ହାରିଲା କରୋନା, ଜିତିଲେ ୯୦ ବର୍ଷର ବୃଦ୍ଧ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): କରୋନା ହାରିଲା । ୯୦ ବର୍ଷୀୟ ବୃଦ୍ଧ ଜିତିଲେ । ରାୟଗଡା ଜିଲ୍ଲାର କରୋନା ହଟସ୍ପଟ ଭାବେ ଚର୍ଚ୍ଚାରେ ଥିବା ଗୁଣପୁର ବ୍ଲକର ସିରିଝୋଲି ପଞ୍ଚାୟତ ବିଜୟପୁର ଗାଁରୁ ଆସିଛି ଏହି ଖବର । ବୃଦ୍ଧ ହେଲେ ଗାଁର ନିମାଲା ନାରାୟଣ । ଦୀର୍ଘ ୧୫ ଦିନ ଧରି ମୃତୁ୍ୟ ସହ ସଂଗ୍ରାମ କରିବା ପରେ ନୂଆ ଜୀବନ ପାଇଛନ୍ତି ସେ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବରୁ ଥିବା ତାଙ୍କ ଦୁର୍ବଳପଣିଆ ମଧ୍ୟ ଦୂର ହୋଇଯାଇଛି । ଏବେ ସେ ବାହାରେ ଚଲାବୁଲା କରୁଛନ୍ତି । ଏହି ଖବର ପ୍ରଚାରିତ ହେବାପରେ କରୋନା ମୁକାବିଲା ଦିଗରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମନବଳ ଆଣ୍ଟ ହୋଇଛି । ଉତ୍ସାହ ବୃଦ୍ଧି ପାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କରୋନା ସଂକ୍ରମିତ ହେବାପରେ ଗତ ୨ ତାରିଖ ରାତିରେ ନାରାୟଣଙ୍କୁ ପ୍ରଥମେ ସ୍ଥାନୀୟ କୋଭିଡ୍ କେୟାର ସେଣ୍ଟରକୁ ନେଇଥିଲା ସ୍ୱାସ୍ଥ୍ୟ ବିଭାଗ । ସେଠାରୁ ତାଙ୍କୁ ଜିଲ୍ଲା କୋଭିଡ-ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକରେ ଥିବା ଏକ କୋଭିଡ-୧୯ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅତ୍ୟଧିକ କଷ୍ଟ ଅନୁଭବ କରୁଥିବାରୁ ତାଙ୍କ ଉପରୁ ପରିବାର ଲୋକେ ଆଶା ଛାଡ଼ି ଦେଇଥିଲେ । ନାରାୟଣ ମୃତୁ୍ୟସହ ସଂଗ୍ରାମ କରୁଥିବା କହିଥିଲେ ପରିବାର ଲୋକେ । ପରବର୍ତ୍ତୀ ସମୟରେ ନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । ଧୀରେ ଧୀରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ଗତ ୧୪ରେ ତାଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ଘରକୁ ଛାଡିଥିଲେ । ଏବେ ସେ ସ୍ୱାଭାବିକ ଜୀବନ ଜିଉଁଛନ୍ତି । ନିମାଲା ନାରାୟଣଙ୍କୁ ସ୍ୱୟଂ ନାରାୟଣ ବଞ୍ଚାଇ ଦେଲେବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଖବର ବିଭିନ୍ନ ମହଲରେ ଆଶ୍ୱସ୍ତି ଆଣି ଦେଇଛି ।
ସୂଚନାଥାଉକି, ବିଜୟପୁର ଗାଁରୁ ପ୍ରଥମେ ଗୋଟିଏ ପରିବାରର ୩ ଜଣ ଆକ୍ରାନ୍ତ ହୋଇଥିଲେ । ଏମାନଙ୍କ ସଂସ୍ପର୍ଶରେ ଆସି ଆଉ ୧୩ ଜଣ ସଂକ୍ରମିତ ହୋଇଥିଲେ । ଗତମାସ ୨୭ରେ ଗାଁର ସମସ୍ତ ପରିବାର ସଦସ୍ୟଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ଚଳିତ ମାସ ୨ ତାରିଖରେ ୭୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ନିମାଲା । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିବା କାରଣରୁ କରୋନା ଶରୀରକୁ ଅଧିକ କ୍ଷତି ପହଞ୍ଚାଉଥିବା କୁହାଯାଉଛି । ଏଥିପାଇଁ ଏବେ ଘରେ ଘରେ ବିଭିନ୍ନ ପ୍ରକାରର କାଢା, ହଳଦୀ ମିଶା କ୍ଷୀର, ଭିଟାମିନ ବଟିକା ଆଦିର ବହୁଳ ବ୍ୟବହାର କରାଯାଉଛି । ଏଲୋପ୍ୟାଥିକ ଅପେକ୍ଷା ଆର୍ୟୁବେଦିକ ଏବଂ ହୋମିଓପ୍ୟାଥିକ ଉପରେ ଲୋକେ ଅଧିକ ବିଶ୍ୱାସ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons