
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଜିଲ୍ଲାରେ ଦାଦନଙ୍କ ଯାତନା ଥମିବାର ନାଁ ଧରୁନି । କରୋନା ପ୍ରଥମ ଲହରି ସମୟରେ ହଜାର ହଜାର ଦାଦନ ନାନା ସମସ୍ୟା ଦେଇ ଭିଟାମାଟିକୁ ଫେରିଥିବା ବେଳେ ଦ୍ୱିତୀୟ ଲହରି ସମୟରେ ବର୍ତ୍ତମାନ ସେହି ସମାନ ଅବସ୍ଥା ଉପୁଜିଲାଣି । ପ୍ରତିଦିନ ଅନେକ ଦାଦନ ବିଭିନ୍ନ କଷ୍ଟ ସହ୍ୟ କରି ନିଜ ଘରକୁ ଫେରୁଛନ୍ତି । ଯାହାକି ଆଜି ରାୟଗଡ଼ା ସହରରେ ପୁନରାବୃତ୍ତି ଘଟିଥିଲା । ୫ ଜଣ ଦାଦନ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା କେରେଡ଼ାଠାରୁ ୧୦୦ କିଲୋମିଟର ବାଟ ଚାଲିଚାଲି ମୁନିଗୁଡ଼ା ବ୍ଲକର ବିଭିନ୍ନ ଗାଁକୁ ଫେରିଛନ୍ତି । ଏହି ୫ ଦାଦନ ହେଲେ କେଶରପାଡ଼ି ଗ୍ରାମର ରାଣୁ କୁଟୃକା, ତପନ ଜାକାସିକା, ସକେଡ଼ି ଗ୍ରାମର କ୍ରିଷ୍ଣା ସାଗାଡ଼ିକା, ତୁର୍ଲାଙ୍ଗ ଗ୍ରାମର ସୁରୁଞ୍ଜି ଉର୍ଲ୍ଲାକା ଓ ନବି ବିଦ୍ରିକା ।
ଆନ୍ଧ୍ରପ୍ରଦେଶର ବିଶାଖାପାଟନମସ୍ଥିତ ଏକ ଚିଙ୍ଗୁଡ଼ି କାରଖାନାରେ କାମ କରିବା ପାଇଁ ଏହି ୫ ଜଣ ଦାଦନ ଗତ ଫେବୃୟାରୀ ମାସରେ ସେଠାକୁ ଯାଇଥିଲେ । ଦୁଇମାସ ଧରି ସେଠାରେ କାମ କରିବା ପରେ ବର୍ତ୍ତମାନ କରୋନାସ୍ଥିତି ସେଠାରେ ଅସମ୍ଭାଳ ହୋଇପଡ଼ିଛି । କରୋନା ଦ୍ୱିତୀୟ ଲହରି ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ସୁନାମି ଭଳି ବ୍ୟାପିବାରେ ଲାଗିଛି । ଫଳରେ ଭୟଭୀତ ହୋଇ ଏହି ୫ ଦାଦନ କାମଛାଡ଼ି ଘରକୁ ଫେରିଛନ୍ତି । ଗତକାଲି ବିଶାଖାପାଟନମଠାରୁ ଏକ ଟ୍ରକ୍ ଯୋଗେ କେରେଡ଼ା ପର୍ଯ୍ୟନ୍ତ ଆସିଥିଲେ । କେରେଡ଼ା ଆସିବା ପରେ ଉକ୍ତ ଟ୍ରକ୍ ସେମାନଙ୍କୁ ଓହ୍ଲାଇ ଦେଇଥିଲା । ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ଉପରେ କଟକଣା ଜାରି ହୋଇଥିବାରୁ ସେମାନେ ବାଧ୍ୟ ହୋଇ ଟ୍ରକ୍ରୁ ଓହ୍ଲାଇ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ । ଗତକାଲି ବିଳମ୍ବିତ ରାତିରେ କେରେଡ଼ାଠାରୁ ଚାଲିବା ଆରମ୍ଭ କରି ଆଜି ସକାଳୁ ରାୟଗଡ଼ାଠାରେ ପହଞ୍ଚିଥିଲେ । ଦୀର୍ଘ ୨୫ କିଲୋମିଟର ବାଟ କେରେଡ଼ାଠାରୁ ରାୟଗଡ଼ା ଅତିକ୍ରମ କରିବା ପରେ ରାୟଗଡ଼ା ସହର ଦେଇ ଯାଇଥିଲେ ନିଜ ଗାଁ ଅଭିମୁଖେ । ରାୟଗଡ଼ାଠାରୁ ସେମାନଙ୍କ ଘର ୭୫ କିଲୋମିଟର ଦୂର ବୋଲି ସୂଚନା ମିଳିଛି । ମୁନିଗୁଡ଼ା ବ୍ଲକ ଶିବପଦର ପଞ୍ଚାୟତ ଅଧୀନରେ ରହିଛି ସମସ୍ତଙ୍କ ଘର । ତେବେ ଦୁଇଦିନ ସଟ୍ଡାଉନ୍ ହେଉଥିବା କାରଣରୁ ବାଧ୍ୟହୋଇ ଚାଲି ଚାଲି ଘରକୁ ଯାଇଥିଲେ ବୋଲି ସୂଚନା ପ୍ରଦାନ କରିଛନ୍ତି । ଏଭଳିକି ଚାଲି ଚାଲି ଯିବା ସମୟରେ ସେମାନଙ୍କ ଖାଇବା ପ୍ରତି ମଧ୍ୟ ସମସ୍ୟା ଉପୁଜିଥିବା ପ୍ରକାଶ କରିଛନ୍ତି । ସଟଡାଉନ ପାଇଁ ହୋଟେଲ ଗୁଡ଼ିକ ବନ୍ଦ ଥିବା ଯୋଗୁଁ ଆହାର ପାଇଁ ଡହଳବିକଳ ହୋଇ କୋରାପୁଟ ଛକ ଠାରେ ନଜରକୁ ଆସିଥିଲା । ତେବେ କେବଳ ଏହି ୫ ଜଣ ନୁହନ୍ତି, ଗତକାଲି ରାତିରେ ବିଜୟନଗରମରୁ ଆହୁରି ୭ ଜଣ ଶ୍ରମିକ ଚାଲି ଚାଲି ନିଜ ଘରକୁ ଫେରିଥିବା ଜଣାପଡ଼ିଛି । ସେମାନଙ୍କ ଘର ବିଷମକଟକ ବ୍ଲକ ସାହାଡ଼ା ଠାରେ ବୋଲି ଜଣାପଡ଼ିଛି । ସେହି ୭ ଜଣ ବିଜୟନଗରମ ଠାରେ ଏକ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । କିନ୍ତୁ କରୋନା ବୃଦ୍ଧି ପରେ ନିର୍ମାଣ କାର୍ଯ୍ୟ ସେଠାରେ ବନ୍ଦ ହୋଇଗଲା । ଫଳରେ ଉପାୟ ନପାଇ ସମସ୍ତେ ଘରକୁ ବାହୁଡ଼ୁଛନ୍ତି ।


Comments are closed, but trackbacks and pingbacks are open.