୧୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୧୧ ଗିରଫ

Get real time updates directly on you device, subscribe now.

କୋରୁକୋଣ୍ଡା,(ବି.ବି.ନୁ୍ୟଜ୍): ପୁଣି ଧରାପଡ଼ିଛି କାଉଡ଼ିରେ ଗଞ୍ଜେଇ ଚାଲାଣ । ମାଲକାନଗିରି ଜିଲ୍ଲା ଓର୍କେଲ(ବାଲିମେଳା) ପୁଲିସକୁ ମିଳିଛି ଏହି ସଫଳତା । ଜବତ ହୋଇଛି ପ୍ରାୟ ୧୭ କ୍ୱିଣ୍ଟାଲ ଗଞ୍ଜେଇ । ଏହାର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି । ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୧୧ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ କୋରାପୁଟ କୋଟପାଡ଼ ଅଞ୍ଚଳର ସଦାଶିବ ହରିଜନ, ସୋମନାଥ କନବିଟ, ବଳରାମ ଗୌଡ, ବୁଟି ଅମାନତ, ପଦଲାମ କୁଡି, ମଙ୍ଗଲଦାସ ଦିଶାରୀ, ନବରଙ୍ଗପୁର କୋଷାଗୁମୁଡା ଅଞ୍ଚଳର ଶ୍ରୀଧର ହରିଜନ, ହରିରାମ ଗଣ୍ଡ, ପଦ୍ମନ ହରିଜନ, ବନବୋଧ ରନ୍ଧାରୀ ଓ ଛତିଶଗଡ ଅଞ୍ଚଳର ଧନୁର୍ଜୟ ଭତ୍ରା । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ନେଇଛନ୍ତି ଚିତ୍ରକୋଣ୍ଡା ଏସ୍ଡିପିଓ ସୁନାରାମ ହେମ୍ବ୍ରମ ।
ଶ୍ରୀ ହେମ୍ବ୍ରମଙ୍କ ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେଉଥିବା ସଂପର୍କରେ ପ୍ରଥମେ ସେ ଖବର ପାଇବା ପରେ ଗଢାଯାଇଥିଲା ୧୨ ଜଣିଆ ସ୍ୱତନ୍ତ୍ର ପୁଲିସ୍ ଟିମ୍ । ଓର୍କେଲ ଆଇଆଇସି ଜଗଦୀଶ ବାରା, ଏସ୍ଆଇ ନୀଳାଦ୍ରିଚରଣ ବିଶ୍ୱାଳ, ଏଏସଆଇ ସୁଶିଲ କୁମାର ଦାସଙ୍କ ସମେତ ଏହି ଟିମ୍ କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତର ସୋରୁଲୁକୋଣ୍ଡା ଜଳଭଣ୍ଡାର ଏବଂ ଏମଭି-୫୧ ଗ୍ରାମ ମୁଖ୍ୟ ରାସ୍ତାରେ ଜଗି ରହିଥିଲେ । ୧୯ ତାରିଖ ରାତିରେ କାଉଡିରେ ଗଞ୍ଜେଇ ଧରି ୫୦ରୁ ଅଧିକ କାଉଡ଼ିଆ ଆସିଥିଲେ । ପୁଲିସ ସେଠାରେ ଚଢଉ କରିଥିଲା । ଅନ୍ଧାରର ସୁଯୋଗ ନେଇ ଅଧିକାଂଶ କାଉଡିଆ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ୧୧ ଜଣଙ୍କୁ କାବୁ କରିଥିଲା ପୁଲିସ୍ । ୪୨ଟି କାଉଡ଼ି ଭର୍ତ୍ତି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଥାନାକୁ ଅଣାଯାଇଥିଲା । ଓଜନ କରାଯିବାରୁ ମୋଟ ୧୬୯୨ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଜବତ ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳର ପୁରୁଣାପାଣିରୁ କୋଟପାଡ ଅଞ୍ଚଳକୁ ଚାଲାଣ ହେଉଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଥିଲା । ଏ ସଂପର୍କରେ ଓର୍କେଲ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଣେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ କ୍ରିଷ୍ଣାକୁମାରୀ ପ୍ରଧାନ ଏହାର ତଦନ୍ତ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons