
ଜଗତସିଂହପୁର,(ବି.ବି.ନୁ୍ୟଜ): କଥାରେ ଅଛି ‘ରଖେ ହରି ତ ମାରେ କିଏ?’ । ସ୍ୱୟଂ ଭଗବାନ ଯାହାକୁ ସାହା ହେବେ ତାର କିଛି ବି କେହି କ୍ଷତି ପହଞ୍ଚାଇ ପାରିବ ନାହିଁ । ଏହାକୁ ସତ୍ୟ ସାବ୍ୟସ୍ତ କରି, ସମୁଦ୍ରରେ ଦୀର୍ଘ ୧୬ ଘଣ୍ଟା ଭାସିବା ପରେ ଉଦ୍ଧାର ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ହାଜିପୁର କମାଶାସନ (କଣ୍ଟାପଡ଼ା) ଗ୍ରାମର ପୀତବାସ ରାଉତରାୟ (୪୦) । ଗତ ୧୭ ତାରିଖ ଆରବ ସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ବାତ୍ୟାକୁ ସମ୍ମୁଖୀନ ହୋଇଥିବା ପୀତବାସଙ୍କୁ ଏକରକମ ନୂଆ ଜୀବନ ମିଳିଥିବା ବେଳେ ଗତକାଲି ସେ କଣ୍ଟାପଡ଼ା ସ୍ଥିତ ତାଙ୍କ ଘରେ ପହଞ୍ଚିବା ପରେ ପରିବାରରେ ଖୁସି ଖେଳିଯାଇଛି ।
ପୀତବାସ ଆଇଟିଆଇ ପାସ କରିବା ପରେ ୨୦୦୪ ମସିହାରୁ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନରେ କାର୍ଯ୍ୟରତ ଅଛନ୍ତି । ଗତ ୬ ମାସ ହେବ ସେ ସୁଦୂର ମୁମ୍ବାଇଠାରୁ ୧୦୦ କିମି ଦୂର ଆରବ ସାଗରର ସମୁଦ୍ର ମଝିରେ ଆପ୍ପା ନାମକ ଜାହାଜରେ ରହି ହରି ପ୍ଲାଟଫର୍ମରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଉତ୍ପାଦନ କାର୍ଯ୍ୟରେ ସାମିଲ ଥିଲେ । ଏହି କାର୍ଯ୍ୟରେ ୨୬୧ ଜଣ ଶ୍ରମିକ ନିୟୋଜିତ ଥିଲେ । ପୀତବାସଙ୍କ କହିବା ମୁତାବକ, ମେ’ ୧୭ ତାରିଖ ଦିନ ଭୟଙ୍କର ବାତ୍ୟା ହେବାକୁ ଥିବା ନେଇ ସେମାନଙ୍କ ନିକଟରେ ପୂର୍ବରୁ ଏକ ମେସେଜ ପହଞ୍ଚିଥିଲା । ମାତ୍ର କେହି ତାହାକୁ ଏତେ ଗୁରୁତ୍ୱ ଦେଇନଥିଲେ । ୧୬ ତାରିଖ ସନ୍ଧ୍ୟାରେ ବାତ୍ୟାର ପ୍ରକୋପ ଆରବ ସାଗରରେ ଦେଖା ଦେଇଥିଲା । ୧୭ ତାରିଖ ସକାଳେ ୧୮୦ ରୁ ୨୦୦ କିମି ବେଗରେ ପବନ ବହିବା ସହ ୧୫ ରୁ ୨୦ ମିଟର ଉର୍ଚ୍ଚରେ ସମୁଦ୍ରରେ ଲହରୀ ଉଠିଥିଲା । ଫଳରେ ଆପ୍ପା ଜାହାଜର ୮ଟି ଆଙ୍କର ଭାଙ୍ଗି ଯିବାରୁ ଆଉ ଏକ ଓଏନ୍ଜିସି ପ୍ଲାଟଫର୍ମ ସହିତ ଧକ୍କା ଖାଇଥିଲା । ଏହା ଦ୍ୱାରା ଆପ୍ପା ଜାହାଜରେ ଧୀରେ ଧୀରେ ବୁଡ଼ିବାକୁ ଲାଗିଲା । ଏହା ଦେଖି କେତେ ଜଣ ଡେଇଁ ପଡିବାରୁ ସେମାନଙ୍କର ପ୍ରାଣହାନି ଘଟିଥିବା ବେଳେ ପୀତବାସ ଓ ଅନ୍ୟମାନେ ଜାହାଜ ବୁଡ଼ିବା ପର୍ଯ୍ୟନ୍ତ ସେଠାରେ ଧୈର୍ଯ୍ୟର ସହ ରହିଥିଲେ । ଅନ୍ୟପଟେ ଆପ୍ପା ବୁଡ଼ି ଯାଉଥିବା ଖବର ପ୍ରଚାର ହେବା ମାତ୍ରେ ଭାରତୀୟ ନୌସେନାର ଜାହାଜ ଓ ଉଦ୍ଧାରକାରୀ ଦଳ ପହଞ୍ଚି କେତେ ଜଣଙ୍କୁ ଉଦ୍ଧାର କରିବା ପରେ ସନ୍ଧ୍ୟା ହୋଇଯାଇଥିଲା । ଭୀଷଣ ଲହରୀରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ବାଧା ଉପୁଜିଥିଲା । ସେତେବେଳକୁ ବୁଡୁଥିବା ଜାହାଜରୁ ପୀତବାସ ଲାଇଫ ଜ୍ୟାକେଟ ପରିଧାନ କରି ନିଜ ଜୀବନ ବଞ୍ଚାଇବାକୁ ଆରବ ସାଗରକୁ ଡେଇଁ ପଡି ଭାସିବାକୁ ଲାଗିଥିଲେ । ଦୀର୍ଘ ୧୬ ଘଣ୍ଟା ମଝି ସମୁଦ୍ରରେ ଭାସିବା ପରେ ୧୮ ତାରିଖ ଦିନ ତାଙ୍କୁ ଭାରତୀୟ ନୌସେନା ପକ୍ଷରୁ ଉଦ୍ଧାର କରାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେ ସୁସ୍ଥ ଥିବା ଜଣାପଡ଼ିଥିଲା । ସେଠାରୁ ମୁମ୍ବାଇ ଆସିବା ପରେ ସେ ଗତକାଲି ସନ୍ଧ୍ୟାରେ କମାଶାସନରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ପୀତବାସଙ୍କୁ ପାଇ ପରିବାର ଲୋକଙ୍କ ଆନନ୍ଦର ସୀମା ରହିନଥିଲା ।


Comments are closed, but trackbacks and pingbacks are open.