୨୦୧୮ରେ ନିପାତ ହୋଇଛନ୍ତି ୨୫୭ ଆତଙ୍କୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କୀମାନେ ୨୦୧୮ରେ ଜମ୍ମୁ-କାଶ୍ମୀର ସୀମା ବାଟ ଦେଇ ଭାରତ ଭିତରକୁ ଅନୁପ୍ରବେଶ କରିବା ଲାଗି ୩୨୮ଥର ଉଦ୍ୟମ କରିଛନ୍ତି ଏବଂ ସେଥିରୁ ୧୪୩ ଥର ସଫଳ ହୋଇଛନ୍ତି । ଗତ ୫ ବର୍ଷ ଭିତରେ ୨୦୧୮ରେ ସବୁଠାରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ଘଟଣା ଘଟିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରୁ ଏହା ଜଣାପଡିଛି ।
୨୦୧୮-୧୯ ବର୍ଷର ଏହି ରିପୋର୍ଟରେ କୁହାଯାଇଛି ଯେ ଜମ୍ମୁ-କାଶ୍ମୀରରେ ଗତବର୍ଷ ୬୧୪ଟି ଆତଙ୍କୀ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ସେଥିରେ ୨୫୭ ଆତଙ୍କବାଦୀ ପ୍ରାଣ ହରାଇଥିଲା ବେଳେ ୯୧ ଜଣ ଯବାନ ସହିଦ ହୋଇଛନ୍ତି । ଗତ ୫ ବର୍ଷ ଭିତରେ ଏହି ସଂଖ୍ୟା ସବୁଠାରୁ ଅଧିକ ବୋଲି କୁହାଯାଉଛି । ଏହି ସମୟ ଭିତରେ ୩୯ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତୁ୍ୟ ଘଟିଥିବା ଜଣାପଡିଛି । ସେହିଭଳି ୨୦୧୭ରେ ୪୧୯ଟି ସୀମାପାର ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ଘଟିଛି । ସେଥିରେ ୧୩୬ଟି ଉଦ୍ୟମ ସଫଳ ହୋଇଛି । ୨୦୧୬ରେ ୩୭୧ଟି ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ଘଟିଥିଲା ବେଳେ ୧୧୯ଟି କ୍ଷେତ୍ରରେ ଆତଙ୍କୀମାନେ ସଫଳ ହୋଇଛନ୍ତି । ଏହାର ପୂର୍ବବର୍ଷ ଅର୍ଥାତ ୨୦୧୫ରେ ୧୨୧ଟି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ଘଟିଥିଲା ବେଳେ ୩୩ଟି କ୍ଷେତ୍ରରେ ଆତଙ୍କୀମାନେ ସଫଳ ହୋଇଛନ୍ତି । ୨୦୧୪ରେ ମଧ୍ୟ ମୋଟ ୨୨୨ଟି ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ଘଟଣା ସାମ୍ନାକୁ ଆସିଥିଲା । ସେଥିରୁ ୬୫ଟିରେ ଆତଙ୍କୀମାନେ ଭାରତରେ ଅନୁପ୍ରବେଶ କରିବାରେ ସକ୍ଷମ ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।
୨୦୧୭ରେ ଜମ୍ମୁ-କାଶ୍ମୀରରେ ୩୪୨ଟି ଆତଙ୍କୀ ହିଂସାକାଣ୍ଡ ଘଟିଛି । ଏଥିରେ ୨୧୩ ଆତଙ୍କବାଦୀ, ୮୦ ଯବାନ ଓ ୪୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ୨୦୧୬ରେ ୩୨୨ ଆତଙ୍କୀ ହିଂସାକାଣ୍ଡ ଘଟିଥିଲା ବେଳେ ଏଥିରେ ୧୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେହିବର୍ଷ ୮୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲା ବେଳେ ୧୫ ଜଣ ସାଧାରଣ ନାଗରିକଙ୍କ ମୃତୁ୍ୟ ହୋଇଛି । ସେହିଭଳି ୨୦୧୫ରେ ୨୦୮ଟି ହିଂସାକାଣ୍ଡରେ ୧୦୮ ଆତଙ୍କୀ ପ୍ରାଣ ହରାଇଥିଲା ବେଳେ ୩୯ ଜଣ ସୁରକ୍ଷା କର୍ମୀ ଓ ୧୭ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଏହା ପୂର୍ବରୁ ୨୦୧୪ରେ ୨୨୨ଟି ଆତଙ୍କୀ ହିଂସାକାଣ୍ଡ ଘଟିଥିଲା । ଏଥିରେ ସୁରକ୍ଷା ବାହିନୀ ହାତରେ ୧୧୦ ଆତଙ୍କବାଦୀ ନିପାତ ହୋଇଥିଲା ବେଳେ ୪୭ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ସେହିବର୍ଷ ଆତଙ୍କୀମାନେ ୨୮ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ରିପୋର୍ଟରୁ ଜଣାପଡିଛି । ଜମ୍ମୁ-କାଶ୍ମୀରରେ ଗତ ୨୫ ବର୍ଷରୁ ଅଧିକ ସମୟ ହେଲା ସୀମାପାର ଆତଙ୍କବାଦ ଓ ହିଂସାକାଣ୍ଡ ଲାଗି ରହିଛି । ସୀମା ଆରପଟୁ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ମିଳୁଛି । ୧୯୯୦ ବେଳକୁ ଜମ୍ମୁ-କାଶ୍ମୀରରେ ଦେଖାଦେଇଥିବା ଆତଙ୍କବାଦ ଯୋଗୁ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୧୪,୦୨୪ ଜଣ ସାଧାରଣ ନାଗରିକ ଏବଂ ୫,୨୭୩ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons