ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ପ୍ରଥମ ଅନ୍ତର୍ଜାତୀୟ ଜୁନିୟର୍ ହ୍ୟାଣ୍ଡ୍ବଲ୍ ଖେଳାଳି ବି.ସନ୍ଦୀପ କୁମାର ପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡ୍ବଲ୍ ସଂଘ ପକ୍ଷରୁ ରବିବାର ସମ୍ବର୍ଦ୍ଧିତ କରାଯାଇଛି । ଗତ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ୱିଡେନ୍ର ଗୁଟେନ୍ବର୍ଗ ଠାରେ ଆୟୋଜିତ ୫୦ତମ ଅନ୍ତର୍ଜାତୀୟ ପାର୍ତ୍ତିଲେ କପ୍ରେ ଅଂଶଗ୍ରହଣ କରିଥିଲେ ସନ୍ଦୀପ । ପ୍ରତିଯୋଗିତାରେ ଜର୍ମାନୀ (ଟିମ୍-ଏ) ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ୨୦- ୧୭ ପଏଣ୍ଟ୍ରେ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଫ୍ରାନ୍ସ ସହ ୧୨- ୧୨ ପଏଣ୍ଟ୍ରେ ଡ୍ର ରଖିଥିଲା ।
ତୃତୀୟ ମ୍ୟାଚ୍ରେ ଆୟୋଜକ ଦଳ (ଟିମ୍-ଏ) ବିରୋଧରେ ୨୩-୧୯ରେ ପରାଜିତ ହୋଇଥିବା ବେଳେ ଚତୁର୍ଥ ପ୍ରତିଦ୍ୱନ୍ଦ୍ୱିତାରେ ସ୍ୱିଡେନ୍ (ଟିମ୍-ବି) ବିପକ୍ଷରେ ୨୮-୨୦ରେ ପରାଜିତ ହୋଇଥିଲା । ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ସ୍ପେନ୍ ଓ ବାଂଲାଦେଶ ବିରୋଧରେ ଭାରତ ଯଥାକ୍ରମେ ୧୬-୧୭ ଏବଂ ୦-୧୦ ପଏଣ୍ଟ୍ରେ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ମ୍ୟାଚ୍ରେ ଜର୍ମାନୀ (ଟିମ୍-ବି)କୁ ୧୯-୨୦ ପଏଣ୍ଟ୍ରେ ହରାଇ କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚିଥିଲା । ଭାରତ ୮ ବର୍ଷରେ ପ୍ରଥମ ଥର କ୍ୱାର୍ଟର ଫାଇନାଲ୍କୁ କ୍ୱାଲିଫାଏ କରିଥିଲା । ଯଦିଓ କ୍ୱାର୍ଟର୍ରେ ବେଲଜିୟମ୍ ବିରୋଧରେ ୨୮-୨୧ ପଏଣ୍ଟ୍ରେ ପରାଜିତ ହୋଇଥିଲା ଭାରତ ତଥାପି ୮ଟିରୁ ୬ଟି ମ୍ୟାଚ୍ରେ ସନ୍ଦୀପ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇ ପଡ଼ିଆକୁ ଓହ୍ଲାଇଥିଲେ । ସେ ମୋଟ ୯ଟି ଗୋଲ୍ ସ୍କୋର୍ କରିଥିଲେ ।
ରବିବାର ଚର୍ଚ୍ଚରୋଡ୍ସ୍ଥିତ ଦିଶା କଲେଜ ଅଫ୍ ସାଇନ୍ସ ଆଣ୍ଡ୍ କମର୍ସ ପରିସରରେ ଆୟୋଜିତ ସଭାରେ ଦିଶା କଲେଜର ସମ୍ପାଦକ ଦିନେଶ ମିଶ୍ର, ଚେୟାର୍ମ୍ୟାନ୍ ସୁଶାନ୍ତ ପାଳ, କର୍ମକର୍ତ୍ତା ମୁନା ଆଚାର୍ଯ୍ୟ, ସବ୍ୟସାଚୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଦୀପ ଏହି କଲେଜର ଛାତ୍ର ଅଟନ୍ତି । ସେହିପରି ଜିଲ୍ଲା ହ୍ୟାଣ୍ଡ୍ବଲ୍ ସଂଘର ସଭାପତି ଅଶୋକ ଶୁକ୍ଲା, ସମ୍ପାଦକ ସୁରେଶ ପାଢ଼ୀ, ପରାମର୍ଶଦାତା ପ୍ରକାଶ ପଣ୍ଡା, ଶକ୍ତିଧର ରାଜଗୁରୁ ପ୍ରମୁଖ ଓ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ସନ୍ଦୀପଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସନ୍ଦୀପ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ତାଲିମ ଗ୍ରହଣ କରି ଆସୁଛନ୍ତି । ସଭାରେ ସନ୍ଦୀପଙ୍କ ପିତା ବି.କେ.ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ସନ୍ଦୀପ କହିଥିଲେ ଯେ- ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ବେଶ୍ ଅଭିଜ୍ଞତା ହାସଲ କରିବା ସହ ନୂଆ କ୍ରୀଡ଼ାକୌଶଳ ଶିଖି ପାରିଛନ୍ତି । ବିଭିନ୍ନ ଦେଶର ଖେଳାଳି, କୋଚ୍ମାନଙ୍କ ସହ ଭାବ ବିନିମୟ କରି ପାରିଛନ୍ତି ଯାହାଦ୍ୱାରା ତାଙ୍କର ଖେଳକୌଶଳ ବିକଶିତ ହୋଇପାରିବ ।
ସନ୍ଦୀପ ପୂର୍ବରୁ ସବ୍ଜୁନିୟର୍ ନ୍ୟାସନାଲ୍ ଚାମ୍ପିଅନ୍ସିପ୍ (ଅକ୍ଟୋବର ୨୦୧୩- ଶ୍ରୀନଗର), ୪ଟି ଜୁନିୟର୍ ନ୍ୟାସନାଲ୍ ଚାମ୍ପିଅନ୍ସିପ୍ (୨୦୧୪- ଆସାମ, ଅକ୍ଟୋବର ୨୦୧୫- ଜାମସେଦପୁର, ନଭେମ୍ବର ୨୦୧୬-ପାଟନା ଏବଂ ଫେବ୍ରୁଆରୀ ୨୦୧୯-ମଣଇପୁର), ଦ୍ୱିତୀୟ ଏନ୍ସିସି ନ୍ୟାସନାଲ୍ ଗେମ୍ସ୍ (ଅକ୍ଟୋବର ୨୦୧୬, ଦିଲ୍ଲୀ) ଆଦି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ବ୍ରହ୍ମପୁରରେ ହୋଇଥିବା ଜୁନିୟର୍ ରାଜ୍ୟ ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତାରେ ମଧ୍ୟ ସେ ଅଂଶଗ୍ରହଣ କରି ଗଞ୍ଜାମ ଜିଲ୍ଲା ଦଳକୁ ଚାମ୍ପିଅନ୍ କରାଇଥିଲେ । ଫଳରେ ଏବେ ସେ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଭାରତୀୟ ଦଳରେ ସ୍ଥାନ ପାଇପାରିଥିଲେ ।
Comments are closed, but trackbacks and pingbacks are open.