୧୦ ଲକ୍ଷର ଚନ୍ଦନ କାଠ ଜବତ:ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ଚୌଦ୍ୱାର,(ବି.ବି.ନୁ୍ୟଜ): ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ଦୀର୍ଷ ବର୍ଷର୍ ହେଲା କଟକରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଚନ୍ଦନ କାଠ । ଟାଙ୍ଗୀରୁ ଢେଙ୍କାନାଳ ଜଙ୍ଗଲକୁ ଛୁଇଁଥିବା ଶ୍ରୀକ୍ଷେତ୍ର ଜଙ୍ଗଲରୁ ଚନ୍ଦନ ଗଛଗୁଡ଼ିକୁ ମେସିନ୍ରେ କାଟି କାଠକୁ ସାଇଜ୍ କରି ଲକ୍ଷାଧିକ ଟଙ୍କା ଦରରେ ବିକ୍ରି ହେଉଥିଲା କିଛି ଚନ୍ଦନ ତସ୍କରଙ୍କ ହାତରେ । ବିଳମ୍ବରେ ହେଉପଛେ କମିସନରେଟ ପୁଲିସ ଏହି ଚନ୍ଦନ କାଠ ତସ୍କରୀ ର୍ୟାକେଟ୍କୁ ଠାବ କରିଛି । ଚନ୍ଦନ କାଠ ଚାଲାଣ ଅଭିଯୋଗରେ ଚୌଦ୍ୱାର ଥାନା ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାଁ ରସାନନ୍ଦ ସାହୁ(୪୫) । ତା’ ଘର ଟାଙ୍ଗୀ ଥାନା ବିଶ୍ୱନାହାକାଣୀ ଅଞ୍ଚଳରେ । ଗିରଫଦାରୀ ସମୟରେ ପୁଲିସ ଅଭିଯୁକ୍ତ ପାଖରୁ ଜରି ଅଖା ଭର୍ତ୍ତି ଚନ୍ଦନ କାଠ ଜବତ କରିଛି । ଜବତ ହୋଇଥିବା ୨୨ ଖଣ୍ଡ ଗୋଲେଇ ଚନ୍ଦନ କାଠର ଓଜନ ୯୧.୬୫ କେଜି ହେବ । ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କଟକ ଡିସିପି ପ୍ରତୀକ ସିଂ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଡିସିପିଙ୍କ ସୂଚନା ମୁତାବକ ଉକ୍ତ ଚନ୍ଦନ କାଠ ଚାଲାଣ ର୍ୟାକେଟର ଆଉ କିଛି ଅଭିଯୁକ୍ତ ସମ୍ପୃକ୍ତ ଥିବାର ପୁଲିସ୍ ସୁରାକ ପାଇଛି । ଗିରଫ ହୋଇଥିବା ଅଭିଯୁକ୍ତର ତଥ୍ୟକୁ ଆଧାର କରି ତାର ସହଯୋଗୀମାନଙ୍କୁ ଧରିବା ପାଇଁ ପୁଲିସ୍ ଏବେ ଉଦ୍ୟମ ଚଳାଇଛି । ଅନ୍ୟପକ୍ଷରେ ଏହି ଚୋରା ଚନ୍ଦନ କାଠ ଚାଲାଣର ଚେର ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରୁ ରାଜ୍ୟ ବାହାରକୁ ଲମ୍ବିଥିବାର ପୁଲିସ୍ ପ୍ରମାଣ ପାଇଛି । ଏମିତିକି ରାଜ୍ୟ ବାହାରର କିଛି ଜଙ୍ଗଲ ମାଫିଆ ତଥା ଚନ୍ଦନ କାଠ ଚୋରା ଚାଲାଣ କରୁଥିବା ଅଭିଯୁକ୍ତଙ୍କର ଲିଙ୍କ୍ ଥିବା ପୁଲିସ୍ କିଛି ସୁରାକ ପାଇଛି ।
ପୁଲିସ୍ କହିବାନୁସାରେ, କରଞ୍ଜି ନିକଟରେ ଏକ ଜରି ଅଖାରେ ଚନ୍ଦନ କାଠ ଭର୍ତ୍ତି କରି ଜଣେ ବ୍ୟକ୍ତି ଭୁବନେଶ୍ୱର ଚାଲାଣ କରିବାକୁ ଅପେକ୍ଷା କରିଥିବା ବେଳେ ପୁଲିସର କୌଣସି ସୂତ୍ରରୁ ଖବର ପାଇଥିଲା । ଖବର ପାଇ ପୁଲିସ ଚନ୍ଦନ କାଠ ତସ୍କର ରସାନନ୍ଦକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଏହି