ହାତୀ ଆକ୍ରମଣରେ ପୁଣି ଦୁଇ ମୃତ

Get real time updates directly on you device, subscribe now.

ନୀଳଗିରି, (ବି.ବି.ନୁ୍ୟଜ୍): ବୁଧବାର ପୁଣି ଦୁଇ ଜଣ ବ୍ୟକ୍ତିଙ୍କୁ ହାତୀ ମାରି ଦେଇଛି । ମୃତ ଦ୍ୱୟ ହେଲେ ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା କନ୍ତିଓକାଟେଣି ପଞ୍ଚାୟତ ଜୁଲଙ୍ଗ ଗ୍ରାମର ଗୁମାନି ବିଶ୍ୱାଳଙ୍କ ସ୍ତ୍ରୀ ଦୁଲଣା ବିଶ୍ୱାଳ(୮୧) ଓ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମର ପ୍ରାଣବନ୍ଧୁ ସାମଲଙ୍କ ପୁଅ ରାମଚନ୍ଦ୍ର (୫୫) ।
ମଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଦୁଲଣା ଶୌଚ ହେବାକୁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ସେଠାରେ ସେ ଏକ ଦନ୍ତାହାତୀ ସହ ମୁହାଁମୁହିଁ ହୋଇଥିଲେ । ଦନ୍ତା ତାଙ୍କୁ ଆକ୍ରମଣ କରି ଦାନ୍ତରେ ଭୂଷି ଦେବା ସହ ଟେକି ଫିଙ୍ଗି ଦେଇଥିଲା । ଆଖପାଖରେ ଥିବା ଲୋକମାନେ ଏହା ଦେଖି ହୋହାଲ୍ଲା କରିବାରୁ ହାତୀଟି ନିକଟସ୍ଥ ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା । ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦୁଲଣାଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସରକାରୀ ନିୟମ ମୁତାବକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ସପ୍ତାହେ ହେଲା ଅଞ୍ଚଳରେ ହାତୀପଲ ରହି ଧନଜୀବନ ହାନି କରୁଛନ୍ତି । ସେହିପରି ରାମଚନ୍ଦ୍ର (୫୫) ବୁଧବାର ମଧ୍ୟାହ୍ନରେ ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟ ସୀମାନ୍ତ ଏକ ଧାନ ବିଲକୁ ଯାଇଥିଲେ । ସେଠାରେ ସେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀ ରାମଚନ୍ଦ୍ରଙ୍କୁ ଉଠାଇ କଚାଡ଼ିବା ସହ ପାଦ ତଳେ ଦଳିଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇ ଯାଇଥିଲା । କେତେକ ଗ୍ରାମବାସୀ ଜଙ୍ଗଲରୁ କାଠ ଆଣି ଫେରୁଥିବା ବେଳେ ଏହି ଭୟାନକ ଦୃଶ୍ୟ ଦେଖିଥିଲେ । କୁଲଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ମୃତଦେହ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଜାରି ରଖିଛନ୍ତି । ମୃତକଙ୍କ ଏକ ମାତ୍ର ପୁଅ ଥିବାବେଳେ ପରିବାର ତାଙ୍କ ରୋଜଗାର ଉପରେ ନିର୍ଭର କରୁଥିଲା । ସେ ଦିନ ମଜୁରିଆ ଥିଲେ । ଉଲ୍ଲେଖ କରାଯାଇପାରେ କି, ଗତକାଲି ମୟୁରଭଞ୍ଜ ଜିଲ୍ଲାରେ ଦୁଇ ଜଣ ଏବଂ ଅନୁଗୁଳ ଜିଲ୍ଲାରେ ଜଣେ ଏପରି ୩ଜଣ ବ୍ୟକ୍ତିଙ୍କୁ ହାତୀ ମାରି ଦେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons