ପାରାଦୀପ,(ବି.ବି.ନୁ୍ୟଜ): ସୋମବାର ରାତିରେ ବଙ୍ଗୋପସାଗରରେ ଏକ ମାଛଧରା ଡଙ୍ଗା ଫସିଥିବା ନେଇ ଭାରତୀୟ ତଟରକ୍ଷୀ ବାହିନୀକୁ ଖବର ମିଳିଥିଲା । ଉକ୍ତ ଡଙ୍ଗାକୁ ଭିଏଚ୍ଏଫ୍ ରେଡିଓସେଟ୍ରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଇଣ୍ଡିଆନ୍ କୋଷ୍ଟ୍ ଗାଡର୍୍ ସିପ୍ ଆଇସିଜିଏସ୍-ଭରଦ ବଙ୍ଗୋପସାଗରରେ ପହରା ଦେଉଥିବା ଦେବେ ସେଠାକୁ ଖବର ପଠାଯାଇଥିଲା । ଆଜି ପୂର୍ବାହ୍ନରେ ଫସିଥିବା ବାଂଲାଦେଶୀ ଡଙ୍ଗା ପାଖରେ ଭରଦ ପହଞ୍ଚି ଡଙ୍ଗା ସମେତ ୧୯ ଜଣ ବାଂଲାଦେଶୀ ନାବିକଙ୍କୁ ଉଦ୍ଧାର କରିଛି । ‘ରାଣା’ ନାମକ ଡଙ୍ଗାଟି ବାଂଲାଦେଶର କୋକ୍ସ ବଜାର ଅଞ୍ଚଳରୁ ସମୁଦ୍ରକୁ ମାଛ ଧରିବାକୁ ଗତ ୧୫ ନଭେମ୍ବରରେ ବାହାରିଥିବା ଜଣାପଡ଼ିଛି । ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ଦିଗହରା ହେବା ସହ ନିଜ ଦେଶ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏପରିକି ଡଙ୍ଗାରେ ଥିବା ନାବିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଶେଷ ହୋଇଯାଇଥିଲା । ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ସହିତ ଖାଦ୍ୟ ଓ ପାଣି ଯୋଗାଇ ବାଂଲାଦେଶ କୋଷ୍ଟଗାର୍ଡ ସହିତ ଯୋଗାଯୋଗ କରାଯାଇଥିଲା । ଉଭୟ ଦେଶର ବୁଝାମଣା ପରେ ଡଙ୍ଗା ଓ ୧୯ ନାବିକଙ୍କୁ ଦୁଇ ଦେଶର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ବାଂଲାଦେଶକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ବାଂଲାଦେଶୀ ଡଙ୍ଗାକୁ କୋଷ୍ଟଗାର୍ଡର ଜାହାଜ ଭରଦ ଦ୍ୱାରା ଟାଣି ନିଆଯିବା ସହ ନାବିକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ପାରାଦୀପ କୋଷ୍ଟ ଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.