ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ହିମାଚଳ ପ୍ରଦେଶ ହମିରପୁର ସ୍ଥିତ ଏନ୍ଆଇଟିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଓଡ଼ିଆ ଯୁବକ ପ୍ରିୟଦର୍ଶୀ ବିପ୍ଳବ କୁମାର(୨୮)ଙ୍କର ଗତ ରବିବାର ଦିନ ସନେ୍ଦହଜନକ ଭାବେ ମୃତୁ୍ୟ ହୋଇଛି । ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ସନେ୍ଦହ କରୁଥିବା ବେଳେ ଚଣ୍ଡିଗଡ଼ ପୁଲିସ ତାଙ୍କର କରୋନାରେ ମୃତୁ୍ୟ ହୋଇଥିବା ସଫେଇ ଦେଇଛି । ବିପ୍ଳବଙ୍କ ଶେଷ ଦର୍ଶନ ଲାଗି ସାନଭାଇ ଓ ଭିଣୋଇ ହମିରପୁର ଯାଇଥିଲେ ମଧ୍ୟ ସେମାନଙ୍କୁ ଶବ ଦେଖିବାକୁ ଦିଆଯାଇନଥିଲା କି ସେମାନେ ତାଙ୍କ ଫଟୋ ମଧ୍ୟ ଉଠାଇ ପାରିନଥିଲେ । ଅପରପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ କିଛି ଦିନ ପରେ ଘରେ ପହଞ୍ଚିବ ବୋଲି ଚଣ୍ଡିଗଡ଼ ପୁଲିସ କହିଛି । ଯାହାକି ବିପ୍ଳବଙ୍କ ମୃତୁ୍ୟ ଘଟଣାକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଛି ।
ବ୍ରହ୍ମଗିରି ବ୍ଲକ୍ ବେଣ୍ଟପୁର ଗ୍ରାମର ବରିÂ ଶିକ୍ଷକ ବିଦ୍ୟାଧର ପ୍ରଧାନଙ୍କ ପୁଅ ପ୍ରିୟଦର୍ଶୀ ବିପ୍ଳବ କୁମାର ଜଣେ ମେଧାବୀ ଛାତ୍ର ଭାବରେ ଖ୍ୟାତି ଅର୍ଜନ କରିଥିଲେ । ରାଉରକେଲା ଏନ୍ଆଇଟିରେ ଏମ୍ଟେକ୍, ପିଏଚ୍ଡି ଡିଗ୍ରୀ ହାସଲ ପରେ ୨୭ ବର୍ଷ ବୟସରେ ୨୦୧୯ ମସିହାରେ ସେ ହିମାଚଳପ୍ରଦେଶ ହମିରପୁର ଏନ୍ଆଇଟିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଥିଲେ । କରୋନା କଟକଣା ସମୟରେ ସେ ବ୍ରହ୍ମଗିରି ଆସିପାରିନଥିଲେ । କିଛିଦିନ ତଳେ କଟକଣା କୋହଳ ହେବାରୁ ବିପ୍ଳବ ଘରକୁ ଆସିଥିଲେ । ତେବେ ହିମାଚଳ ପ୍ରଦେଶ ହମିରପୁର ସ୍ଥିତ ଏନ୍ଆଇଟିରୁ ଫୋନ୍ ଆସିବା ପରେ ଗତ ଅଗଷ୍ଟ ମାସ ୨୩ ତାରିଖରେ ସେ ସେଠାକୁ ଫେରି ଯାଇଥିଲେ । କୋଭିଡ ନିୟମ ଅନୁସାରେ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡ଼ିଥିଲା । ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବା ପରେ ସେପ୍ଟେମ୍ବର ୬ ତାରିଖରେ ସେ କର୍ମକ୍ଷେତ୍ରରେ ଯୋଗ ଦେଇଥିଲେ । ସେହିଦିନ ଦ୍ୱିପ୍ରହରରେ ସେ ତାଙ୍କ ମା’ଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ନିଜକୁ ଅସୁସ୍ଥ ଥିବା ଦର୍ଶାଇ ପରେ କଥା ହେବି କହି ଫୋନ୍ କାଟି ଦେଇଥିଲେ ବୋଲି ତାଙ୍କ ମା’ ପ୍ରକାଶ କରିଛନ୍ତି । ଘଟଣା ଦିନ ପ୍ରିୟଦର୍ଶୀ ସଂଧ୍ୟା ପର୍ଯ୍ୟନ୍ତ ଘରୁ ନ ବାହାରିବାରୁ ସାଙ୍ଗମାନେ ବହୁ ଡକାଡକି କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ସନେ୍ଦହ ହେବାରୁ ସେମାନେ କବାଟ ଭାଙ୍ଗି ପ୍ରିୟଦର୍ଶୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେତେବେଳେ ତାଙ୍କ ନାକ ଓ କାନରୁ ରକ୍ତସ୍ରାବ ହେଉଥିଲା । ସାଙ୍ଗମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ସେମାନେ ବିପ୍ଲବଙ୍କ ପରିବାର ଲୋକଙ୍କୁ ଫୋନ୍ରେ ଜଣାଇଥିଲେ । ଏଥିରେ ବିଚଳିତ ହୋଇ ବିପ୍ଳବଙ୍କ ସାନଭାଇ ଓ ଭିଣୋଇ ହମିରପୁର ଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଶବ ଦେଖିବାକୁ ଦେଇ ନଥିଲା । ତେଣୁ ବିପ୍ଳବଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସନେ୍ଦହ କରୁଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେବା ସହ ଏହି ଘଟଣା ତଦନ୍ତସାପେକ୍ଷ ବୋଲି କହିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ବ୍ରହ୍ମଗିରି ଐତିହ୍ୟ ପରିଷଦର ସଭାପତି କାଶିନାଥ ନାୟକ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.