୧୯ରୁ ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୧୯ରୁ ବିଜେପି ସମଗ୍ର ଦେଶରେ ଆରମ୍ଭ କରୁଛି ‘ଜନ ଆଶୀର୍ବାଦ ଯାତ୍ରା’ । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସମସ୍ତ କେନ୍ଦ୍ରମନ୍ତ୍ରୀ ଦେଶର ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡ଼ିବେ । ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ ଦିନ ଚାଲିବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀମାନେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବେ । ଏହି ଯାତ୍ରା ପାଇଁ ଆସନ୍ତା ୧୯ରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ।
ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି, ୧୯ ସକାଳେ ଉଭୟ ମନ୍ତ୍ରୀ ଭୁବନେଶ୍ୱରଠାରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ଦୁଇ ମନ୍ତ୍ରୀ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ୧୯ ସଂଧ୍ୟାରେ ରେଳ ଯୋଗେ ରାୟଗଡ଼ା ଗସ୍ତ କରିବେ । ୨୦ ସେ ସେ କୋରାପୁଟ ଗସ୍ତ କରି ରାତ୍ରୀଯାପନ କରିବେ । ୨୧ରେ ଜୟପୁର, ନବରଙ୍ଗପୁର ଦେଇ ଗସ୍ତ କରି ଭବାନୀପାଟଣାରେ ରାତ୍ରୀଯାପନ କରିବେ । ୨୨ରେ ଶ୍ରୀ ବୈଷ୍ଣବ କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝୀ, ପାଟଣାଗଡ଼ ଦେଇ ବଲାଙ୍ଗୀରଠାରେ ପହଞ୍ଚିବେ । ୨୨ ସଂଧ୍ୟାରେ ସେ ବଲାଙ୍ଗୀରରୁ ଭୁବନେଶ୍ୱର ଫେରି ଆସି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଏହି ଜନ ଆଶୀର୍ବାଦ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ୭ଟି ଜିଲ୍ଲା, ୬ଟି ଲୋକସଭା ଅଂଚଳରେ ୧୧୫ଟି ସ୍ଥାନରେ ଅନୁÂିତ ହେବାକୁ ଥିବା ସଭା ଓ କାର୍ଯ୍ୟକ୍ରମରେ ଯୋଗଦେବେ ।
ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିବେ । ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଅସୁସ୍ଥ ଥିବା କାରଣରୁ ତାଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକୁ ସୁପରିଚାଳିତ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ରେ ପୂର୍ବତନ ବିଧାୟକ ରବି ନାଏକ, ଡ. ଲେଖାଶ୍ରୀ ସାମନ୍ତସିଂହାର, ସୀମାଂଚଳ ଖଟେଇ ଅଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons