‘ୟାସ୍’ରେ ୬୧୦ କୋଟିର କ୍ଷତି

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ୟାସ୍ ୬୧୦ କୋଟି ଟଙ୍କାର କ୍ଷତି କରିଛି । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ନଷ୍ଟ ହୋଇଛି । ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତି ମଧ୍ୟ କ୍ଷତି ହୋଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷାରୁ ଏହା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟାସ୍ର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ । ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ ସହ ଏହାର ଡକୁମେଣ୍ଟେସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଲୋକଙ୍କ ଧନଜୀବନ ସୁରକ୍ଷା କରିଛନ୍ତି । ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍ ସମୟ ମଧ୍ୟରେ କରାଯାଇପାରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ କାର୍ଯ୍ୟର ଡକୁମେଣ୍ଟେସନ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକୁମେଣ୍ଟେସନ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ସେ କହିଥିଲେ ।
ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାରେ ସମୁଦାୟ ୧୫୦ଟି ଗାଁରେ ଜଳମଗ୍ନ ହାଇଥିଲା । ସାମୁଦ୍ରିକ ଲୁଣିପାଣି ଯୋଗୁଁ ଫସଲ ମଧ୍ୟ କ୍ଷତି ହୋଇଛି । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁଯାୟୀ ପ୍ରଶାସନ ଜିରୋ କାଜୁଆଲଟି ଲକ୍ଷ୍ୟ ନେଇ କାମ କରିଥିଲା । ଏଥିରେ ପ୍ରାୟତଃ ସଫଳ ହୋଇଛି । ସେ କହିଥିଲେ ଯେ ଏଥିରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତିର କ୍ଷତି ହୋଇଛି । ସମୁଦାୟ କ୍ଷତିର ପରିମାଣ ହେଉଛି ୬୧୦ କୋଟି ଟଙ୍କା । ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ ।
କୃଷି ବିଭାଗର କ୍ଷୟକ୍ଷତି ସଂପର୍କରେ ଆଲୋକପାତ କରି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଥିଲେ ଯେ ସମୁଦ୍ରକୂଳ ପ୍ରଭାବିତ ଜିଲ୍ଲାଗୁଡିକରେ ଲୁଣି ପାଣି ମାଡି ଯିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି । ତେଣୁ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରିବା ପାଇଁ କୁହାଯାଇଛି । ଏହି ବୈଜ୍ଞନିକମାନେ ବର୍ତ୍ତମାନ ପ୍ରଭାବିତ ସ୍ଥାନରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ରିପୋର୍ଟ ଆସିବ ବୋଲି ସେ କହିଥିଲେ ।
ବିଭାଗୀୟ ସଚିବମାନେ ସେମାନଙ୍କ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଏଥିରେ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ । ଏଥିରେ ୯୯.୮ ପ୍ରତିଶତ ଉପଭୋକ୍ତାଙ୍କୁ ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି । ୨୩୦ଟି ଟ୍ରାନସଫର୍ମର ଆଜି ସୁଦ୍ଧା ବଦଳାଯାଇ ନୂଆ ଲଗାଯିବ ବୋଲି ସୂଚନା ଦିଆଯାଇଥିଲା ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା । ପଞ୍ଚାୟତିରାଜ ବିଭାଗ ଦର୍ଶାଇଛି ଯେ ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ମୁତୟନ କରାଯାଇଥିଲା । ଏହା ସାରା ଭାରତରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୂଚନା ଦିଆଯାଇଥିଲା । ମେ ୩୧ ସୁଦ୍ଧା ସମସ୍ତ ଟୁ୍ୟବୱେଲ ଓ ପାଇପୱାଟର ପ୍ରକଳ୍ପର ଜଳ ଉତ୍ସକୁ ବିଶୋଧନ କରାଯାଇଥିଲା । ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ ରାସ୍ତାର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୮ଟି ସହରାଞ୍ଚଳର ୫୮ଟି ସଡକ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ ଆଦି କ୍ଷତିର ସମ୍ମୁଖୀନ ହୋଇଛି । ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ଜଳସଂପଦ ବିଭାଗର ନଦୀ ବନ୍ଧ ଓ ରାସ୍ତାରେ ହୋଇଥିବା ଘାଇରେ ସମୁଦାୟ କ୍ଷତିର ପରିମାଣ ୧୦୮ କୋଟି ଟଙ୍କା । ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି । କ୍ଷତିର ପରିମାଣ ୭୫ କୋଟି ଟଙ୍କା । ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷତିର ପରିମାଣ ୬୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି ।
ବୈଠକରେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଆବଶ୍ୟକତା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons