ହିଜ୍ବୁଲ୍ କମାଣ୍ଡର ରିୟାଜ ନିପାତ

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲା ଅନ୍ତର୍ଗତ ହନ୍ଦୱାଡ଼ାରେ ସଂଘଟିତ ଆତଙ୍କୀ ହମ୍ଲାର ଆଜି ପ୍ରତିଶୋଧ ନେଇଛି ଭାରତୀୟ ସେନା । ବୁଧବାର ସକାଳେ ସେନା ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୁଲୱାମା ଜିଲ୍ଲା ଅୱନ୍ତିପୋରାରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା । ଶେଷରେ ଏନ୍କାଉଣ୍ଟରରେ ହିଜ୍ବୁଲ୍ କମାଣ୍ଡର ରିୟାଜ ଅହମ୍ମଦ ନାଇକୁ ଏବଂ ଔୱେସ ହିଜ୍ବି ଟଳିପଡ଼ିଛନ୍ତି । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ରିୟାଜ ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ସେନାର ହିଟ୍ଲିଷ୍ଟରେ ତାକୁ ଏ ଶ୍ରେଣୀରେ ରଖାଯାଇଥିଲା ।
ଗତ ୨ ତାରିଖ ବିଳମ୍ବିତ ରାତିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୫ ଜଣ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ଓ ଜଣେ ମେଜର ଥିଲେ । ଏହି ଘଟଣା ପରେ ହନ୍ଦୱାଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ଅପରେସନ ଜୋରଦାର କରାଯାଇଥିଲା । ସେଠାରେ ଆହୁରି ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ସିଆର୍ପିଏଫ୍ ଏବଂ ପୁଲିସକୁ ନେଇ ଏକ ବଡ଼ ଟିମ୍ ଗଠିତ ହୋଇଥିଲା । ଏହି ଟିମ୍ କର୍ଡନ ପ୍ରସ୍ତୁତ କରି ଅପରେସନ ଆରମ୍ଭ କରିଥିଲା । ଅୱନ୍ତିପୋରାର ଦକ୍ଷିଣାଅଂଶରେ ଥିବା ଖ୍ରିଉ ପାମ୍ପୋରସ୍ଥିତ ଶାର୍ସାଲି ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ମଙ୍ଗଳବାର ରାତି୍ରରୁ ଘଣ୍ଟା ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ପ୍ରଥମେ ଆତଙ୍କୀ ରିୟାଜ ନାଇକୁ ନିପାତ ହୋଇଥିଲା, ଯାହା କି ହିଜବୁଲ ମୁଜାହିଦ୍ଧିନ ପାଇଁ ଏକ ବଡ଼ ଧକ୍କା । ଏହାପରେ ଆଉଜଣେ ଆତଙ୍କୀ ସେନା ଗୁଳିରେ ଟଳିପଡ଼ିଥିଲା । ତଥାପି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି ।
କାଶ୍ମୀର ଘାଟିରେ ଏନ୍କାଉଣ୍ଟରରେ ନିପାତ ହୋଇଥିବା ହିଜ୍ବୁଲ୍ ମୁଜାହିଦ୍ଧିନ୍ର ପ୍ରମୁଖ କମାଣ୍ଡର ରିୟାଜ ନାଇକୁ ଉପରେ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ବୁରହାନ୍ ୱାନିର ନିପାତ ପରେ ରିୟାଜ ଘାଟିରେ ହିଜ୍ବୁଲ୍ର ମଙ୍ଗ ସମ୍ଭାଳିଥିଲା । ଗଣିତ ଶିକ୍ଷକରୁ ସେ ଆତଙ୍କବାଦୀ ସାଜିଥିଲା । ରିୟାଜ (୩୫) ସ୍ୱଳ୍ପ ବୟସରୁ ହିଜ୍ବୁଲ୍ର ପ୍ରମୁଖ ଅଂଶ ପାଲଟିଯାଇଥିଲା । ପୁଲିସ ଅଧିକାରୀଙ୍କ ପରିବାର ଲୋକଙ୍କୁ ଅପହରଣ କରିବା ତା’ର ଏକ ପ୍ରମୁଖ କାମ ଥିଲା । ରିୟାଜ ଦାୟିତ୍ୱ ନେବା ପରେ ହିଜ୍ବୁଲ୍ ଆହୁରି ଭୟାନକ ହୋଇଯାଇଥିଲା । ନିଜକୁ ଉପସ୍ଥାପନ କରି ସେ ଜମ୍ମୁ-କାଶ୍ମୀରର ଅନେକ ଯୁବକଙ୍କ ପାଇଁ ଆଦର୍ଶ ପାଲଟି ଯାଇଥିଲା । ତା’ର ବ୍ୟକ୍ତିତ୍ୱ ଏବଂ କ୍ଷମତାକୁ ଦେଖି କେତେକ ଯୁବକ ଆତଙ୍କବାଦୀ ସାଜିଥିବା କୁହାଯାଉଛି ।
ଗତବର୍ଷ ରିୟାଜ୍ର ପିତା ଏକ ସାକ୍ଷାତକାର ଦେଇଥିଲେ । ସେ କହିଥିଲେ, ତାଙ୍କ ପୁଅ ଇଞ୍ଜିନିୟର ହେବାକୁ ଚାହୁଁଥିଲା । ତା’ର ଗଣିତ ଭଲ ହେଉଥିଲା ଏବଂ ନିର୍ମାଣ କାମରେ ତା’ର ଅଧିକ ରୁଚି ଥିଲା । ସେ ଯେଉଁଦିନ ହିଜ୍ବୁଲ୍ରେ ସାମିଲ ହେବା ନେଇ ଖବର ଆସିଲା, ସେହିଦିନ ହିଁ ସେ ପରିବାର ପାଇଁ ମରିଗଲା ବୋଲି ତାଙ୍କ ପିତା କହିଛନ୍ତି । ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସେ ୬୦୦ରୁ ୪୬୪ ମାର୍କ ରଖିଥିଲା । ଘରୋଇ ସ୍କୁଲରେ ସେ ଗଣିତ ବି ପଢ଼ାଉଥିଲା । କିନ୍ତୁ ହଠାତ୍ ସ୍କୁଲ ଟିଚରରୁ ସେ ଆତଙ୍କବାଦୀ ବନିଯାଇଥିଲା । ୨୦୧୬ରେ ଆତଙ୍କୀ ବୁରହାନ ୱାନିର ମୃତୁ୍ୟ ପରେ ରିୟାଜ ନାଇକୁ ସାମ୍ନାକୁ ଆସିଥିଲା । ଏହାପରେ ସେ ଅନେକ ଆକ୍ରମଣ, ଅପହରଣ ଘଟଣା ଭିଆଇଥିଲା । ଅନେକ ଥର ସେନା ଓ ପୁଲିସ ହାତରୁ ସେ ବର୍ତ୍ତିଯିବାରେ ସମର୍ଥ ହେଉଥିଲା । ଗତବର୍ଷ ରିୟାଜ୍ର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଭିଡିଓରେ ସେ କାଶ୍ମୀର ପଣ୍ଡିତମାନଙ୍କୁ ଘାଟିକୁ ଫେରିଆସିବାକୁ କହିଥିଲା । ସେମାନେ (ଆତଙ୍କୀ) ପଣ୍ଡିତମାନଙ୍କର ଶତ୍ରୁ ନୁହନ୍ତି ବୋଲି ସେ କହିଥିଲା ।
ରିୟାଜ ନାଇକୁ ଅତି ଚତୁର ଆତଙ୍କୀ ଥିଲା । କୁହାଯାଉଛି ଯେ ସେ ନିଜର ଘର ପର୍ଯ୍ୟନ୍ତ ଯିବା ଆସିବା ପାଇଁ ସୁଡ଼ଙ୍ଗ ନିର୍ମାଣ କରିଥିଲା । ସେ କାହା ଉପରେ ଭରସା କରୁ ନଥିବାରୁ ଖୁବ୍ କମ୍ ଲୋକଙ୍କୁ ଏ ସଂପର୍କରେ ଜଣାଥିଲା । ସେନା ପକ୍ଷରୁ ମଙ୍ଗଳବାର ତା’ର ଘରକୁ ଘେରାଉ କରାଯାଇଥିଲା । କିନ୍ତୁ ଗୁଳିମାଡ଼ ହୋଇନଥିଲା । ରିୟାଜ ଫେରାର ହୋଇଯାଇଥିବା ନେଇ ସେନାକୁ ସନେ୍ଦହ ହେବାରୁ କିଛି ଲୋକ ତା’ର ଘରୁ ଆରମ୍ଭ ହୋଇଥିବା ସୁଡ଼ଙ୍ଗ ଦେଇ ସେ ପଳାଇଥାଇପାରେ ବୋଲି ସୂଚନା ଦେଇଥିଲେ । ଏହାପରେ ସେନା ପକ୍ଷରୁ ଜେସିବି ମଗାଯାଇଥିଲା । ସେହି ଅଞ୍ଚଳର ଆଖପାଖରେ ଥିବା ଚାଷଜମି ଓ ରେଲ ଧାରଣା ଖୋଳାଯାଇଥିଲା । ସେଠାରେ ମାଟି ଭିତରେ ଥିବା ସୁଡ଼ଙ୍ଗଗୁଡ଼ିକୁ ସନ୍ଧାନ କରାଯାଇଥିଲା । ବିଳମ୍ୱିତ ରାତିରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ସେହି ଅଞ୍ଚଳରୁ ଘେରାଉକୁ ହଟାଯାଇ ନଥିଲା । ଶେଷରେ ଆଉ ଖସିଯିବାର ରାସ୍ତା ନାହିଁ ବୋଲି ଅନୁଭବ କରିବା ପରେ ନାଇକୁ ଆଜି ସକାଳ ପ୍ରାୟ ୯ଟାରେ ଗୁଳିମାଡ଼ ଆରମ୍ଭ କରିଥିଲା । ପରେ ସେନାର ଜବାବୀ ଗୁଳିମାଡ଼ରେ ତା’ର ମୃତୁ୍ୟ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons