୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର, ବିଜୁଳି, ରନ୍ଧନ ଗ୍ୟାସ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ବ୍ୟୟ ବରାଦ ବଢ଼ିଛି ୭୪ ପ୍ରତିଶତ । ୩ ବର୍ଷ ଭିତରେ ଲକ୍ଷେ ୨୫ ହଜାର କିଲୋମିଟର ଗ୍ରାମୀଣ ରାସ୍ତାର ଉନ୍ନତୀକରଣ କରାଯିବ । ସବୁ ଗ୍ରାମୀଣ ପରିବାରକୁ ଘର, ବିଜୁଳି ଏବଂ ରନ୍ଧନ ଗ୍ୟାସ୍ ମିଳିବ । ପ୍ରତି ପରିବାରକୁ ୨୦୨୪ ସୁଦ୍ଧା ପାଇପ ଜଳ ଯୋଗାଇ ଦିଆଯିବ ।
ମୋଦି ୨.୦ ସରକାରଙ୍କ ପ୍ରଥମ ବଜେଟରେ ଗାଁ ଓ ଗରିବଙ୍କ ବିକାଶ ଲାଗି ଏମିତିି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସଡ଼କ, ରେଳପଥ ଏବଂ ବନ୍ଦର ଭଳି ଭିତ୍ତିଭୂମି କ୍ଷେତ୍ରର ବିକାଶ ଲାଗି ବର୍ଷକୁ ୨୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ଯୋଜନା କରାଯାଇଛି ।
ସୀମିତ ସମ୍ବଳକୁ ନେଇ ଏ ଉଚ୍ଚାକାଂକ୍ଷା ସାକାର କରିବାକୁ ଧନୀ ଉପରେ ଛାଟ ଚଳାଇଛନ୍ତି ସରକାର । କୋଟିପତିଙ୍କ ଆୟ ଉପରେ ୩ରୁ ୭ ପ୍ରତିଶତ ଅତିରିକ୍ତ ଟିକସ (ସେସ୍) ଲାଗୁ କରାଯାଇଛି । ଧନୀ ବ୍ୟବହାର କରୁଥିବା ସୁନା ଗହଣା ଓ ମୂଲ୍ୟବାନ ଧାତୁ, ଏସି ଭଳି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇ ଦିଆଯାଇଛି ।
ପେଟ୍ରୋଲ ଓ ଡିଜେଲ୍ ଉପରେ ବି ଲିଟର ପିଛା ୨ ଟଙ୍କା ଅତିରିକ୍ତ ଟିକସ ଲାଗୁ କରାଯାଇଛି । ସାଧାରଣ ଆୟ କର ଦାତାଙ୍କ ଛାଡ଼ ସୀମା ପୂର୍ବ ଭଳି ୫ ଲକ୍ଷ ଟଙ୍କା ରହିଛି ।
ନୂଆ ସରକାରଙ୍କ ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଶୁକ୍ରବାର) ପ୍ରଥମ ପୂର୍ଣାଙ୍ଗ ବଜେଟ୍ ଉପସ୍ଥାନ କରିଛନ୍ତି । ମୋଟ ଟିକସ ଆୟ ଲକ୍ଷ୍ୟ ୨୪ ଲକ୍ଷ ୬୧ ହଜାର କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟଗୁଡ଼ିକୁ ଟିକସ ଭାଗ ବାବଦରେ ୮ ଲକ୍ଷ ୯ ହଜାର କୋଟି ଟଙ୍କା ଦିଆଯିବ । ଏହାକୁ ବାଦ୍ ଦେଲେ କେନ୍ଦ୍ରର ଟିକସ ଓ ଅଣ ଟିକସ ଆୟ ମୋଟ ୧୯ ଲକ୍ଷ ୬୨ ହଜାର କୋଟି ଲକ୍ଷ୍ୟ ରଖାଯାଇଛି । ହେଲେ ବ୍ୟୟ ବରାଦ ୨୭ ଲକ୍ଷ ୮୬ ହଜାର କୋଟି ଡେଇଁଯିବ । ଋଣରୁ ଭରଣା ହେବ ୮ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ । ବର୍ଷ ଶେଷ ବେଳକୁ ମୋଟ ଋଣ ବୋଝ ୯୧ ଲକ୍ଷ କୋଟି ଟଙ୍କା ଡେଇଁଯିବ ।
ନୂଆ ଭାରତ ଗଠନ ପାଇଁ ଆସନ୍ତା ୧୦ ବର୍ଷର ଯୋଜନା ସଂପର୍କରେ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ କହିଥିଲେ, ଜନ ଭାଗିଦାରୀରେ ଗଢ଼ାଯିବ ନୂଆ ଭାରତର ଟିମ୍ ଇଣ୍ଡିଆ, ଯେଉଁଠି ସରକାର କମ୍, ସୁଶାସନ ଅଧିକ ଦେଖାଯାଉଥିବ । ପ୍ରଦୂଷଣ ମୁକ୍ତ ଭାରତ ଯେଉଁଠି ନଦୀ, ପାଣି ପବନ ସବୁ କିଛି ଥିବ ନିର୍ମଳ । ଆୟୁଷ୍ମାନ ଭାରତରେ ସମସ୍ତେ ସୁସ୍ଥ ଓ ନିରାପଦ ଥିବେ । କୃଷିଜାତ ସାମଗ୍ରୀରେ କେବଳ ଆତ୍ମ ନିର୍ଭର ନୁହେଁ, ଖାଦ୍ୟଶସ୍ୟ, ଡାଲି, ଫଳ ଓ ପନିପରିବା ରପ୍ତାନି କରିବ ଭାରତ । ବିକାଶ ପଛରେ ମୂଳ ମନ୍ତ୍ର ରହିବ ମେକ୍ ଇନ୍ ଇଣ୍ଡିଆ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଷ୍ଟାର୍ଟ ଅପ୍ ଉପରେ ଗୁରୁତ୍ୱ ରହିବ । ପ୍ରତିରକ୍ଷା ସାମଗ୍ରୀ, ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ମେଡିକାଲ ଯନ୍ତ୍ରପାତି ଉତ୍ପାଦନରେ ସଂପୂର୍ଣ୍ଣ ଭାବେ ଆତ୍ମନିର୍ଭର ହୋଇଥିବୁ ।
ଜାତୀୟ ଅର୍ଥନୀତିକୁ ୫ ଟ୍ରିଲୟନ୍ ଡଲାର୍ (୩୫୦ ଲକ୍ଷ କୋଟି ଟଙ୍କା) ରେ ପରିଣତ କରିବାକୁ ରାସ୍ତା ବି ଦେଖାଇଥିଲେ ଅର୍ଥମନ୍ତ୍ରୀ । କହିଥିଲେ, ଆସନ୍ତା ବର୍ଷ ହିଁ ଭାରତ ୩ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ମାନ୍ୟତା ହାସଲ କରିବ । ଭିତ୍ତିଭୂମି, ଡିଜିଟାଲ୍ ଅର୍ଥନୀତି, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏ ଲକ୍ଷ୍ୟ ଦିଗରେ ବଢ଼ିବ ଭାରତ ।
ନୂଆ ସରକାରଙ୍କ ଜନକଲ୍ୟାଣ ଏବଂ ବିକାଶମୁଖୀ ଯୋଜନା ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଥିଲେ, ରେଳ ଭିତ୍ତିଭୂମି ବିକାଶ ପାଇଁ ଆସନ୍ତା ୧୨ ବର୍ଷ ଭିତରେ ୫୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ । ସଡ଼କ ବିକାଶ ଲାଗି ୫ ବର୍ଷ ଭିତରେ ୧୦୦ ଲକ୍ଷ କୋଟି ଟଙ୍କାର ନିବେଶ ଦରକାର । ଘରୋଇ- ସରକାର ଭାଗିଦାରୀ ସୂତ୍ରରୁ ଏ ପାଣ୍ଠି ସଂଗ୍ରହ କରାଯିବ । ଭାରତମାଳା ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ସଡ଼କ ନେଟ୍ୱର୍କର ବିକାଶ କରାଯିବ । ଜାତୀୟ ହାଇୱେ ପ୍ରୋଗ୍ରାମ୍ରେ ଜାତୀୟ ରାଜପଥ ଗ୍ରୀଡ଼ ସ୍ଥାପନ କରାଯିବ । ଆସନ୍ତା ୩ ବର୍ଷ ଭିତରେ ୮୦ ହଜାର କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ୨୫ ହଜାର କିଲୋମିଟର ଗ୍ରାମୀଣ ରାସ୍ତା ଉନ୍ନତୀକରଣ କରାଯିବ ।
