ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ୍ ପ୍ରକୋପରେ ଶୁଖି ଯାଇଛି ସମ୍ବଳ ଧାରା । ତଥାପି ଅର୍ଥନୀତିକୁ ଢିରା ଦେଇ ଉଠାଇବା ଲାଗି ସରକାର ଟାଣିଓଟାରି ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ (ଅତିରିକ୍ତ ବଜେଟ୍) ପ୍ରସ୍ତାବ ଦେଇଛନ୍ତି । ଏଥିରୁ ସିଂହ ଭାଗ ୬୬ଧ କାର୍ଯ୍ୟକ୍ରମ (ଯୋଜନା) ଖର୍ଚ୍ଚକୁ ଦିଆଯାଇଛି ।
କୋଭିଡ୍ କଟକଣା ଭିତରେ କାଚ ବାଡ଼ ପଛପଟୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି (ଶୁକ୍ରବାର) ଅପରାହ୍ନରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ବ୍ୟୟବରାଦରୁ ପ୍ରଶାସନିକ (ଅଣ ଯୋଜନା) ଖର୍ଚ୍ଚ ବାବଦରେ ୨ ହଜାର ୨୭୩ କୋଟି, କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୭ ହଜାର ୪୩୮ କୋଟି ଏବଂ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ୧୪୩୪ କୋଟି ଟଙ୍କା ଦିଆଯାଇଛି ।
ମୂଳ ବଜେଟ୍ରେ ଏ ବର୍ଷ ମୋଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ପ୍ରସ୍ତୁତ କରାଯାଇଥିଲା, ଯାହା ବିଧାନସଭାରେ ଅନୁମୋଦିତ ହୋଇଥିଲା । କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୭୪ ହଜାର କୋଟି ଟଙ୍କାର ବ୍ୟୟ ଯୋଜନା କରାଯାଇଥିଲା । ହେଲେ କୋଭିଡ୍ ପାଇଁ ଅଧିକାଂଶ କାମ ଅଟକି ଯାଇଛି । ଟଙ୍କା ଖର୍ଚ୍ଚ ହୋଇନି । ଏହା ସତ୍ତେ୍ୱ ଆଉ ୭ ହଜାର କୋଟି ବ୍ୟୟ ପ୍ରସ୍ତାବ ଦିଆଯାଇଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ସର୍ବାଧିକ ୨୦୪୧ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି । କୋଭିଡ୍ ସହ ସିଧାସଳଖ ଲଢ଼ୁଥିବା ସ୍ୱାସ୍ଥ୍ୟ ବିଭାଗକୁ ୧୬୨୭ କୋଟି, ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗକୁ ୧୦୭୭ କୋଟି, ଶକ୍ତି ବିଭାଗକୁ ୯୫୭ କୋଟି ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ୪୫୭ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି ଅତିରିକ୍ତ ବଜେଟ୍ରେ ।
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିସନ୍ରେ ମେଡିକାଲ କଲେଜ୍ ଏବଂ ପ୍ରାଥମିକ ଓ ମାଧ୍ୟମିକ ସ୍ୱାସ୍ଥ୍ୟସେବା ସଂସ୍ଥାର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରଖାଯାଇଛି । ନିର୍ମଳ ଯୋଜନାକୁ ୧୦୪ କୋଟି, ଆନୁସଙ୍ଗିକ ସ୍ୱାସ୍ଥ୍ୟସେବା ପାଇଁ ୪୦୯ କୋଟି ଏବଂ ମେଡିକାଲ ଯନ୍ତ୍ରପାତି କିଣିବାକୁ ୩୦୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ୪୧୨ କୋଟି ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ୪୦୭ କୋଟି ଟଙ୍କା ଦିଆଯାଇଛି ।
ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ପାଇଁ ୧୫୧୪ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଥିବା ବେଳେ ଏମ୍ଜିଏନ୍ଆର୍ଜିଏସ୍କୁ ୫୦୦ କୋଟି ଟଙ୍କା ମିଳିବ ଅତିରିକ୍ତ ଖର୍ଚ୍ଚ ବାବଦରେ ।
ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ ୬୨ କୋଟି, ଅଣୁ କ୍ଷୁଦ୍ର ଶିଳ୍ପ ବିଭାଗକୁ ୫୫ କୋଟି, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗକୁ ୩୦ କୋଟି ଟଙ୍କା ଦିଆଯାଇଛି । ଭିତ୍ତିଭୂମି ବିକାଶ ପାଇଁ ମୋଟ ୧୬୦୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଅର୍ଥନୀତି ସ୍ଥିତି ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି, ମହାମାରୀ ଆମ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି । ସମ୍ବଳ ଏବଂ ଖର୍ଚ୍ଚ ଧାରା ପ୍ରଭାବିତ ହୋଇଛି । ପ୍ରଥମ ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର ବାବଦରେ ୬.୫ ପ୍ରତିଶତ କମ୍ ଅର୍ଥ ମିଳିଛି ଗତବର୍ଷ ତୁଳନାରେ । ରାଜ୍ୟର ନିଜସ୍ୱ ଆୟ ୧୨ ପ୍ରତିଶତ ବଦଳରେ ବଢ଼ିଛି ମାତ୍ର ୧.୭% । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ସମୁଦାୟ ଋଣ ଭାର ୯୭ ହଜାର ୮୨୩ କୋଟି ଛୁଇଁଥିଲା ।
ବଜେଟ୍ ଚିଠାରେ ସ୍ପଷ୍ଟ କରାଯାଇଛି, ଅତିରିକ୍ତ ବଜେଟ୍ ପାଇଁ ଅତିରିକ୍ତ ସମ୍ବଳ ଯୋଗାଡ଼ ପନ୍ଥା କିଛି ନାହିଁ । ବିଭିନ୍ନ ବିଭାଗକୁ ଆବଣ୍ଟିତ ହୋଇଥିବା ଅର୍ଥ ଖର୍ଚ୍ଚ ନ ହୋଇ ଫେରିବା ନିଶ୍ଚିତ । ପୁନଃ ଆବଣ୍ଟନ ଜରିଆରେ ଏହାକୁ ଅତିରିକ୍ତ ବ୍ୟୟ ବରାଦ ପାଇଁ ଖର୍ଚ୍ଚ କରାଯିବ ।
Comments are closed, but trackbacks and pingbacks are open.