ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ଗଡିବ ଯାତ୍ରୀବାହୀ ସ୍ୱତନ୍ତ୍ର ଟ୍ରେନ୍ । ଦୈନିକ ଦିଲ୍ଲୀ ଯିବ ଏହି ଟ୍ରେନ୍ । ଏହି ସ୍ପେଶାଲ୍ ଟ୍ରେନ୍ ୧୩ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ରେଳ ଷ୍ଟେସନ ଛାଡିବ । ସବୁ ବଗି ଶିତତାପ ନିୟନ୍ତ୍ରିତ(ଏସି)ରହିବ । ଏହି ଟ୍ରେନ୍ରେ ଏସି ତୃତୀୟ ଶ୍ରେଣୀ/ଦ୍ୱିତୀୟ ଶ୍ରେଣୀ/ପ୍ରଥମ ଶ୍ରେଣୀ ସହ ୧୭ଟି କୋଚ୍ ରହିବ । ଠିକ ସେହିପରି ୧୪ ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଯାତ୍ରୀବାହୀ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିବ । ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ୭ଟି ଷ୍ଟେସନରେ ଟ୍ରେନ୍ ରହିବ । ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ୍ ବାଲେଶ୍ୱର, ହିଜିଳି(ଖଡ଼ଗପୁର), ଟାଟା, ବୋକାରୋ ଷ୍ଟିଲ୍ ସିଟି, ଗୟା, ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ୍(ଡିଡିୟୁଜେ) ଓ କାନପୁର ସେଣ୍ଟ୍ରାଲ ଷ୍ଟେସନରେ ରହିବ । ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ରେ ଯିବା ପାଇଁ କେବଳ ଆଇଆରସିଟିସି ୱେବସାଇଟ୍ ଙ୍ଗଙ୍ଗଙ୍ଗ.ସrମଗ୍ଧମ.ମକ୍ଟ.ସଦ୍ଭରେ ସିଟ୍ ସଂରକ୍ଷଣ କରିହେବ । ତେବେ ଆଜି ବୁକିଂ ଆରମ୍ଭ ହେବା ମାତ୍ରେ ୧୦ ମିନିଟ୍ ମଧ୍ୟରେ ସମସ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ୍ ଶେଷ ହୋଇଥିଲା । ସେହିପରି ୩୦ ମିନିଟ୍ରେ ସମସ୍ତ ଦ୍ୱିତୀୟ ଏସି ଓ ୧ ଘଣ୍ଟା ମଧ୍ୟରେ ସମସ୍ତ ତୃତୀୟ ଏସି ଟିକେଟ୍ ବୁକିଂ ସରିଥିଲା । ଅପରପକ୍ଷେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ୧୪ ତାରିଖ ଛାଡିବାକୁ ଥିବା ଟ୍ରେନର ସମସ୍ତ ସିଟ୍ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଶେଷ ହୋଇଥିଲା ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଆଇଆରସିଟିସି ୱେବସାଇଟ୍ କେବଳ ୭ ଦିନ ପର୍ଯ୍ୟନ୍ତ ଅଗ୍ରୀମ ଟିକେଟ୍ ପ୍ରଦାନ କରାଯିବ । କୌଣସି ୱେଟଲିଷ୍ଟ୍ କିମ୍ୱା ଆରଏସି ଟିକେଟ୍ ଦିଆଯିବ ନାହିଁ । କେବଳ ବୈଧ ନିଶ୍ଚିତ (ଭେଲିଡ୍ କନଫରମଡ୍) ଟିକେଟ ଦିଆଯିବ । ଟ୍ରେନ୍ ଛାଡ଼ିବା ପୂର୍ବରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଟିକେଟ୍ ବାତିଲ୍ କରାଯାଇ ପାରିବ । ଟିକେଟ୍ ବାତିଲ ଦେୟ ଶତକଡ଼ା ୫୦ଭାଗ ଦେବାକୁ ପଡ଼ିବ । ଟ୍ରେନ୍ ଭିତରେ କେବଳ ସୀମିତ ପରିମାଣର ଖାଦ୍ୟ ଏବଂ ପ୍ୟାକେଟ୍ ପିଇବା ପାଣି ଦେୟ ପ୍ରଦାନ (ଅନ୍ ପେମେଣ୍ଟ୍) ଦ୍ୱାରା ମିଳିପାରିବ । ଯାତ୍ରୀମାନଙ୍କୁ ନିଜ ନିଜର ଖାଦ୍ୟ ସାଙ୍ଗରେ ଧରି ଆସିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଛି । ଅପରପକ୍ଷେ ଟ୍ରେନ୍ରେ ବେଡ଼୍ରୋଲ୍ ଓ ଲିନେନ୍ (ଚଦର ଓ ତକିଆ) କିଛି ପ୍ରଦାନ କରାଯିବ ନାହିଁ । ସୁବିଧା ପାଇଁ ଯାତ୍ରୀମାନେ ନିଜ ନିଜର ବେଡ଼ସିଟ୍ ଆଣିବାକୁ ପରାମର୍ଶ ଦିଆଯାଉଛି । ଏହି ଟ୍ରେନ୍ଟି ଭୁବନେଶ୍ୱରର ପ୍ଲାଟଫର୍ମ ନମ୍ୱର-୧ ମାଷ୍ଟର କ୍ୟାଣ୍ଟିନ୍ ସାଇଡ୍ରୁ ଛାଡ଼ିବ । ଟ୍ରେନ୍ ଛାଡ଼ିବାର ଏକ ଘଣ୍ଟା ପୂର୍ବରୁ ପ୍ଲାଟଫର୍ମ ନମ୍ୱର-୧ରେ ଆସି ଉପସ୍ଥିତ ହେବାକୁ ଯାତ୍ରୀମାନଙ୍କୁ ପୂର୍ବତଟ ରେଳପଥ ଅନୁରୋଧ କରିଛି । ତେବେ କନଫର୍ମ ଟିକେଟ୍ ଥିବା ଯାତ୍ରୀମାନଙ୍କୁ କେବଳ ପ୍ଲାଟଫର୍ମକୁ ଆସିବାକୁ ଅନୁମତି ମିଳିବ । ଟ୍ରେନ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ନିମନ୍ତେ ସମସ୍ତ ଯାତ୍ରୀ ପୂର୍ବରୁ ମେଡ଼ିକାଲ୍ ସ୍କ୍ରିନିଂ (ସ୍ୱାସ୍ଥ୍ୟଯାଞ୍ଚ) କରିବା ଆବଶ୍ୟକ । କେବଳ ରୋଗର ଲକ୍ଷ୍ୟଣ ନଥିବା ଯାତ୍ରୀମାନେ ଯାତ୍ରା କରିବାକୁ ଅନୁମତି ପାଇବେ । ସ୍ୱାସ୍ଥ୍ୟପ୍ରଦ ପରିବେଶ ରଖିବା ନିମନ୍ତେ ସମସ୍ତ ଯାତ୍ରୀ ନିଜ ନିଜର ଫେସ୍ କଭର୍ (ମାସ୍କ), ହାତ ସାନିଟାଇଜର୍, ସାବୁନ୍ ଆଦି ସାଙ୍ଗରେ ଧରିବାକୁ କୁହାଯାଇଛି । ଯେହେତୁ ଆଟେଣ୍ଡାଣ୍ଟ୍, ପୋର୍ଟର ସେବା ସୁବିଧା ମିଳି ନ ପାରେ ତେଣୁ ଯେତେ କମ୍ ଲଗେଜ୍ ସାଙ୍ଗରେ ନେବାକୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ କିମ୍ବା ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇବା ପରେ ଏହି ଯାତ୍ରୀମାନଙ୍କ ପାଇଁ ଲାଗୁ ହେଉଥିବା ସ୍ଥାନୀୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିୟମାବଳୀ ପାଳନ କରିବାକୁ ପଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ଟ୍ରେନ୍ ଚଳାଚଳ କରିବା ପାଇଁ ଭୁବନେଶ୍ୱର ଷ୍ଟେସନ୍ରେ ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି । ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଲଗା ଅଲଗା କରାଯାଇଛି । କେବଳ ୧ ନମ୍ବର ପ୍ଲାଟଫର୍ମ ଦେଇ ଯାଆସ କରାଯିବ । ୬ ନମ୍ବର ପ୍ଲାଟଫର୍ମ ବନ୍ଦ ରହିବ । ଷ୍ଟେସନ ବିଶୋଧନ କରାଯାଇଛି । ସେହିପରି ଅଫିସ୍ଗୁଡିକୁ ପ୍ରତିଦିନ ବିଶୋଧନ କରିବା ସହିତ ସଂକ୍ରମଣମୁକ୍ତ କରାଯାଉଛି ବୋଲି ଷ୍ଟେସନ ନିଦେ୍ର୍ଧଶକ ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଭାରତୀୟ ରେଳ ମନ୍ତ୍ରଣାଳୟ ପ୍ରାଥମିକ ଭାବେ ନୂଆଦିଲ୍ଲୀରୁ ଦେଶର ୧୫ଟି ସହରକୁ ୧୫ ଯୋଡା (୩୦ଟି) ସ୍ପେଶାଲ୍ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଗତକାଲି ଟୁଇଟ୍ରେ ଏହି ସୂଚନା ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦ, ବାଙ୍ଗାଲୁରୁ, ଚେନ୍ନାଇ, ତିରୁବନ୍ତପୁରମ୍, ମାଡଗାଓଁ(ଗୋଆ), ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଓ ଜମ୍ମୁ ତାୱିକୁ ନୂଆଦିଲ୍ଲୀରୁ ପ୍ରତିଦିନ ଯାତ୍ରୀବାହୀ ସ୍ୱତନ୍ତ୍ର ଟ୍ରେନ୍ ଗଡିବ ।
Comments are closed, but trackbacks and pingbacks are open.