ଉମରକୋଟ,(ବି.ବି.ନୁ୍ୟଜ୍): ଉମରକୋଟ ପୁଲିସକୁ ମିଳିଛି ସଫଳତା । ପୌରପରିଷଦ ଅଧୀନ ୱାର୍ଡ ନମ୍ବର ୧୨ ଡଙ୍ଗରୀଗୁଡା(ୟୁଭି-୩) ଗାଁର ପ୍ରଦୀପ ଦାସଙ୍କ ଘରୁ ମଙ୍ଗଳବାର ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଏଥିସହ ୨ ଲକ୍ଷ ୯୫୦ ଟଙ୍କା, ଗଞ୍ଜେଇ ପ୍ରୋସେସିଂ ମେସିନ, ଓଜନ ମେସିନ, ୩ ଟି ବାଇକ୍, ୨ ଟି ସ୍କୁଟି, ଗୋଟିଏ କାର୍, ୫ ଟି ମୋବାଇଲ୍ ଜବତ ହୋଇଛି । ଏହି ମାମଲାରେ ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ହେଲେ ଉମରକୋଟ ବ୍ଲକ ନାୟକଗୁଡା(ୟୁଭି୧୧)ର କୁଟୁ ସାନା ଓ ଛତିଶଗଡ ରାଜ୍ୟ ରାୟପୁରର ସତ୍ୟନ କୁମାର ଶର୍ମା । ପୁଲିସକୁ ଦେଖି ଘର ମାଲିକ ପ୍ରଦୀପ ଫେରାର୍ ହୋଇଯାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି ।
ସୂଚନା ଅନୁସାରେ, ପ୍ରଦୀପ ଦାସଙ୍କ ଘରେ ଗଞ୍ଜେଇ କାରବାର ହେଉଥିବା କୌଣସି ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା । ସୂଚନା ଅନୁସାରେ, ଭୋର୍ରୁ ପୁଲିସ ତାଙ୍କ ଘରେ ଚଢଉ କରିଥିଲା । ପୁଲିସକୁ ଦେଖି ପ୍ରଦୀପ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଗଞ୍ଜେଇକୁ ଛତିଶଗଡ ଚାଲାଣ କରିବାକୁ ଯୋଜନା ଚାଲିଥିଲା ବୋଲି ପୁଲିସ କହିଛି । ଚଢଉରେ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ହେମନ୍ତ କୁମାର ପାଢି, ଥାନା ଅଧିକାରୀ ନରେଶ ପ୍ରଧାନ ଓ ଅନ୍ୟମାନେ ସାମିଲ ଥିଲେ । ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇ ବେପାରୀଙ୍କ ଚେର ବହୁତ ବାଟ ଲମ୍ବିଥିବା ଶ୍ରୀ ପାଢି କହିଛନ୍ତି ।
Comments are closed, but trackbacks and pingbacks are open.