ୟୁଏନ୍ଏସ୍ସିରେ ପାକିସ୍ତାନ ହତାଶ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିଥିବାରୁ ଏହା ବିରୋଧରେ ଜାତିସଂଘର ଦ୍ୱାରସ୍ଥ ହୋଇଥିବା ପାକିସ୍ତାନକୁ ଆଜି ଶକ୍ତ ଝଟ୍କା ଲାଗିଛି । ଚୀନ୍ ସହାୟତାରେ ପାକିସ୍ତାନ ଏହି ପ୍ରସଙ୍ଗ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍ଏସ୍ସି)ରେ ଅନୌପଚାରିକ ଭାବେ ଉଠାଇଥିଲେ ମଧ୍ୟ ହତାଶ ହେବାକୁ ପଡିଛି ।
ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସିଙ୍କ ଚିଠିକୁ ଆଧାର କରି ଆଜି ସନ୍ଧ୍ୟାରେ ୟୁଏନ୍ଏସ୍ସି ସଦସ୍ୟଙ୍କ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ୟୁଏନ୍ଏସ୍ସିର ସମସ୍ତ ୧୫ ସଦସ୍ୟଙ୍କ ମଧ୍ୟରୁ କେବଳ ଚୀନ୍କୁ ବାଦ୍ ଦେଲେ ପାକିସ୍ତାନକୁ ଅନ୍ୟ କେହି ସମର୍ଥନ କରି ନଥିଲେ । ଆମେରିକା, ରୁଷ ଓ ବ୍ରିଟେନ ଭଳି ରାଷ୍ଟ୍ର ଏହା ଭାରତ ଓ ପାକିସ୍ତାନର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଦର୍ଶାଇବା ସହ ଉଭୟ ଦେଶ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବେ ବୋଲି କହିଥିଲେ । ଜାତିସଂଘରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡିମିଟ୍ରି ପୋଲିନ୍ସ୍କି କହିଥିଲେ ଉଭୟ ଭାରତ ଓ ପାକିସ୍ତାନ ଆମର ଉତ୍ତମ ବନ୍ଧୁ । ଆମର କୌଣସି ଗୁପ୍ତ ଏଜେଣ୍ଡା ନାହିଁ । ଦୁଇଦେଶ ମଧ୍ୟରେ କିଭଳି ଉତ୍ତମ ସମ୍ପର୍କ ବଜାୟ ରହିବ ତାହା ଆମେ ଚାହୁଁ । ତେଣୁ କାଶ୍ମୀରକୁ ନେଇ ସେମାନଙ୍କ ମଧ୍ୟରେ ଯେଉଁ ବିବାଦ ଉପୁଜିଛି ଜାତିସଂଘ ଚାର୍ଟର ଅନୁସାରେ ୧୯୭୨ ସିମ୍ଲା ରାଜିନାମା ଓ ୧୯୯୯ ଲାହୋର ଘୋଷଣାନାମା ଆଧାରରେ ତାହାର ଆପୋଷ ସମାଧାନ କରିବା ଆବଶ୍ୟକ ।
ଯଦି ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥାନ୍ତା ତେବେ କାଶ୍ମୀର ପ୍ରସଙ୍ଗ ଉପରେ ୟୁଏନ୍ଏସ୍ସିରେ ଔପଚାରିକ ଆଲୋଚନା ହୋଇଥାନ୍ତା ଓ ତାହା ଉପରେ ଭୋଟିଂ କରାଯାଇଥାନ୍ତା । ତେବେ ଆଜିର ଏହି ଅନୌପଚାରିକ ବୈଠକରେ ଭାରତ କିମ୍ବା ପାକିସ୍ତାନର କୌଣସି ପ୍ରତିନିଧି ଯୋଗଦେଇ ନଥିଲେ କିମ୍ବା ଆଜିର ବୈଠକକୁ ୟୁଏନ୍ଏସ୍ସିର ରେକର୍ଡରେ ରଖାଯାଇନଥିଲା । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟେଦ ଆକବରୁଦ୍ଦିନ କହିଛନ୍ତି ଯେ ପ୍ରାୟ ୭୩ ମିନିଟ୍ ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ସଦସ୍ୟ ରାଷ୍ଟ୍ରମାନେ ଏକମତ ହୋଇଥିଲେ । ଆଜି ଆଉ ଏକ ଘଟଣାକ୍ରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫୋନ ଯୋଗେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କାଶ୍ମୀରରୁ ଧାରା ୩୭୦ ଉଠାଯିବା ଉପରେ କଥା ହୋଇଛନ୍ତି । ସେ ଦୀର୍ଘ ୨୦ ମିନିଟ ଧରି କଥା ହୋଇଥିଲେ ଏବଂ ଟ୍ରମ୍ପଙ୍କର ସହଯୋଗ ଲୋଡିଥିଲେ । ଟ୍ରମ୍ପ ମଧ୍ୟ ଆପୋସ ଆଲୋଚନା ଦ୍ୱାରା ଉଭୟ ଦେଶ ବିବାଦ ତୁଟାଇବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons