ହାତୀ ଦାନ୍ତ ସହିତ କାର୍ ଜବତ, ୩ ଗିରଫ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ବନଖଣ୍ଡର ଘଟଗାଁ ବନାଞ୍ଚଳ ଅଧୀନ ସାନ୍ତରାପୁର ଗାଁରୁ ହାତୀଦାନ୍ତ ସହିତ ୩ ଜଣ ଅଭିଯୁକ୍ତକୁ ବନବିଭାଗ ଧରିବାରେ ସଫଳ ହୋଇଛି । ବନ୍ୟଜନ୍ତୁ ଶିକାର ଓ ଚୋରା କାଠ କାରବାରର ପେଣ୍ଠସ୍ଥଳୀ କୁହାଯାଉଥିବା ଏହି ଗ୍ରାମରେ ବନବିଭାଗ ଅତର୍କିତ ଭାବେ ଚଢ଼ଉ କରି ଏହି ସଫଳତା ପାଇଥିବା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୋମବାର କେନ୍ଦୁଝର ବନଖଣ୍ଡର ଡିଏଫ୍ଓ ସନ୍ତୋଷ ଯୋଶୀ ବଦଳି ହୋଇ ଦାୟିତ୍ୱ ହସ୍ତାନ୍ତର କରିବାର ମାତ୍ର କେଇ ଘଣ୍ଟା ବ୍ୟବଧାନରେ ନୂତନ ଡିଏଫ୍ଓ ଅଜିତ ଶତପଥିଙ୍କ ସଫଳ ଗୋଟିଚାଳନା ଯୋଗୁ ଦୁର୍ଦ୍ଧାନ୍ତ ଅପରାଧୀମାନେ ଧରାପଡିବା ଚର୍ଚ୍ଚାର ବିଷୟ ହୋଇଛି ।
କିଛିଦିନ ହେବ କେନ୍ଦୁଝରରେ ହାତୀ ମୃତୁ୍ୟ ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଚଳିତବର୍ଷ ୪ଟି ହାତୀ ମୃତୁ୍ୟବରଣ କରିଥିବା ବେଳେ ନାମକୁମାତ୍ର କେତେକ ଶିକାରୀଙ୍କୁ ବନବିଭାଗ ଗିରଫ କରିଥିବା ବେଳେ ହାତୀଦାନ୍ତ ସମ୍ପର୍କରେ ସୁରାକ୍ ପାଇନଥିଲା । ଯାହାକି ପୂର୍ବତନ ଡିଏଫ୍ଓ ଶ୍ରୀ ଯୋଶୀଙ୍କ ଦାର୍ଯ୍ୟଦକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ବନବିଭାଗକୁ ଅନେକ ଅପବାଦ ଶୁଣିବାକୁ ପଡିଥିଲା ଓ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ସୋମବାର ଡିଏଫ୍ଓ ଶ୍ରୀ ଯୋଶୀ ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇଥିବାରୁ କାର୍ଯ୍ୟ ହସ୍ତାନ୍ତର କରିଥିଲେ । ଆନନ୍ଦପୁର ଡିଏଫ୍ଓ ଶ୍ରୀ ଶତପଥି ଅତିରିକ୍ତ ଡିଏଫ୍ଓ ଦାୟିତ୍ୱରେ ରହିଥିଲେ । ଶ୍ରୀ ଶତପଥି ହାତୀଦାନ୍ତ କାରବାର ହେଉଥିବା ବିଶ୍ୱସ୍ତସୂତ୍ରରୁ ଖବରପାଇ କର୍ମଚାରୀମାନଙ୍କୁ ସଜାଗ କରିଥିଲେ । ଦାନ୍ତ ବେପାରୀମାନେ ଏକ ନୂଆ ହୁଣ୍ଡାଇ କାର୍ରେ ପ୍ରାୟ ୨୦ କିଲୋଗ୍ରାମ ହାତୀ ଦାନ୍ତ ନେଇ ହରିଚନ୍ଦନପୁର ଥାନା ଅଞ୍ଚଳର ବାହିଆପିଟା ଗ୍ରାମ ଦେଇ ଫେରାର ହୋଇଯାଇଥିଲେ । ବନବିଭାଗ ଉକ୍ତ କାର୍କୁ ପିଛା କରି ଧରିବାକୁ ସକ୍ଷମ ହୋଇଛି ।
ହାତୀ ଦାନ୍ତ ଗୁଡିକ ଛୋଟ ଛୋଟ ଖଣ୍ଡ କରି ଏକ ବାକ୍ସରେ ନିଆଯାଉଥିଲା । ସେଥିରେ ୧୪ ଖଣ୍ଡ ଦାନ୍ତ ରହିଥିବା ଜଣାପଡିଛି । ଖବରପାଇ ଡିଏଫ୍ଓ ଶ୍ରୀ ଶତପଥି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି । ଗିରଫ ୩ ଯୁବକ ନିଜର ସଠିକ ପରିଚୟ ଦେଉନଥିବାରୁ ବନବିଭାଗ ପକ୍ଷରୁ ସବିଶେଷ ପରିଚୟ ଜାଣିବା ପାଇଁ ଉଦ୍ୟମ ଚଳାଇଥିବା ଡିଏଫଓ କହିଛନ୍ତି । ଗିରଫ ଯୁବକଙ୍କ ମଧ୍ୟରୁ ଜଣେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହି ଦାନ୍ତ କାରବାରର ମାଷ୍ଟରମାଇଣ୍ଡ ସାନ୍ତରାପୁର ଗ୍ରାମର ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି । ସେମାନଙ୍କୁ ଗିରଫ ପରେ କେନ୍ଦୁଝରକୁ ଅଣାଯାଉଛି । ଅଧିକ ଜେରା ପରେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ପ୍ରୟାସ କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ତେବେ ଦାୟିତ୍ୱ ନେବାର ୫ ଘଣ୍ଟା ପରେ ହାତୀଦାନ୍ତ ବେପାରୀ ଧରାପଡିବା ବେଶ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons