ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅକ୍ଟୋବର ୧୪ ସୁଦ୍ଧା ରାଜ୍ୟର ୨୯ଟି ଖଣିକୁ ନିଲାମରେ ରଖିବ ଓଡ଼ିଶା । ୩ଟି ପର୍ଯ୍ୟାୟରେ ଏସବୁ ଖଣିଜ ବ୍ଲକ୍ ନିଲାମ କରାଯିବ । ଖଣି ଲିଜ୍ ସୀମା କୋହଳ ନେଇ ନିକଟରେ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଖଣି ନିଲାମକୁ ତ୍ୱରାନ୍ୱିତ କରିଛନ୍ତି । ରାଜ୍ୟ ସରକାରଙ୍କ ଜଣେ ବରିÂ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।
ଏବେ ଓଡ଼ିଶାରେ ମୋଟ ୪୦ ଖଣି ନିଲାମ ପାଇଁ ପ୍ରସ୍ତୁତ ରହିଛି । ସେଥିରେ ୨୦୨୦ ମାର୍ଚ୍ଚ ୩୧ରେ ଲିଜ୍ ଶେଷ ହେବାକୁ ଥିବା ୨୪ଟି କାର୍ଯ୍ୟକ୍ଷମ ମର୍ଚ୍ଚାଣ୍ଟ ଖଣି ଓ ୧୬ଟି ଫ୍ରି ହୋଲ୍ଡ ବା ଭର୍ଜିନ (ନୂଆ) ଖଣିଜ ବ୍ଲକ୍ ରହିଛି । ୨ଟି ଖଣିକୁ ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ୟୁ) ନିମନ୍ତେ ସଂରକ୍ଷଣ ରଖିବାକୁ ନିଷ୍ପତ୍ତି ହୋଇଛି । ଅନ୍ୱେଷଣ ଉଦେ୍ଧଶ୍ୟରେ ଅନ୍ୟ ୨ଟି ଖଣିକୁ ନିଲାମରେ ନ ରଖିବାକୁ ନିକଟରେ ଶେଷ ହୋଇଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।
ଖଣି ନିଦେ୍ର୍ଧଶକ ଦୀପକ ମହାନ୍ତି କହିଛନ୍ତି, ପୂର୍ବରୁ ଜୁଲାଇ ୩୧ରେ ୭ଟି ଖଣିଜ ବ୍ଲକ୍ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ନିଲାମ ଡକାଯାଇଥିବା ଏହି ଖଣିଜ ବ୍ଲକ ମଧ୍ୟରେ ୪ଟି ଚୂନପଥର, ଗୋଟିଏ ଗ୍ରାଫାଇଟ୍ ଓ ୨ଟି କ୍ରୋମାଇଟ୍ ଖଣି ରହିଛି । ତେବେ ଖଣି ଲିଜ୍ ସୀମା କୋହଳ ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନ ଥିବାରୁ ନିଲାମ ପ୍ରକ୍ରିୟା ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ନିଦେ୍ର୍ଧଶ ଦେଇଥିଲେ । ଗତ ସପ୍ତାହରେ ଖଣି ଲିଜ୍ ସୀମା କୋହଳ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏହାପରେ ସରକାର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି ।
ବଳକା ୨୯ଟି ଖଣିର ନିଲାମ ପାଇଁ ସରକାର ସେପ୍ଟେମ୍ବର ୨୬ରୁ ୩ଟି ପର୍ଯ୍ୟାୟରେ ଇ-ଟେଣ୍ଡର ଆହ୍ୱାନ କରିବେ । ସେପ୍ଟେମ୍ବର ୨୬ ପରେ ଅକ୍ଟୋବର ୪ ଓ ୧୪ରେ ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରିବାକୁ ନିଷ୍ପତ୍ତି ହୋଇଛି । ୨ ମାସ ମଧ୍ୟରେ ଏ ସମସ୍ତ ଖଣିର ନିଲାମ ପ୍ରକ୍ରିୟା ଶେଷ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
୨୦୨୦ ମାର୍ଚ୍ଚ ୩୧ରେ ଲିଜ୍ ଅବଧି ଶେଷ ହେବାକୁ ଥିବା ଟାଟା ଷ୍ଟିଲ୍ର ସୁକିନ୍ଦା କ୍ରୋମାଇଟ୍ ଖଣିଜ ବ୍ଲକ୍କୁ ଏକ ରାଜ୍ୟ ପିଏସ୍ୟୁ ପାଇଁ ସଂରକ୍ଷଣ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଖଣି ନିଦେ୍ର୍ଧଶକ କହିଛନ୍ତି, ଟାଟା ଷ୍ଟିଲ୍ର ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଓଡ଼ିଶା ମିନେରାଲ୍ ଏକ୍ସପ୍ଲୋରେସନ୍ କର୍ପୋରେସନ ଲିମିଟେଡ୍ (ଓଏମ୍ଇସିଏଲ୍) ପାଇଁ ରଖାଯିବ । ଏଣୁ ଏହାକୁ ନିଲାମରେ ରଖାଯିବ ନାହିଁ । ୪୦୬ ହେକ୍ଟରରେ ପରିବ୍ୟାପ୍ତ ଟାଟା ଷ୍ଟିଲ୍ ସୁକିନ୍ଦା କ୍ରୋମାଇଟ୍ ଖଣିରେ ୯୫.୮୨୧ ନିୟୁତ ଟନ୍ କ୍ରୋମାଇଟ୍ ଓ ୧୦.୨୧ ନିୟୁତ ଟନ୍ ପାଇରକ୍ସନାଇଟ୍ ମହଜୁଦ ରହିଛି ।
ସେହିଭଳି ୨୦୨୦ ମାର୍ଚ୍ଚରେ ଲିଜ୍ ସରିବାକୁ ଥିବା କେଜେଏସ୍ ଆଲୁୱାଲିଆ ଗୋନୁଆ ଲୁହାପଥର ଖଣିକୁ ୩ଟି ଖଣିଜ ବ୍ଲକ୍ରେ ପରିଣତ କରି ନିଲାମରେ ରଖିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୭୬୭.୨୮ ହେକ୍ଟରରେ ଅବସ୍ଥିତ କେଜେଏସ୍ ଆଲୁୱାଲିଆ ଲୁହାପଥର ଖଣିରେ ୭୯୨.୯୩ ନିୟୁତ ଟନ୍ ଲୁହାପଥର ମହଜୁଦ ରହିଛି ।
ସୂଚନା ଥାଉକି, ଖଣି ଲିଜ୍ ସୀମା ୫୮ ବର୍ଗକିଲୋମିଟରକୁ କୋହଳ କରିବା ପାଇଁ ରାଜ୍ୟ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଫଳରେ ଟାଟା ଷ୍ଟିଲ୍ ଓ ରୁଙ୍ଗଟା ଭଳି ବଡ଼ ଖଣି ଲିଜ୍ଧାରୀଙ୍କ ପାଇଁ ଓଡ଼ିଶା ଖଣି ନିଲାମରେ ଅଂଶଗ୍ରହଣ ନେଇ ବାଟ ଫିଟିଛି ।


Comments are closed, but trackbacks and pingbacks are open.