୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ୩୮୬ କୋଟି

Get real time updates directly on you device, subscribe now.

ଭୁବନେଶ୍ୱର: କାଳିଆ ହିତାଧିକାରୀଙ୍କୁ ମିଳିଛି କୋଭିଡ୍ ସହାୟତା । କାଳିଆ ଯୋଜନା ଅନ୍ତର୍ଗତ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର କୋଭିଡ୍ ସହାୟତା ବଣ୍ଟନ କରାଯାଇଛି । ପ୍ରତି ଭୂମିହୀନ ଚାଷୀ ପରିବାରକୁ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସହାୟତା ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇ କହିଛନ୍ତି, ସ୍ୱାମୀନାଥନ୍ କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ସବୁବେଳେ ଦାବି କରି ଆସିଛି । ଏହା ପୂରଣ ହେଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦମ୍ଭର ସହ କହିଛନ୍ତି ।
ଭୂମିହୀନ ଚାଷୀଙ୍କୁ କୋଭିଡ୍ ସହାୟତା ବଣ୍ଟନର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ କୋଭିଡ୍ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି । ଚାଷୀ, ଶ୍ରମିକ ଓ ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର । ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତିକୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀର ତ୍ୟାଗ ଓ ପରିଶ୍ରମ ରହିଛି । ଆମେ ତା’ର ତ୍ୟାଗକୁ ସମ୍ମାନ ମଧ୍ୟ କରୁ ।
ମୁଖ୍ୟମନ୍ତ୍ରୀ କହିଲେ, ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ । ତେଣୁ ଚାଷୀର ସ୍ୱାର୍ଥର ସୁରକ୍ଷା ସବୁବେଳେ ତାଙ୍କର ପ୍ରାଥମିକତା ହୋଇ ରହି ଆସିଛି । କାଳିଆ ଯୋଜନା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି । ମନରେ ଭରସା ଦେଇଛି । ଏଥିପାଇଁ କାଳିଆ ହେଉଛି ମୋର ସବୁଠାରୁ ପ୍ରିୟ ଯୋଜନା । ସେ କହିଲେ, ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିଛି । ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତିକୁ ବଞ୍ଚାଇ ଥିଲା । ଦ୍ୱିତୀୟ ଲହରରେ ଲକଡାଉନ ସଟ୍ଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି । ସେଥିପାଇଁ ରାଜ୍ୟ ସରକାର ଚାଷୀ, ଶ୍ରମିକ, ଉଠା ଦୋକାନୀ, ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଲେ, କୋଭିଡ୍ ବିରୋଧରେ ଲଢେଇ କେବଳ ସରକାର ବା ଡାକ୍ତର ଅବା ସ୍ୱାସ୍ଥ୍ୟକର୍ମୀ ମାନଙ୍କର ନୁହେଁ । ଏହା ଆମ ସମସ୍ତଙ୍କର ଲଢେଇ । ତେଣୁ ଏହି ଲଢେଇରେ ବିଜୟ ପାଇଁ ଚାଷୀ ଭାଇମାନେ ସମସ୍ତେ ଟିକା ନେବା ସହ କୋଭିଡର ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ.ଅରୁଣ ସାହୁ କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ୱର ସେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀମାନଙ୍କ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରଯାଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ । ନିଜ ସଫଳତା ସମ୍ପର୍କରେ ବର୍ଣ୍ଣନା କରି ମାଳତି ମେଲେକା କହିଥିଲେ କାଳିଆ ଯୋଜନାରେ ପାଇଥିବା ସହାୟତାକୁ ସେ ଛତୁ ଚାଷରେ ବିନିଯୋଗ କରି ଲାଭବାନ ହୋଇଛନ୍ତି । ସେହିପରି ସୁନ୍ଦରଗଡର ସୁରଥ ମାଝୀ କାଳିଆ ଯୋଜନା ସହାୟତାରେ ଜାଲ କିଣି ମାଛ ଧରିବା ସହ ଚାଷ କରି ସେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ଭଦ୍ରକର ଗଣେଶ ଦାସ କାଳିଆ ଯୋଜନା ସହାୟତାରେ ମାଛ ଓ ଶୁଖୁଆ ବେପାର କରି ପରିବାର ଭଲରେ ଚଳାଉଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ବାବଦରେ ୧୦୦୦ ଟଙ୍କା ଲେଖାଏଁ ସହାୟତା ପାଇ ସବୁ ଭୂମିହୀନ ଚାଷୀ ଖୁସି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।
ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି । କାଳିଆ ଯୋଜନାରେ ଚାଷୀମାନେ ୩ଟି କିସ୍ତି ରେ ୧୨,୫୦୦ ଟଙ୍କା ପାଇଥାନ୍ତି । ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କୃଷି ବିଭାଗ କମିଶନର ତଥା ସଚିବ ଏସ. କେ. ବଶିÂ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କୃଷି ନିଦେ୍ର୍ଧଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଏବଂ ୩୦ଟି ଜିଲ୍ଲାର ଭୂମିହୀନ ଚାଷୀମାନେ ଭିଡିଓ କନ୍ଫରେନସିଂ ଜରିଆରେ ଯୋଗ ଦେଇଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons