ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କଂଗ୍ରେସର ହେଭିୱେଟ୍ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ସହ ୧୮ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେପିରେ ସାମିଲ ହୋଇଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଫଳରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ବୁଧବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ସାମିଲ ହୋଇ ସମସ୍ତ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି । ହାତ ଛାଡ଼ି ପଦ୍ମ ଧରିବା ପରେ ସେ କମଳନାଥ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କୁ ସମର୍ଥନ କରୁଥିବା ୨୨ କଂଗ୍ରେସ ବିଧାୟକ ଇ-ମେଲ୍ ଯୋଗେ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । ଫଳରେ କମଳନାଥ ସରକାରକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ସେପଟେ ବିଜେପି ସିନ୍ଧିଆଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇବ ବୋଲି ଘୋଷଣା କରି ଦଳକୁ ସ୍ୱାଗତ କରିଛି ।
ରାଜ୍ୟର ଯୁବ ଚେହେରା ଭାବେ ପରିଚିତ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ସହ କଂଗ୍ରେସର ମୁଖ୍ୟମନ୍ତ୍ରୀ ଆସନ ଟଳମଳ ହୋଇଛି । ବିଜେପି ଏବଂ କଂଗ୍ରେସ ଉଭୟ ନିଜ ନିଜ ବିଧାୟକଙ୍କୁ ଅକ୍ତିଆରରେ ରଖିବା ପାଇଁ ହୋଟେଲ ରାଜନୀତି ଆରମ୍ଭ କରିଛନ୍ତି । କଂଗ୍ରେସ ୯୫ ଜଣ ବିଧାୟକଙ୍କୁ ଏକ ଘରୋଇ ବିମାନରେ ନେଇ ରାଜସ୍ଥାନ ଜୟପୁରର ଏକ ହୋଟେଲ ମଧ୍ୟରେ ରଖିଛି । କମଳନାଥ ସରକାରକୁ ସମର୍ଥନ ଦେଉଥିବା ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଅନ୍ୟପକ୍ଷରେ ବିଜେପି ମଧ୍ୟ ମଙ୍ଗଳବାର ରାତିରୁ ଏହାର ବିଧାୟକମାନଙ୍କୁ ନେଇ ହରିଆଣା ଗୁରୁଗ୍ରାମରେ ଥିବା ଏକ ହୋଟେଲ ମଧ୍ୟରେ ରଖିଛି । ସିନ୍ଧିଆଙ୍କ ଇସ୍ତଫା ପରେ କଂଗ୍ରେସରୁ ଇସ୍ତଫା ଦେଇଥିବା ୨୨ ଜଣ ବିଧାୟକଙ୍କୁ ବାଙ୍ଗାଲୁରର ଏକ ହୋଟେଲ ମଧ୍ୟରେ ରଖାଯାଇଛି ।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶରେ ବିଧାନସଭା ଆସନ ସଂଖ୍ୟା ୨୩୦ ହୋଇଥିବା ବେଳେ ୨୦୧୮ ବିଧାନସଭା ନିର୍ବାଚନରେ ୨ ବିଧାୟକଙ୍କ ମୃତୁ୍ୟ ହେବା ପରେ ଆସନ ସଂଖା ୨୨୮ ହୋଇଯାଇଥିଲା । ଫଳରେ ସରକାର ଗଠନ ନିମନ୍ତେ ୧୧୫ ଆସନ ଆବଶ୍ୟକ ହେଉଥିଲା । କଂଗ୍ରେସର ୧୧୪ ବିଧାୟକ ଥିବା ବେଳେ କେତେକ ସ୍ୱାଧୀନ, ସପା ଏବଂ ବସପା ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଠନ କରିଥିଲା । କିନ୍ତୁ ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ସହ ବାଜି ସମ୍ପୂର୍ଣ୍ଣ ପଲଟି ଯାଇଛି । ବାଚସ୍ପତି ଯଦି ସୋମନଙ୍କ ଇସ୍ତଫା ଗ୍ରହଣ କରନ୍ତି ତେବେ ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୨୦୬କୁ ଖସି ଆସିବ । ଯାହା ଦ୍ୱାରା ସରକାର ଗଠନ ନିମନ୍ତେ କୌଣସି ଦଳକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ିବ । ବର୍ତ୍ତମାନ ବିଜେପି ନିକଟରେ ୧୦୯ ଜଣ ବିଧାୟକ ଅଛନ୍ତି । ଅନ୍ୟପକ୍ଷରେ ବିଧାୟକମାନଙ୍କ ଇସ୍ତଫା ଗ୍ରହଣ ହେଲେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯୩କୁ ଖସି ଆସିବ । ଫଳରେ ବିଜେପି ନିମନ୍ତେ ସରକାର ଗଠନର ରାସ୍ତା ସଫା ହୋଇଯିବ । କିନ୍ତୁ ବିଜେପିର କେତେକ ନେତା କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଉଛି । ଯାହା ରାଜନୈତିକ ଚର୍ଚ୍ଚାକୁ ଆହୁରି ସରଗରମ କରିଦେଇଛି । କଂଗ୍ରେସରୁ ଇସ୍ତାଫା ଦେଇଥିବା ବିଧାୟକମାନେ ଫ୍ଲୋର ଟେଷ୍ଟ ସମୟରେ କମଳନାଥ ସରକାରଙ୍କୁ ସମର୍ଥନ କରିବେ ବୋଲି ମଧ୍ୟ କଂଗ୍ରେସ ଦାବି କରିଛି ।
ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ୍ ପ୍ରଶଂସା କରିବା ସହ କମଳନାଥ ମୁଖ୍ୟମନ୍ତ୍ରୀ ଭାବେ ନିଜ ପ୍ରତିଶ୍ରୁତି ପୂରଣ କରିବାରେ ଅସମର୍ଥ ହୋଇଥିବା ଅଭିଯୋଗ କରିଥିଲେ । କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଦେଶର ଭବିଷ୍ୟତ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ମୋର ସୌଭାଗ୍ୟ ମୋଦି ଏବଂ ନଡ୍ଡା ମୋ ଉପରେ ଭରସା କରି ଜନସେବା କରିବା ନିମନ୍ତେ ମୋତେ ସୁଯୋଗ ଦେଇଛନ୍ତି । ଦେଶବାସୀ ମୋଦିଙ୍କ ଉଦେ୍ଧଶ୍ୟରେ ଯେଉଁଭଳି ଜନାଦେଶ ଦେଇଛନ୍ତି ପୂର୍ବରୁ କାହାକୁ ବି ଏଭଳି ଜନାଦେଶ ମିଳି ନଥିଲା । ସେ ଖୁବ ସକ୍ରିୟ ଭାବେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପିତ କରାଇ କାର୍ଯ୍ୟ କରନ୍ତି । କଂଗ୍ରେସରେ ୧୮ରୁ ୧୯ ବର୍ଷ ରହି ଦଳ ପାଇଁ ନିÂାର ସହ କାମ କରିବା ପରେ ମଧ୍ୟ ଲୋକଙ୍କ ସେବା କରିବାକୁ ମୋତେ ଯେଉଁ ସୁଯୋଗ ମିଳି ନଥିଲା ମୋଦି, ନଡ୍ଡା ତଥା ଶାହଙ୍କ ନେତୃତ୍ୱରେ ତାଙ୍କୁ ସେହି ସୁଯୋଗ ମିଳିପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସିନ୍ଧିଆ କଂଗ୍ରେସ ଉପରେ ବର୍ଷି କହିଥିଲେ, ପୂର୍ବରୁ କଂଗ୍ରେସର ଯେଉଁ ସ୍ଥିତି ଥିଲା ତାହା ବର୍ତ୍ତମାନ ନାହିଁ । ନୂଆ ତଥା ଯୁବ ନେତୃତ୍ୱମାନଙ୍କୁ କଂଗ୍ରେସରେ ଠିକ ସ୍ଥାନ ମିଳୁନି । କମଳନାଥ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିପାରିନଥିବା ଅଭିଯୋଗ କରି ସିନ୍ଧିଆ କହିଥିଲେ, ୨୦୧୮ରେ ମୋର ଗୃହରାଜ୍ୟରେ ଯେବେ କଂଗ୍ରେସ ସରକାର ଗଠନ ହୋଇଥିଲେ ମୁଁ ଅନେକ ସ୍ୱପ୍ନ ଦେଖିଥିଲି । ୧୦ ଦିନ ମଧ୍ୟରେ କୃଷକମାନଙ୍କର ଋଣଛାଡ଼ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ୧୮ ମାସ ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନି । ଯୁବକଙ୍କୁ ରୋଜଗାର, କୃଷକଙ୍କୁ କ୍ଷତିପୂରଣ ଭଳି ସମସ୍ତ ପ୍ରତିଶ୍ରୁତି ପୂରଣ କରିବାରେ କମଳନାଥ ସରକାର ଅସଫଳ ହୋଇଥିବା ସିନ୍ଧିଆ ପ୍ରକାଶ କରିଥିଲେ ।
Comments are closed, but trackbacks and pingbacks are open.