ହାରିଲା କରୋନା,ଜିତିଲେ ହରିହର

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ସମସ୍ତେ ଜାଣିଛନ୍ତି କରୋନା ଦ୍ୱିତୀୟ ଲହରୀ ଅଧିକ ମାରାତ୍ମକ । ଶରୀରରେ ଅମ୍ଲଜାନସ୍ତର ସାଂଘାତିକ ଭାବେ ହ୍ରାସ କରିଦେବା ସହ ରୋଗୀଙ୍କ ଅବସ୍ଥା ଜଟିଳ କରିପକାଏ । ଏଥିପାଇଁ ଏବେ ପୂର୍ବାପେକ୍ଷା ଅଧିକ ସମୟ ଚିକିତ୍ସାର ଆବଶ୍ୟକତା ପଡୁଛି । ହେଲେ ବ୍ରହ୍ମପୁର ଉପକଣ୍ଠ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଏକ ଉତ୍ସାହଜନକ ଖବର । ଗୁରୁତର ଅବସ୍ଥାରେ ଆଡ୍ମିଟ୍ ହୋଇ ସୁଦ୍ଧା ଜଣେ ରୋଗୀ ମାତ୍ର ୧୦ ଦିନରେ କରେନାକୁ ମାତ୍ ଦେଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମଙ୍ଗଳବାର ଡିସ୍ଚାର୍ଜ ହୋଇଛନ୍ତି । ଖୁସି ମନରେ ଘରକୁ ଫେରିଛନ୍ତି । ଦୃଢ଼ ମନୋବଳ ହିଁ ତାଙ୍କୁ ମହାମାରୀକୁ ମାତ୍ ଦେବାରେ ସହାୟକ ହୋଇପାରିଛି ବୋଲି କୁହାଯାଉଛି । ଉକ୍ତ ରୋଗୀ ଏନ୍.ହରିହର ରେଡ୍ଡୀଙ୍କ ପାଇଁ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି ।
ହରିହର ଗତ ୨୪ ତାରିଖରେ ଗୁରୁତର ଅବସ୍ଥାରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍କୁ ଆସିଥିଲେ । ପ୍ରାୟ ୧୦ ଦିନ କାଳ ସେ ଭେଣ୍ଟିଲେଟର୍ରେ ରହି ଚିକିତ୍ସିତ ହେଉଥିଲେ । ଡାକ୍ତରମାନେ ସମସ୍ତ ପ୍ରୟାସ ଚଳାଇଥିଲେ । ଗୋଟିଏ ପଟେ ଡାକ୍ତରଙ୍କ ଚିକିତ୍ସା ଆରପଟେ ହରିହରଙ୍କ ମଜୁବତ୍ ଆତ୍ମବିଶ୍ୱାସ ଆଗରେ ହାର ମାନିଛି ମହାମାରୀ କୋଭିଡ୍- ୧୯ । ମଙ୍ଗଳବାର ସେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏଥିପାଇଁ ଟିମ୍ ଗଞ୍ଜାମ ତଥା ଡାକ୍ତରମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ ।
ତେବେ ଏହା ପ୍ରଥମ କଥା ନୁହେଁ । ଗତ ମାସ ୨୯ ତାରିଖରେ ମଧ୍ୟ ଏମ୍କେସିଜି କୋଭିଡ୍ ହସ୍ପିଟାଲ୍ରୁ ମହାମାରୀ ସହ ସଂଘର୍ଷର ଏକ ପ୍ରେରଣାଦାୟୀ କାହାଣୀ ପଦାକୁ ଆସିଥିଲା । ଭଦ୍ରକର ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଛାତ୍ର ଅଭିଜିତ ବାରିକ କୋଭିଡ୍ ଶଯ୍ୟାରେ ମଧ୍ୟ ତାଙ୍କ ପାଠପଢ଼ା ସ୍ୱାଭାବିକ ଭାବେ ଜାରି ରଖିଥିଲେ । ପ୍ରତିକୂଳ ପରିବେଶ, ମହାମାରୀର ଚିକିତ୍ସା ସତ୍ତେ୍ୱ ସେ ନିଜ ମନୋବଳ ମଜବୁତ କରି ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ଗଞ୍ଜାମ ଜିଲ୍ଲାପାଳ ନିଜେ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ ବେଳେ ଏହି ଦୃଶ୍ୟ ଦେଖି ତାହାକୁ ଟ୍ୱିଟ୍୍ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons