ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଭୟ ବିଧାନସଭାର ବଜେଟ ଅଧିବେଶନକୁ ମଧ୍ୟ ଡରାଇଛି । ଆସନ୍ତା ୨୯ ଯାଏ ବିଧାନସଭାର ବଜେଟ ଅଧିବେଶନକୁ ମୁଲତବି ରଖାଯାଇଛି । ଏ ନେଇ ଏକ ସଂକଳ୍ପ ପ୍ରସ୍ତାବ ଗୃହରେ ପାରିତ ହୋଇଛି । ବିଧାନସଭାରେ କରୋନା ମୁକାବିଲା ପାଇଁ ବିଧାୟକମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ସଚେତନ କରିଥିଲା ବେଳେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ ହାତଧୋଇ ସଚେତନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି ।
ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ପାଇଁ ସତର୍କତା ଅବଲମ୍ବନ କରି ବିଧାନସଭାକୁ ୨୯ ଯାଏ ମୁଲତବି ରଖାଯାଇଛି । ଏ ନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏକ ପ୍ରସ୍ତାବ ଆଗତ କରିଥିଲେ । କରୋନା ପାଇଁ ବିଧାନସଭାକୁ ୨୯ ଯାଏ ମୁଲତବି କରାଯାଉ । ୩୦ରେ ଆଜିଠୁ ଆଲୋଚନା ହେବାକୁ ଥିବା ସମସ୍ତ ବିଭାଗର ଖର୍ଚ୍ଚଦାବିକୁ ଗିଲୋଟିନରେ ପାରିତ କରିବାକୁ ଗୃହ ସମ୍ମତି ଦେଉ ବୋଲି ତାଙ୍କ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ବିଜେଡି ଓ କଂଗ୍ରେସ ଏ ପ୍ରସ୍ତାବକୁ ସମର୍ଥନ ଦେଇଥିଲେ । ବିଜେପି କିନ୍ତୁ ଏହାର ବିରୋଧ କରିଥିଲା । ଏପରିକି ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଆସନ ନିକଟକୁ ଆସି ହୋହଲ୍ଲା କରିଥିଲେ । ଏହାପରେ ଗୃହର ମତ ନିଆଯାଇ ବାଚସ୍ପତି ଗୃହକୁ ୨୯ ଯାଏ ମୁଲତବି ରଖିଥିଲେ ।
ଅପରାହ୍ନରେ କରୋନା ନେଇ ସଚେତନତା ପାଇଁ ବିଧାନସଭା ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି, ମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତା ଓ ବିଧାୟକମାନେ ଉପସ୍ଥିତ ଥିଲେ । ଏ ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ସଚିବ ଅସିତ ତ୍ରିପାଠୀ କରୋନା ରୋଗର ସୂଚନା ଦେବା ସହ ଆତଙ୍କିତ ନହୋଇ ପରିଷ୍କାର ପରିଚ୍ଛନ୍ନ ରହିବା ଉପରେ ଜୋର ଦେଇଥିଲେ । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କରୋନା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି ନେଇ ସମସ୍ତଙ୍କୁ ବୁଝାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ ସାବୁନରେ ହାତ ଧୋଇ ରାଜ୍ୟବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।
ବିଧାନସଭା ମୁଲତବିକୁ କିନ୍ତୁ ସଂକଳ୍ପ ଆଲୋଚନା ବେଳେ ଜୋରଦାର ବିରୋଧ କରିଥିଲା ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଲେ, ପାର୍ଲାମେଣ୍ଟ ଏବେ ବି ଚାଲିଛି । ଓଡ଼ିଶାରେ ଜଣେ ହେଲେ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ସରକାର କିନ୍ତୁ ସଂଖ୍ୟାବଳରେ ବିଧାନସଭାକୁ ବନ୍ଦ କରିବା ଠିକ୍ ନୁହେଁ । ବଜେଟ୍ ବ୍ୟୟବରାଦ ନେଇ ଗୃହରେ ଆଲୋଚନା ହେବାର ଆବଶ୍ୟକତା ରହିଛି । ୟେସ୍ ବ୍ୟାଙ୍କ ଓ ଚିଟଫଣ୍ଡ ଆଲୋଚନା ବଦନାମ ଭୟରେ ସରକାର ପଳାୟନପନ୍ଥୀ ସାଜୁଛନ୍ତି । ବିଧାନସଭା ବନ୍ଦ କରି ସରକାର ଲୋକଙ୍କୁ ଭୟଭୀତ କରାଉଛନ୍ତି ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କିନ୍ତୁ ପ୍ରସ୍ତାବକୁ ସମର୍ଥନ ଦେଇଥିଲେ । ସେ କହିଲେ, ପ୍ରଥମ ଥର ପାଇଁ ସରକାର ବିରୋଧୀଙ୍କ ସହଯୋଗ ମାଗିଛନ୍ତି । ବିପଦ ମାଡ଼ିଆସୁଛି । ଆଗକୁ ଆର୍ଥିକ ସଂକଟ ଆସିପାରେ । ବିରୋଧୀ ଦଳ କେବଳ ବିରୋଧ କଲେ ହେବନି । ଆସନ୍ତୁ ସମସ୍ତେ ମିଶି ଉଦ୍ୟମ କରିବା । ମଣିଷ ଜୀବନର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିବା । ଶାସକ ଦଳ ସଭ୍ୟ ଦେବୀ ପ୍ରସାଦ ମିଶ୍ର କହିଲେ, ସମଗ୍ର ବିଶ୍ୱରେ ଏବେ ସଂଗୀନ୍ ଅବସ୍ଥା । ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ନବୀନ ସରକାର ପଳାୟନପନ୍ଥୀ ନୁହନ୍ତି ।
ବିଜେପି ସଭ୍ୟ ବିଷ୍ଣୁ ଚରଣ ସେଠୀ ଅଭିଯୋଗ କଲେ ଯେ ବିରୋଧୀ ଦଳକୁ ସରକାର କାହିଁକି ବିଶ୍ୱାସକୁ ନେଉନାହାନ୍ତି । ଯଦି ଗୃହ ଆଗୁଆ ବନ୍ଦ କରିବାର ଥିଲା ତେବେ କାର୍ଯ୍ୟ ପରାମର୍ଶଦାତା ବୈଠକ କାହିଁକି ଡକାଗଲାନି? ବିଜେପି ସଭ୍ୟ ଜୟନାରାୟଣ ମିଶ୍ର ପ୍ରସ୍ତାବକୁ ବିରୋଧ କରି ସରକାର ପଳାୟନପନ୍ଥୀ ବୋଲି କହିଥିଲା ବେଳେ ଶାସକ ଦଳ ବିଧାୟକ ଅମର ଶତପଥୀ ଓ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ପ୍ରସ୍ତାବକୁ ସମର୍ଥନ ଦେଇଥିଲେ । ବିଜେପି ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ୟେସ୍ ବ୍ୟାଙ୍କ କେଳେଙ୍କାରୀକୁ ଡରି ସରକାର ଗୃହକୁ ଆଗୁଆ ବନ୍ଦ କରୁଛନ୍ତି ।
ଶାସକ ସଭ୍ୟ ପ୍ରଦୀପ କୁମାର ମହାରଥୀ କହିଲେ, ବିଜେପିର ଦୋମୁହାଁ ନୀତି ଆଜି ପଦାରେ ପଡ଼ିଛି । କରୋନା ମୁକାବିଲା ପାଇଁ ନବୀନଙ୍କ ନିଷ୍ପତ୍ତିକୁ ଇତିହାସ ମନେ ରଖିବ । ଆମେ ଆଲୋଚନା ବିଧାନସଭା ପୁଣି ଚାଲିଲେ କରିବା । ମଣିଷ ଜୀବନ ହେଉଛି ମୂଲ୍ୟବାନ । ପ୍ରାକୃତିକ ଦୁର୍ବିପାକ ମୁକାବିଲା ଭଳି ମୁଖ୍ୟମନ୍ତ୍ରୀ କରୋନା ପାଇଁ ଆଗୁଆ ସତର୍କ ପଦକ୍ଷେପ ନେଉଛନ୍ତି । ଏହା ହେଉଛି ଐତିହାସିକ ନିଷ୍ପତ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ, ସାରା ବିଶ୍ୱରେ କରୋନା ଆତଙ୍କ ଆଣିଛି । ସାଢେ଼ ୪ କୋଟି ଓଡ଼ିଆଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ପଦକ୍ଷେପ ନେଉଛନ୍ତି । ତେଣୁ ବିଧାନସଭାକୁ ୨୯ ଯାଏ ମୁଲତବି ରଖାଯାଉ । ଏ ସମୟରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଗଣତନ୍ତ୍ରର ହତ୍ୟାକାରୀ ବିଜେଡି ସରକାର ହାଏ ହାଏ ବୋଲି ସ୍ଲୋଗାନ ଛାଡ଼ିଲେ । ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ବାଚନିକ ଭୋଟ ଗ୍ରହଣ କରି ପ୍ରସ୍ତାବ ପାରିତ ହେଲା । ୨୯ ଯାଏ ବିଧାନସଭା ମୁଲତବି ରହିଲା ବୋଲି ଘୋଷଣା କଲେ ।
Comments are closed, but trackbacks and pingbacks are open.