ୍କା ଏବଂ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଖର୍ଚ୍ଚ ନିମନ୍ତେ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହ ଦୁଇ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ ୪ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ । ଗ୍ରାମକୁ ପଶି ଆସିଥିବା ହାତୀ ପଲ୍ଲକୁ ଘଉଡାଇବା ପାଇଁ ୨୦ ଜଣ ବନକର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ବରିÂ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାସ୍ତା ଅବରୋଧ ହଟିଥିଲା ।
ସୂଚନାଯୋଗ୍ୟ, ଶୁକ୍ରବାର ଭୋରରୁ ଏକ ବଣୁଆ ହନ୍ତା ସିକୋ ଫାଣ୍ଡି ଅନ୍ତର୍ଗତ ଗଉଡ଼ିଆପଡ଼ା ଗ୍ରାମର କଲେଜ ଛାତ୍ରୀ ରଶ୍ମିତା ଦାସ(୨୦)ଆକ୍ରମଣ କରିଥିଲା । ସେହିପରି ପଡେ଼ାଶୀ ମହିଳା ବିନୋଦିନୀ ମାଝି(୪୭)ଙ୍କୁ ହାତୀ ଆକ୍ରମଣ କରିବାର ୪୮ ଘଣ୍ଟା ପରେ ପୁଣି ହାତୀ ଆକ୍ରମଣରେ ଦୁଇ ଅମୂଲ୍ୟ ଜୀବନ ଚାଲିଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଟାଙ୍ଗୀ ବନାଞ୍ଚଳ ବିଭାଗ ତଥ୍ୟ ଅନୁସାରେ ୨୦୧୯ ସେପ୍ଟେମ୍ବରଠାରୁ ୩୧ ବଣୁଆ ହାତୀ ଟାଙ୍ଗୀ ବନାଞ୍ଚଳ ଛାଡ଼ିବା ନାଁ ଧରୁନାହାନ୍ତି । ଏହି ହାତୀପଲ୍ଲ ବେଗୁନିଆ ବ୍ଳକର ସିକୋ, ଗୋଡ଼ା, ବଡ଼ପୋଖରିଆ, ନିରାକାରପୁର ଭଳି ଅନେକ ଗ୍ରାମରେ ନିୟମିତ ଉପôାତ କରୁଛନ୍ତି । ଏକର ଏକର ଫସଲ ନଷ୍ଟ କରିବା ସହ ଜନବସତିକୁ ପଶି ଘରଦ୍ୱାର ଭାଙ୍ଗିଦେଉଛନ୍ତି । ଗ୍ରାମବାସୀ ରାତି ଉଜାଗର ରହି ପାଳି କରି ହାତୀ ମୁହଁରୁ ଫସଲ ଜଗିବାକୁ ଚେଷ୍ଟା କରିବା ସତ୍ତେ୍ୱ କୌଣସି ସୁଫଳ ମିଳିନାହିଁ । ଏ ନେଇ ବାରମ୍ବାର ବନବିଭାଗ ପାଖରେ ଖବର ଦେଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ୍ ବସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।


Comments are closed, but trackbacks and pingbacks are open.