କଟକ,(ବି.ବି.ବୁ୍ୟରୋ): ଏସ୍ସିବି ଆଇସିୟୁ ଭିତରୁ ଖସିଯିବାରେ ସଫଳ ହୋଇଛି ଜଣେ ବିଚାରାଧୀନ ବନ୍ଦୀ । ପୁଲିସ ପ୍ରହରା ଓ ସୁରକ୍ଷା ବ୍ୟବସ୍ଥା ଭିତରେ ଚିକିତ୍ସିତ ହେଉଥିବା ବନ୍ଦୀ ଜଣକ ସମସ୍ତଙ୍କୁ ଚକମା ଦେଇ ଖସି ପଳାଇଯିବା ପରେ ଏସ୍ସିବିରେ ତମ୍ବିତୋଫାନ ଆରମ୍ଭ ହୋଇଯାଇଥିଲା । ତେବେ ପାଖାପାଖି ୧୮ ଘଣ୍ଟା ପରେ ନାଟକୀୟ ଢଙ୍ଗରେ ବନ୍ଦୀ ଜଣକ ପିଠାପୁର ଅଞ୍ଚଳର ଜଣେ ପ୍ରତିÂିତ ଆଇନଜୀବୀଙ୍କ ଘରୁ ବାହାରୁଥିବା ବେଳେ ଧରା ହୋଇଛି । ବନ୍ଦୀ ଜଣକ ହେଉଛି କୋଣାର୍କ ଅଞ୍ଚଳର ଆଲୋକ କୁମାର ସାହୁ(୨୨) । ସେ’ ଜଣେ କୁଖ୍ୟାତ ଅପରାଧୀ ବୋଲି ପୁଲିସ କହିଛି ।
ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଥାନା ଅଞ୍ଚଳରେ ଏକ ମଦ ଦୋକାନରେ ଚୋରି ହୋଇଥିଲା । ଏହି ଚୋରି ଘଟଣାରେ ରଘୁନାଥପୁର ପୁଲିସ ଗତ ୪ ତାରିଖରେ ଅଭିଯୁକ୍ତ ଆଲୋକକୁ ଧରିଆଣି ଥାନାରେ ରଖି ପଚରାଉଚରା କରିଥିଲା । ମାତ୍ର ଥାନାରେ ଥିବା ବେଳେ ସେ’ ପାଇଖାନାକୁ ପରିସ୍ରା କରିବାକୁ ଯିବା କଥା କହି ପାଇଖାନାରେ ରଖାଯାଇଥିବା ଫିନାଇଲ୍ ପିଇ ଦେଇଥିଲା । ଏହା ପରେ ଗୁରୁତର ଅବସ୍ଥାରେ ଆଲୋକକୁ ରଘୁନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତା’ ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ଏସ୍ସିବି ସ୍ଥାନାନ୍ତର କରାଗଲା । ଏସ୍ସିବି ଆସିବା ପରେ ପ୍ରଥମେ ତାକୁ ମେଡ଼ିସିନ୍ ୱାର୍ଡ ଓ ପରେ ସେଣ୍ଟ୍ରାଲ୍ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗଲା ସପ୍ତାହେ ହେବ ଆଲୋକ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲା ।
ଗତକାଲି ରାତିରେ ସେ’ ପରିସ୍ରା କରିବାକୁ ଯିବ ବୋଲି କହି ଆଇସିୟୁ ବେଡ୍ରୁ ଉଠି ବାହାରକୁ ଆସିଥିଲା । ଏହି ସମୟରେ ଆଇସିୟୁ ଗେଟ୍ ବାହାରେ ପ୍ରହରା ଦେଉଥିବା ରଘୁନାଥପୁର ଥାନାର ଦୁଇ କନ୍ଷ୍ଟେବଳ ନଥିବାରୁ ଆଲୋକ ସୁଯୋଗ ଦେଖି ସେଠାରୁ ଚମ୍ପଟ ମାରିଥିଲା । ମଧ୍ୟରାତ୍ରି ବେଳକୁ ସେ ଫେରାର୍ ହୋଇଯାଇଥିବା ବିଷୟରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଜାଣି ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ମଙ୍ଗଳାବାଗ ଥାନା ପୁଲିସ ଓ ରଘୁନାଥପୁର ଥାନା ପୁଲିସ ମିଳିତ ଭାବେ ତାକୁ ଖୋଜିବାକୁ ଲାଗିଲେ । ଇତିମଧ୍ୟରେ ଜଣେ ବନ୍ଦୀ ହସ୍ପିଟାଲ୍ରୁ ଖସିଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ ଆଜି ଦିନ ପ୍ରାୟ ୨ଟା ବେଳକୁ ପୁଲିସକୁ ଖବର ମିଳିଥିଲା କି’ ଅଭିଯୁକ୍ତ ଆଲୋକ ଏସ୍ସିବିରୁ ଖସି ପିଠାପୁର ଅଞ୍ଚଳରେ ରହୁଥିବା ଜଣେ ପ୍ରତିÂିତ ଆଇନଜୀବୀଙ୍କ ଶରଣ ପଶି ତାଙ୍କ ଘରେ ଆଇନ ପରାମର୍ଶ ପାଇଁ ଅଛି । ପୁଲିସ ସେଠାରେ ପହଞ୍ଚି ଡେରା ପକାଇ ଛକି ରହିଥିଲା । ଅପରାହ୍ନ ପ୍ରାୟ ୪ଟାରେ ଅଭିଯୁକ୍ତ ଆଲୋକ ଉକ୍ତ ଆଇନଜୀବୀଙ୍କ ଘରୁ ବାହାରି ଅନ୍ୟତ୍ର ଯିବା ପାଇଁ ଉଦ୍ୟମ କଲା ବେଳେ ଛକି ରହିଥିବା ପୁଲିସ ଟିମ୍ ତାକୁ ଧରିନେଇଥିଲା । ଏହା ପରେ ଆଲୋକକୁ ପୁନର୍ବାର ଏସ୍ସିବି ମେଡ଼ିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ଆସନ୍ତାକାଲି ଆଲୋକର ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରମାନେ ରିପୋର୍ଟ ଦେବା ପରେ ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁÂାନ କରିବ ବୋଲି କୁହାଯାଉଛି । ଆଜିର ଘଟଣା ନେଇ ମଙ୍ଗଳାବାଗ ଥାନାରେ ଆଇପିସିର ଧାରା ୨୨୪ (ପୁଲିସ ହେପାଜତରୁ ଖସିଯିବା)ରେ ଏକ ମାମଲା ରୁଜୁ କରାଯାଇଛି । ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବା ପରେ ଆଲୋକକୁ ମଙ୍ଗଳାବାଗ ଥାନା ପୁଲିସ କୋର୍ଟରେ ହାଜର କରିବ ବୋଲି କହିଛି ।
Comments are closed, but trackbacks and pingbacks are open.