କାଠକୁ ଭୁବନେଶ୍ୱରର ଦିବ୍ୟ ରଞ୍ଜନ ସାହୁ ନିକଟକୁ ଚାଲାଣ କରୁଥିବା ପ୍ରକାଶ କରିଥିଲା । ରସାନନ୍ଦ ଦୀର୍ଘ ଦିନ ଧରି ଚନ୍ଦନ ଗଛ କାଟି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନକୁ ଚାଲାଣ କରିଥାଏ ବୋଲି ପୁଲସ ଆଗରେ ସ୍ୱୀକାର କରିଛି । ଟାଙ୍ଗୀ ଥାନା ଶ୍ରୀକ୍ଷେତ୍ର ଆଶ୍ରମ ପରିସର ସହ ପାଖକୁ ଲାଗି ରହିଥିବା ଶ୍ରୀକ୍ଷେତ୍ର ଜଙ୍ଗଲରେ ବହୁ ମୂଲ୍ୟବାନ ଚନ୍ଦନ ଗଛ ରହିଛି । କରଞ୍ଜି ପଞ୍ଚାୟତରୁ ଦେଢ଼ କିଲୋମିଟର ଦୂରରେ ରହିଛି ବଡ଼ବନ୍ଧ । ବଡ଼ବନ୍ଧ ଠାରୁ ୧ କିଲୋମିଟର ଗଲେ ପ୍ରାୟ ୧୦ ଏକର ପରିମିତ ଅଞ୍ଚଳରେ ରହିଛି ଶ୍ରୀକ୍ଷେତ୍ର ଆଶ୍ରମ । ଆଶ୍ରମ ପରିସରରେ ମଧ୍ୟ କିଛି ଚନ୍ଦନ ଗଛ ରହିଥିବା ବେଳେ ତାର ଚତୁପାଶ୍ୱର୍ରେ ରହିଥିବା ଗ୍ରାମ୍ୟ ଜଙ୍ଗଲରେ ରହିଛି କୋଟିକୋଟି ଟଙ୍କାର ବହୁ ଚନ୍ଦନ ଗଛ । ଏହି ଚନ୍ଦନ ଗଛକୁ ରସାନନ୍ଦ ଓ ତାର ସହଯୋଗୀମାନେ ଯୋଜନାବଦ୍ଧ ଭାବେ ରାତିରେ କାଟି ଖଣ୍ଡ ଖଣ୍ଡ କରି ଜରି ଅଖାରେ ଭର୍ତ୍ତି କରି ଆଣିଥାନ୍ତି ବୋଲି କୁହାଯାଉଛି । ଡାଳିଯୋଡା ରେଞ୍ଜର ସଫା ସେକସନ ଅଧିନରେ ଯାଉଥିବା ବେଳ ବନ ବିଭାଗ ଏହି ଚନ୍ଦନ ତସ୍କରୀ ସମ୍ପର୍କରେ କୌଣସି ସୂଚନା ରଖିନଥିଲା ନା ତା’ ସହିତ ଅସାଧୁ ମେଣ୍ଟ କରି ଚାଲାଣ କରିବାକୁ ସହଯୋଗ କରୁଥିଲା ସେ ନେଇ ପ୍ରଶ୍ନ ଉଠିଛି । ଏଭଳି ଅଭିଯୋଗ କରଞ୍ଜି ଅଞ୍ଚଳର ଗ୍ରାମବାସୀ କରିବା ସହ ଚନ୍ଦନ ତସ୍କରୀ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଉଥିଲେ ବି ବନ ବିଭାଗ କୌଣସି ପଦକ୍ଷେପ ନେଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଚୌଦ୍ୱାର ପୁଲିସ ଚନ୍ଦନ ତସ୍କରଙ୍କୁ ଧରିପାରୁଥିବା ବେଳେ ଏଠାକାର ବନ କର୍ମଚାରୀମାନେ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଚୌଦ୍ୱାର ପୁଲିସ ଅଭିଯୁକ୍ତ ରସାନନ୍ଦର ସହଯୋଗୀ ସହ ଉକ୍ତ ବେପାରୀକୁ ଧରିବା ପାଇଁ ଜାଲ ବିଛାଇ ସାରିଥିବା ଜଣାପଡିଛି । ସମସ୍ତ ସହଯୋଗୀ ଧରାପଡିବା ପରେ କେତେ ପରିମାଣର ଚନ୍ଦନ କାଠଚାଲାଣ କରିଛନ୍ତି ସେନେଇ ଜଣା ପଡିବ । ପୁଲିସ ତା ନାମରେ ୧୦୬/୨୧ ରେ କେଶ ରୁଜୁ କରି ୩୭୯/୪୧୧/୧୨୦(ବି) ଆଇପିସି ଆର/ଡବ୍ଲ୍ୟୁ ସେକସନ୍-୫୫(ସି)ଫରେଷ୍ଟ୍ ଆକ୍ଟରେ ଚନ୍ଦନ ତସ୍କରୀ ରସାନନ୍ଦକୁ କୋର୍ଟଚାଲାଣ କରାଯାଇଥିବା ନେଇ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons