ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କରୋନା ଭାଇରସ୍ ମୁକାବିଲା କରିବାକୁ ଗଞ୍ଜାମରେ ୧୪୪ଧାରା ବଳବତ୍ତର ରହିଛି । ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯିବା ସହ ଦୋକାନ ବଜାର ବନ୍ଦ କରାଯାଉଛି । ଆଜି କିଛି ଜଳଖିଆ ଓ ଚା ଦୋକାନ ଖୋଲିଥିଲା । କିନ୍ତୁ ପ୍ରଶାସନ ସମସ୍ତ ଦୋକାନ ବଜାର ବନ୍ଦ କରିଦେଇଛି । ଯାହାଫଳରେ ରେଶମ ସହର ସମ୍ପୂର୍ଣ୍ଣ ଭାବେ ଶୂନଶାନ ହୋଇପଡ଼ିଛି ।
ପ୍ରଥମ ଦିନରେ ଏହାର ପ୍ରଭାବ ସେତେଟା ପଡିନଥିବା ବେଳେ ଦୁଇଦିନ ହେଲା ଲୋକ ସତର୍କ ହୋଇ ଘରୁ ବାହାରୁ ନାହାନ୍ତି । ବଡ଼ ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା-ଅଟା, ଡାଲି, ଆଳୁ, ପିଆଜ, ତେଲ, ଚାଉଳ, ଲୁଣ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ହୋଲ୍ସେଲ୍ ମାର୍କେଟ୍ ରହିଥିବା ବେଳେ ଏଠାରେ ଗହଳି ହେଉଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ମାର୍କେଟ୍ରେ ସମସ୍ତ ଦୋକାନ ବନ୍ଦ କରିବାକୁ ପୁଲିସ୍ ପକ୍ଷରୁ କୁହାଯାଇଥିଲା । ଏହି ମାର୍କେଟ୍ ବନ୍ଦ ହେଲେ ବ୍ରହ୍ମପୁର ସହ ଗଞ୍ଜାମ ଜିଲ୍ଲାରୁ ବହୁ ମାର୍କେଟ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ହୋଇପାରିବ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ସାହୁ । ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ, ଡେପୁଟି କମିଶନର ରୋମାଞ୍ଚକ ଖମାରୀ, ଏନ୍ଫୋର୍ସମେଣ୍ଟ ଅଫିସର ତରୁଣକାନ୍ତ ଓ ଅନ୍ୟ ଅଧିକାରୀ ମାନେ ସହରରେ ପାଟ୍ରୋଲିଂ ଜାରି ରଖିଛନ୍ତି । ଡାକବାଜି ଯନ୍ତ୍ର ମାଧ୍ୟମରେ ରାଜ୍ୟ ସରକାର ଓ ପ୍ରଶାସନର ନିଦେ୍ର୍ଧଶନାମା ପାଳନକରି କରୋନା ଭାଇରସ୍ ଠାରୁ ଦୂରରେ ରହିବା ପାଇଁ ସହଯୋଗ କରିବାକୁ ଅଳିଆ ସଂଗ୍ରହ ଗାଡ଼ିରେ ବାର୍ତ୍ତା ଦିଆଯାଉଛି । ସହରରେ ତେଜରାତି, ପରିବା, ଔଷଧ ଦୋକାନ ବ୍ୟତୀତ ଲୁଗା, ସୁନା, କପଡା, ମୋବାଇଲ୍ ଓ ଅନ୍ୟାନ୍ୟ ଦୋକାନଗୁଡିକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଆଜି ସମସ୍ତ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୂନ୍ଶାନ୍ ରହିଥିବା ଦେଖିବାକୁ ମିଳିଥିଲା ।


Comments are closed, but trackbacks and pingbacks are open.