ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକ । ଏଥିରେ ଦଳର ନୂଆ ଅଧ୍ୟକ୍ଷ ନିଯୁକ୍ତି ପ୍ରମୁଖ ପ୍ରସଙ୍ଗ ରହିବ । ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧୀଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯିବ ତାକୁ ନେଇ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଲୋକସଭା ନିର୍ବାଚନରେ ଦଳ ଶୋଚନୀୟ ଭାବେ ପରାଜିତ ହେବା ପରେ ମେ ୨୫ରେ ଅନୁଷ୍ଠିତ ସିଡବ୍ଲ୍ୟୁସି ବୈଠକରେ ରାହୁଲ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ । ସେବେଠାରୁ ଦଳରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି । ନିକଟରେ ଦଳର ବରିଷ୍ଠ ନେତା ଶଶୀ ଥରୁର ଓ କରଣ ସିଂହ ମଧ୍ୟ ଅଧ୍ୟକ୍ଷ ପଦ ବହୁଦିନ ଧରି ଖାଲି ପଡିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହି କାରଣରୁ ଏହି ସିଡବ୍ଲ୍ୟୁସି ବୈଠକ ବେଶ ଗୁରୁତ୍ୱ ବହନ କରୁଛି ।
ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ କଂଗ୍ରେସ କମିଟି ମୁଖ୍ୟାଳୟରେ ଆସନ୍ତା ୧୦ ତାରିଖ ପୂର୍ବାହ୍ନ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଦଳର ସାଙ୍ଗଠନିକ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଗତ ସପ୍ତାହରେ ଦଳ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ବୁଧବାର ସଂସଦ ଅଧିବେଶନ ଶେଷ ହେବା ପରେ ସିଡବ୍ଲ୍ୟୁସି ବୈଠକ ବସିବ । ଦଳର ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେବା ପରେ ଏହା ହେବ ପ୍ରଥମ ସିଡବ୍ଲ୍ୟୁସି ବୈଠକ । ରାହୁଲ ସ୍ପଷ୍ଟ କରିଥିଲେ ଯେ ଗାନ୍ଧୀ ପରିବାରର କେହି ଦଳର ଅଧ୍ୟକ୍ଷ ହେବେ ନାହିଁ । ତଥାପି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦଳର ଅଧ୍ୟକ୍ଷ କରିବା ଲାଗି କେତେକ ମହଲରେ ଦାବି ଉଠିଛି । କଂଗ୍ରେସର ସମ୍ବିଧାନ ଅନୁସାରେ ଯଦି ଅଧ୍ୟକ୍ଷ ନିଯୁକ୍ତ ବିଳମ୍ବିତ ହୁଏ ତେବେ ଦଳର ସବୁଠାରୁ ବରିଷ୍ଠ ସାଧାରଣ ସମ୍ପାଦକ ଏହି ଦାୟିତ୍ୱରେ ରହିବେ । ତା ସହିତ ନୂଆ ଅଧ୍ୟକ୍ଷ ପଦ ନିଯୁକ୍ତ ହେବା ପର୍ଯ୍ୟନ୍ତ ସିଡବ୍ଲ୍ୟୁସି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିବେ । ରାହୁଲଙ୍କ ଇସ୍ତଫା ପରେ ଦଳର ବହୁ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତା ମଧ୍ୟ ଇସ୍ତଫା ଦେଇଛନ୍ତି । ଫଳରେ ଦଳର ସାଙ୍ଗଠନିକ ପରିବର୍ତ୍ତନ ମଧ୍ୟ କରାଯିବ ।
କଂଗ୍ରେସର ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ବୈଠକ ବହୁବାର ବସିଥିଲେ ମଧ୍ୟ ଅଧ୍ୟକ୍ଷ ପଦକୁ ନେଇ କୌଣସି ଆଲୋଚନା ହୋଇନାହିଁ । ଇତିମଧ୍ୟରେ ଆଜି ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ଏହି ପଦବୀ ଲାଗି ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ପ୍ରସ୍ତାବ ଦେଇଛନ୍ତି । କହିଛନ୍ତି ଗାନ୍ଧୀ ପରିବାରର ଏହି ଦୁଇ ଯୁବନେତାଙ୍କ ପ୍ରତି ଦୃଢ଼ ସମର୍ଥନ ରହିଛି । ଏଥିସହିତ ସେ ଦଳର ଜଣେ ଯୁବ ପ୍ରତିଭାଙ୍କୁ ଏହି ପଦବୀରେ ନିଯୁକ୍ତ କରିବା ଲାଗି ଦାବି କରିଛନ୍ତି । ଅଧ୍ୟକ୍ଷ ପଦ ଅଧିକ ଦିନ ଖାଲି ପଡିବା ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି । ଆଗକୁ ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଯଦି ତୁରନ୍ତ ଅଧ୍ୟକ୍ଷ ନିଯୁକ୍ତ କରା ନଯିବ ତେବେ ଦଳ ପ୍ରତି ତାହା କ୍ଷତିକାରକ ହୋଇପାରେ । ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଜଣେ ଯୁବନେତାଙ୍କୁ ଅଧ୍ୟକ୍ଷ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ ।
Comments are closed, but trackbacks and pingbacks are open.