୧୫ ପରେ ଟିମ୍ ଇଣ୍ଡିଆ କୋଚ୍ ଚୟନ

Get real time updates directly on you device, subscribe now.

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଚୟନରେ ସାମାନ୍ୟ ବିଳମ୍ବ ଘଟିବା ଆଶା କରାଯାଉଛି । ସ୍ୱାଧିନତା ଦିବସ (୧୫ ତାରିଖ)ପରେ କ୍ରିକେଟ୍ ପରାମର୍ଶଦାତା କମିଟି ପକ୍ଷରୁ ବୈଠକ ଡକାଯାଇ ମୁଖ୍ୟ କୋଚ୍ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯିବ । କୋଚ୍ଙ୍କ ସାକ୍ଷାତକାର ପାଇଁ ପୂର୍ବରୁ ୧୩ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ପୂର୍ବରୁ କିଛି ସାମ୍ବିଧାନିକ କାର୍ଯ୍ୟ ଶେଷ କରିବାକୁ ବିସିସିଆଇ ପ୍ରଶାସକ କମିଟି ନିଷ୍ପତ୍ତି ନେଇଛି । ତେଣୁ କୋଚ୍ ଚୟନରେ କିଛି ଦିନ ବିଳମ୍ବ ଘଟିବ ବୋଲି ଜଣା ପଡ଼ିଛି ।
ବର୍ତ୍ତମାନର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ସମସ୍ତ ସହକାରୀ କୋଚ୍ଙ୍କ କାର୍ଯ୍ୟକାଳ ଚଳିତ ୱେଷ୍ଟ ଇଣ୍ଡିଜ୍ ଗସ୍ତ ପରେ ଶେଷ ହୋଇଯିବ । ଘରୋଇ ସିଜିନ ଆରମ୍ଭ ହେବା ପୂର୍ବରୁ ନୂତନ କୋଚ୍ଙ୍କୁ ନିଯୁକ୍ତ କରାଯିବ । ଜନୈକ ବିସିସିଆଇ ସଦସ୍ୟ କହିଛନ୍ତି ଯେ, ମୁଖ୍ୟ କୋଚ୍ ଓ ସହକାରୀ କୋଚ୍ ପଦପାଇଁ ୨୦୦୦ରୁ ଅଧିକ ଆବେଦନ ଆସିଥିଲା । କ୍ରିକେଟ୍ ପରାମର୍ଶଦାତା କମିଟି ଏମାନଙ୍କ ମଧ୍ୟରୁ କେବଳ ୬ ଜଣ ଆଶାୟୀ ପ୍ରାର୍ଥିୀଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିଛି । ଅନ୍ୟମାନଙ୍କୁ ବାଦଦିଆଯାଇଛି ।
ମୁଖ୍ୟ କୋଚ୍ ପଦପାଇଁ ସେଭଳି ସଫଳ ତଥା ଦକ୍ଷ ପ୍ରାର୍ଥୀ ଆବେଦନ କରି ନଥିଲେ । କେବଳ ଅଭିଜ୍ଞତା ଅନୁଯାୟୀ ନ୍ୟୁଜିଲାଣ୍ଡର ମାଇକ୍ ହେସନ, ଅଷ୍ଟ୍ରେଲିଆର ଟମ୍ ମୁଡି ଓ ଭାରତର ଲାଲଚାନ୍ଦ ରାଜପୁତ ଆବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୋଲିଂ କୋଚ୍ ପଦପାଇଁ ଭେଙ୍କଟେଶ ପ୍ରସାଦ, ବ୍ୟାଟିଂ କୋଚ୍ ପାଇଁ ପ୍ରବୀଣ ଆମ୍ରେ ଓ ଫିଲ୍ଡିଂ କୋଚ୍ ପଦପାଇଁ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସ ଚର୍ଚ୍ଚିତ ପ୍ରାର୍ଥୀ ରହିଛନ୍ତି ।ହେସନ୍ କିଙ୍ଗ୍ସ ଏକାଦଶ ପଞ୍ଜାବର କୋଚ୍ ପଦକରୁ ଇସ୍ତଫା ଦେବା ପରେ ଟିମ୍ ଇଣ୍ଡିଆ କୋଚ୍ ପଦପାଇଁ ଦାବିଦାର ରହିଥିବା ସ୍ପଷ୍ଟ ହୋଇ ଯାଇଛି । ସେହିପରି ମୁଡି ୨୦୦୫ରେ କୋଚ୍ ପଦପାଇଁ ଆବେଦନ କରିଥିଲେ । ସେତେବେଳେ ବିସିସିଆଇ ଗ୍ରେଗ୍ ଚାପେଲଙ୍କୁ କୋଚ୍ ଭାବେ ନିଯୁକ୍ତ କରିଥିଲା । ମୁଡି ବାଦପଡ଼ିଯାଇଥିଲେ ।
କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ୍ ପରାମର୍ଶଦାତା କମିଟି କେବଳ ଏହି ୬ ଜଣଙ୍କ ସାକ୍ଷାତକାର ନେବ । ଫଳରେ ଦିନକ ମଧ୍ୟରେ ଚୟନ ପ୍ରକ୍ରୀୟା ଶେଷ ହେବ । ସାକ୍ଷାତକାର ଜରିଆରେ ପରମର୍ଶଦାତା କମିଟି କିଛି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ବିସିସିଆଇକୁ ହସ୍ତାନ୍ତର କରିବେ । ବିସିସିଆଇ ଏମାନଙ୍କ ମଧ୍ୟରୁ ଉପଯୁକ୍ତ ବ୍ୟକ୍ତିଙ୍କୁ ବିସିସିଆଇ ନିଯୁକ୍ତି ଦେବ ।
ଶାସ୍ତ୍ରୀ ପୂର୍ବବତ୍ କୋଚ୍ ପଦବଜାୟ ରଖିବା ଆଶା କରାଯାଉଛି । ଶାସ୍ତ୍ରୀଙ୍କ ଅଧିନରେ ଭାରତୀୟ ଦଳର ପ୍ରଦର୍ଶନ ବେଶ୍ ଉନ୍ନତ ରହିଥିବା ପରାମର୍ଶଦାତା କମିଟି ଉପଲବ୍ଧି କରୁଛି । ଭାରତୀୟ ଦଳ ପାଇଁ ବିଦେଶୀ କୋଚ୍ ନିଯୁକ୍ତ କରିବାକୁ ମଧ୍ୟ ପରାମର୍ଶଦାତା କମିଟି ଆଗ୍ରହୀ ନୁହେଁ । ୨୦୧୧ ବିଶ୍ୱକପ୍ ସମୟରେ ଭାରତୀୟ ଦଳର କୋଚ୍ ଥିବା ଗ୍ୟାରୀ କିର୍ଷ୍ଟନଙ୍କ ଭଳି ଦକ୍ଷ ବିଦେଶୀ କୋଚ୍ ମିଳିଲେ ପରାମର୍ଶଦାତା କମିଟି କୋଚ୍ ପରିବର୍ତ୍ତନ ପାଇଁ ବିଚାର କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons