ଭୁବନେଶ୍ୱର, (ବି.ବି.ବୁ୍ୟରୋ): ସ୍ନାତକୋତ୍ତର ବିଷୟରେ ନାମଲେଖିବା ପାଇଁ ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ ଆଉ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଲଗା ଅଲଗା ପ୍ରବେଶିକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ୨୦୨୦ ଶିକ୍ଷାବର୍ଷରୁ ଏକକ ପ୍ରବେଶିକା ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ନିଜ ମନପସନ୍ଦର ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଥରେ ପ୍ରବେଶିକା ପରୀକ୍ଷା ଦେବେ । ପରୀକ୍ଷାର ମେଧା ତାଲିକା ପ୍ରକାଶ ପାଇବା ପରେ ଯେଉଁ ବିଶ୍ୱବିଦ୍ୟାଳୟରେ ଚାହିଁବେ ସେଠାରେ ନାମଲେଖାଇବେ । ଏନେଇ ଆଜି ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।
ପୂର୍ବରୁ ପିଜି ପଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆବେଦନ କରୁଥିଲେ । ବିଶ୍ୱବିଦ୍ୟାଳୟରେ ପରୀକ୍ଷା ହେଉଥିଲା । ପରବର୍ତ୍ତୀ ସମୟରେ ମେଧାତାଲିକା ପ୍ରକାଶ ପାଇବା ପରେ ସେମାନେ ନାମଲେଖାଉଥିଲା । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଖର୍ଚ୍ଚାନ୍ତ ହେବା ସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଦେଉଥିଲେ । ଏହି ଢ଼ାଞ୍ଚା ବଦଳାଇ ପିଜି ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ପୂର୍ବରୁ ଆଲୋଚନା ମଧ୍ୟ ହୋଇଥିଲା । ଆସନ୍ତା ବର୍ଷରୁ ଏକକ ପରୀକ୍ଷା ହେବ ବୋଲି ମନ୍ତ୍ରୀ ଡ. ସାହୁ ସ୍ପଷ୍ଟ କରିଛନ୍ତି ।
ସେହିପରି ବିଶ୍ୱବିଦ୍ୟାଳୟରେ ଯୁକ୍ତ-୩ ପରୀକ୍ଷା ନିର୍ଘଣ୍ଟ ପ୍ରସ୍ତୁତ କରି ପରୀକ୍ଷା ଫଳ ପ୍ରକାଶ କରିବା ତାରିଖ ଚୂଡ଼ାନ୍ତ କରି ଆସନ୍ତା ୭ ଦିନ ମଧ୍ୟରେ ବିଭାଗକୁ ଜଣାଇବେ । ଏହି ପରିପ୍ରେକ୍ଷୀରେ ସମସ୍ତ ଯୁକ୍ତ ତିନି ପରୀକ୍ଷା ଫଳ ଜୁନ୍ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ । ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ସମସ୍ତ ପରୀକ୍ଷାଖାତାକୁ କୋଡିଂ କରାଯିବ । ଏହା ସହ କେବେ ପରୀକ୍ଷା ହେବ, କେବେ ବ୍ୟାକ୍ ପେପର୍ ପରୀକ୍ଷା ଫଳ ବାହାରିବ ସେସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ଅବଗତ କରାଯିବ । ବିଶ୍ୱବିଦ୍ୟାଳୟ ପକ୍ଷରୁ ମଡେଲ୍ ପ୍ରଶ୍ନପତ୍ର ବ୍ୟାଙ୍କ୍ ପ୍ରସ୍ତୁତ କରାଯିବ । ରିସର୍ଚ୍ଚ ଆକ୍ଟିଭିଟି, ଇ-କଣ୍ଟେଣ୍ଟ ଯେପରିକି ଡିଜିଟାଲ୍ ପ୍ଲାଟଫର୍ମରେ କିଭଳି ଶିକ୍ଷାଦାନ କରାଯିବ ସେ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ।
ଅପରପକ୍ଷେ, ସମ୍ମିଳନୀରେ ପ୍ରୋକ୍ଟୋରିଆଲ୍ କମ୍ ମେଣ୍ଟରିଙ୍ଗ୍ ସିଷ୍ଟମ୍ ବିଷୟରେ ଆଲୋଚନା ହୋଇଛି । ସବୁ ମହାବିଦ୍ୟାଳୟରେ ପ୍ରୋକ୍ଟୋରିଆଲ୍ କ୍ଲାସ୍ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାରେ ପ୍ରତ୍ୟେକ ଶିକ୍ଷକମାନେ କିଛି କିଛି ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ । ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନେ କିପରି ଉନ୍ନତି କରିବେ ସେସମ୍ପର୍କରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବେ । ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଡ. ସାହୁ କହିଲେ, ଅନ୍ଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀହ୍କୁ ସାର୍ଟିଫିକେଟ୍ ଦେବା ପାଇଁ ପଦକ୍ଷେପ ନିଆଯାଇଛି । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏ ଦିଗରେ ସେବା ଯୋଗାଣକାରୀ ସଂସ୍ଥାଗୁଡ଼ିକ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟରେ ପାଠଗାର ଓ ଗବେଷଣାଗାରକୁ ଅଧିକ ଉନ୍ନତ କରାଯିବ ସହିତ ଇ-ଲାଇବ୍ରେୀର ସୁବିଧା ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଉଛି । ବିଶ୍ୱବିଦ୍ୟାଳୟଗୁଡ଼ିକୁ ଉକ୍ରର୍ଷ ଗବେଷଣା କେନ୍ଦ୍ରରେ ପରିଣତ କରାଯିବା ଲକ୍ଷ୍ୟରେ ଯୁବ ଗବେଷକଙ୍କୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଅଧିକରୁ ଅଧିକ ପିଏଚ୍ଡି ରେଜିଷ୍ଟେ୍ରସନ୍ ଓ ଗବେଷଣାତ୍ମକ ଲେଖା ପ୍ରକାଶ ପାଇବ ସେଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ଗବେଷଣାଲବ୍ଧ ତଥ୍ୟଗୁଡ଼ିକୁ ଯେପରି ବ୍ୟବହାରିକ କ୍ଷେତ୍ରରେ ଉପଯୋଗ କରାଯାଇପାରିବ ସେଥପ୍ରଥି ଦୃଷ୍ଟି ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ ଓ ବିତ୍ତ ନିୟନ୍ତ୍ରକମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.