ବ୍ରହ୍ମପୁର: ସାରା ରାଜ୍ୟର ଏକ ହଜାର ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୩୩ଟି ବିଦ୍ୟାଳୟ ମଡେଲ୍ ସ୍କୁଲରେ ପରିଣତ ହେବ । ଏଥିରେ ରହିଛି ୧୧୧ଟି ଉଚ୍ଚ ବିଦ୍ୟାଳୟ ଏବଂ ଅବଶିଷ୍ଟ ହେଉଛି ଜିଲ୍ଲାର ସମସ୍ତ ବ୍ଲକ୍ରେ ଥିବା ଗୋଟିଏ ଲେଖାଏଁ ତଥା ମୋଟ ୨୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ଏଥିରେ ୫ଟି ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଉଛି । ପ୍ରଥମରେ ରହିଛି ସ୍ମାର୍ଟ କ୍ଲାସ୍ ବା ଡିଜିଟାଲ୍ କ୍ଲାସ୍ ରୁମ୍୍ । ଏଥିସହ ଗ୍ରନ୍ଥାଗାର (ଉଭୟ ପୁସ୍ତକ ଓ କମ୍ପୁ୍ୟଟର୍ ସୁବିଧା ସମ୍ବଳିତ ଇ-ଲାଇବ୍ରେରୀ), ଉନ୍ନତ ବିଜ୍ଞାନାଗାର (ଲ୍ୟାବ୍), ଶୌଚାଳୟ ଏବଂ କ୍ରୀଡ଼ା ଭିତ୍ତିଭୂମିକୁ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ବିନ୍ଦୁରେ ରଖାଯାଇଛି । ଏହାବାଦେ ଆର୍ଥିକ ସମ୍ବଳକୁ ଦେଖି ସ୍କୁଲ ଚାରିପଟେ ପାଚେରୀ, ଉତ୍ତମ ରୋଷେଇ ଘର ଯେଉଁଠି ସମ୍ଭବ ସେଠି ନିର୍ମାଣ ବା ବିକଶିତ କରାଯିବ । ଆସନ୍ତା ୩ ମାସ ମଧ୍ୟରେ ଜିଲ୍ଲାସାରା ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଜିଲ୍ଲାର ଶିକ୍ଷା ଭିତ୍ତିଭୂମିରେ ଏକ ଆମୁଳଚୁଳ ପରିବର୍ତ୍ତନ ଆଣିବାକୁ ଯାଉଛି । ବିଶେଷ କରି ଦଶମ ଓ ନବମ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଯୁଗପଯୋଗୀ ଶ୍ରେଣୀ କକ୍ଷ ଓ ଡିଜିଟାଲ୍ ଶିକ୍ଷା ଦେବାରେ ଏହା ସହାୟକ ହେବ ।
ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍ର ସମସ୍ତ ହାଇସ୍କୁଲକୁ ଏହି ଯୋଜନାରେ ସାମିଲ୍ କରାଯାଇଛି । ଏଥିସହ ଗୋପାଳପୁର ନିର୍ବାଚନମଣ୍ଡଳୀର ୧୦ଟି, ବ୍ରହ୍ମପୁର ମହାନଗରର ୪ଟି, ଅନ୍ୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରତି ବ୍ଲକ୍ରେ ୨ଟି ହାଇସ୍କୁଲ ଏବଂ ଗୋଟିଏ ଆଦର୍ଶ ବିଦ୍ୟାଳୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ରହିଛି । ଅପରପକ୍ଷରେ ଜିଲ୍ଲାପାଳ ଟ୍ୱିଟର୍ ଜରିଆରେ ଦେଇଥିବା ସୂଚନା ମୁତାବକ ସମସ୍ତ ମଡେଲ୍ ସ୍କୁଲକୁ ମିଶାଇ ଜିଲ୍ଲାର ମୋଟ ୨୭୮ ଗ୍ରନ୍ଥାଗାରରେ ଉନ୍ନତ ଗ୍ରନ୍ଥାଗାର ବିକଶିତ କରାଯିବ । ଏଠି ପିଲାଙ୍କ ବସି ପଢିÿବା ପାଇଁ ସୁନ୍ଦର ଚେୟାର୍ ଟେବୁଲ୍, ଉଜ୍ଜ୍ୱଳ ଆଲୋକ ଓ ପଙ୍ଖା, ଇ-ଲାଇବ୍ରେରୀ ପାଇଁ କମ୍ପୁ୍ୟଟର୍ ଯାହାଦ୍ୱାରା ପିଲାମାନେ ଇଣ୍ଟର୍ନେଟ୍ ଜରିଆରେ ମଧ୍ୟ ଜ୍ଞାନ ଆହରଣ କରିପାରିବେ, ସୁନ୍ଦର ସାଜସଜ୍ଜା ରହିବ ଯାହାକି ପିଲାଙ୍କୁ ଗ୍ରନ୍ଥାଗାର ସକାଶେ ଆକୃଷ୍ଟ କରିବ । ପିଲାଙ୍କୁ ଏକ ଉତ୍ତମ ପରିବେଶ ଦେବା ଦୃଷ୍ଟିରୁ ବିଶୁଦ୍ଧ ପାନୀୟ ଜଳ, ରଙ୍ଗବେରଙ୍ଗ ଓ ଶିକ୍ଷା ପ୍ରଦାନ କରୁଥିବା ଭଳି ପେଣ୍ଟିଂରେ ଭରପୁର ବିଦ୍ୟାଳୟ ପ୍ରାଚୀର, ନୂଆ ରଙ୍ଗୀନ କୋଠରୀ, ଉତ୍ତମ ଖେଳ ପଡ଼ିଆ ଭଳି ଉନ୍ନତ ସୁବିଧା ସମ୍ପନ୍ନ କ୍ୟାମ୍ପସ୍ ବିକଶିତ କରାଯାଉଛି ।
ଗଞ୍ଜାମ ଜିଲ୍ଲାରେ ସରକାରୀ, ଘରୋଇ, ସଂସ୍କୃତ ମଧ୍ୟମା, ଅନୁଦାନପ୍ରାପ୍ତ ଆଦି ବିଭିନ୍ନ ବର୍ଗର ମୋଟ ୬୧୦ଟି ଉଚ୍ଚବିଦ୍ୟାଳୟ ରହିଛି । ୨୦୨୦-୨୧ ଶିକ୍ଷା ବର୍ଷରେ ପ୍ରାୟ ୪୭ ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ସକାଶେ ନାମ ଲେଖାଇଥିଲେ । ସ୍ମାର୍ଟ/ ଡିଜିଟାଲ୍ କ୍ଲାସ୍ ମୁଖ୍ୟତଃ ଦଶମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆଧୁନିକ ପଦ୍ଧତିରେ ଶିକ୍ଷାଗ୍ରହଣର ସୁଯୋଗ ଦେବାକୁ ଯୋଜନା କରାଯାଇଛି । ତେବେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ମାର୍ଟ କ୍ଲାସ୍ ଆକାରପ୍ରକାର ଭିନ୍ନ ଭିନ୍ନ ରହିପାରେ । ପୁଣି ବିଦ୍ୟାଳୟକୁ ମିଳିଥିବା ଅନୁଦାନକୁ ମଧ୍ୟ ହିସାବକୁ ନିଆଯାଉଛି । ଉଲ୍ଲେଖଯୋଗ୍ୟ- ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ‘ମୋ ସ୍କୁଲ’ ଯୋଜନାରେ ବହୁ ବରିÂ ସରକାରୀ ଅଧିକାରୀମାନେ ସେମାନଙ୍କ ପୁରାତନ ବିଦ୍ୟାଳୟକୁ ପୋଷ୍ୟ ଶିକ୍ଷାନୁÂାନ ଭାବେ ଗ୍ରହଣ କରି ବିକାଶ ଦିଗରେ ପଦକ୍ଷେପ ନେଉଛନ୍ତି । ଏଥିସହ ପୁରାତନ ଛାତ୍ରଛାତ୍ରୀମାନେ ସ୍କୁଲର ବିକାଶ ପାଇଁ ଯେତିକି ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସରକାର ସେତିକି ପରିମାଣର ଅର୍ଥ ଶିକ୍ଷାନୁÂାନର ବିକାଶ ପାଇଁ ଦେଉଛନ୍ତି । ଏଣୁ ଏବେ ବିଦ୍ୟାଳୟକୁ ବହୁ ମାତ୍ରାରେ ଅର୍ଥ ବା ଅନୁଦାନ ଆସୁଥିବା ବେଳେ ସେହି ଅନୁସାରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାରେ ଲାଗିଛି । ଯାହା ଜଣାଯାଇଛି ପ୍ରତିଟି ବିଦ୍ୟାଳୟ ପାଇଁ ୪୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ମୋ ସ୍କୁଲ ଅନୁଦାନ ସମେତ ଗ୍ରାମ ପଞ୍ଚାୟତ ଉନ୍ନୟନ ପାଣ୍ଠି, ବିଭିନ୍ନ ଶିଳ୍ପ ସଂସ୍ଥାର କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି ବା ସିଏସ୍ଆର୍ ଫଣ୍ଡ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ବିନିଯୋଗ କରୁଛି ।
ମଡେଲ୍ ସ୍କୁଲ ବା ସ୍ମାର୍ଟ କ୍ଲାସ୍ କାମ ଜିଲ୍ଲାରେ ଅଗଷ୍ଟ ମାସ ବେଳକୁ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଗତ ମାସ ୧୫ ତାରିଖରେ ସ୍ମାର୍ଟ କ୍ଲାସ୍ ସମୀକ୍ଷା ବୈଠକରେ ଜିଲ୍ଲପାଳ କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ ଦେଇଥିଲେ । ଚଳିତ ଶିକ୍ଷାବର୍ଷରୁ ହିଁ ସ୍ମାର୍ଟ କ୍ଲାସ୍ ଆରମ୍ଭ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକୁ ଜୋରସୋରରେ ଆଗେଇ ନିଆଯାଉଛି । ଆଉ ସେଥିପାଇଁ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକଙ୍କ ସମେତ ଶିକ୍ଷା ବିଭାଗୀୟ ପଦସ୍ଥ ଅଧିକାରୀମାନେ ବାରମ୍ବାର ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ଏହାର ଅଗ୍ରଗତି ସମୀକ୍ଷା କରୁଛନ୍ତି । ଖୋଦ୍ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ନିକଟ ଅତୀତରେ ହିଞ୍ଜିଳିକାଟୁ ଓ ଶେରଗଡ଼ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ ପରିଦର୍ଶନ କରି ପ୍ରତ୍ୟକ୍ଷ ଭାବେ ଏହି କାର୍ଯ୍ୟ ତଦାରଖ କରିଥିଲେ । ଗତବର୍ଷ ପହିଲାରୁ ଏହି ସ୍କୁଲ ଟ୍ରାନ୍ସଫର୍ମେସନ୍ ଯୋଜନା ଆରମ୍ଭ ହୋଇଥିବା ବେଳେ ଏବେ ଏହାର ସୁଫଳ ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଯାଉଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.