ଚାଷ ଓ ଚାଷୀର ବିକାଶ ପାଇଁ ସରକାର ୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ କରିବେ । ଚାଷୀର ଉତ୍ପାଦକତା ଏବଂ ଉତ୍ପାଦନ ମୂଲ୍ୟକୁ ପରିଚାଳନା କରି ଚାଷୀ ଲାଭ ବଢ଼ାଇବା ଦିଗରେ ଏଗୁଡ଼ିକ କାମ କରିବ । ଗାଁରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଲାଗି ୭୫ ହଜାର ଉଦ୍ୟୋଗୀଙ୍କୁ ତାଲିମ ଦିଆଯିବ । ବାଉଁଶ, ମହୁ ଓ ଖଦି ଉତ୍ପାଦନ ବଢ଼ାଇବା ଉଦ୍ଦେଶ୍ୟରେ ୧୦୦ ଟି କ୍ଲଷ୍ଟର୍ ଗଠନ କରାଯିବ । ୫୦ ହଜାର କାରିଗର ଏହି ମୂଲ୍ୟ ଯୁକ୍ତ ଶିକୁଳିରେ ଯୋଡ଼ି ହୋଇ ରହିବେ ।
ଜଳ ନିରାପତ୍ତା ପାଇଁ ନୂତନ ଜଳ ଶକ୍ତି ମନ୍ତ୍ରଣାଳୟ ଆମ ଜଳ ସମ୍ପଦ ଏବଂ ଜଳ ଯୋଗାଣ ବ୍ୟବସ୍ଥାକୁ ପରିଚାଳନା କରିବ । ୨୦୨୪ ସୁଦ୍ଧା ‘ହର ଘର ଜଲ୍’ ଯୋଜନାରେ ସମସ୍ତ ଗ୍ରାମୀଣ ପରିବାରକୁ ପାଇପ୍ ଜଳ ଯୋଗାଇ ଦିଆଯିବ । ଦେଶର ୨୫୬ଟି ଜିଲ୍ଲାର ଜଳ ସଙ୍କଟ ସ୍ଥିତିରେ ଥିବା ୧୫୯୨ଟି ବ୍ଲକ୍ରେ ଜଳ ଶକ୍ତି ଅଭିଯାନ ଆରମ୍ଭ କରାଯିବ ।
ଯୁବା ଏବଂ ଶିକ୍ଷା ବିକାଶ ଉପରେ ଗୁରୁତ୍ୱ ଦେଇ ସରକାର ନୂଆ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରିବେ । ସ୍କୁଲ୍ ଏବଂ ଉଚ୍ଚ ଶିକ୍ଷାରେ ବଡ଼ ଧରଣର ପରିବର୍ତ୍ତନ କରାଯିବ । ଗବେଷଣା ଓ ନବୋତ୍ପାଦ ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ଜାତୀୟ ଗବେଷଣା ପ୍ରତିଷ୍ଠାନ ଖୋଲାଯିବ । ଭାରତରେ ପଢ଼ (ଷ୍ଟଡି ଇନ୍ ଇଣ୍ଡିଆ) ଉପରେ ସରକାର ଗୁରୁତ୍ୱ ଦେବେ । ଏଥିପାଇଁ ପ୍ରତି ଶିକ୍ଷାନୁଷ୍ଠାନର ଗୁଣାତ୍ମକ ବିକାଶ ସହ ବିଶ୍ୱ ସ୍ତରୀୟ ଶିକ୍ଷା ପ୍ରତିଷ୍ଠାନ ବିକାଶ କରିବାକୁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ଏ ବର୍ଷ ।
ବାର୍ଷିକ ଦେଢ଼ କୋଟିରୁ କମ୍ ବେପାର କରୁଥିବା ୩ କୋଟି ଖୁଚୁରା ବ୍ୟବସାୟୀଙ୍କୁ ପେନ୍ସନ୍ ଦିଆଯିବ । ମହିଳାଙ୍କ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକ ଲକ୍ଷ ଟଙ୍କା ଯାଏ କମ୍ ସୁଧରେ ଋଣ ଯୋଗାଇ ଦିଆଯିବ । ୫ ହଜାର ଟଙ୍କା ଯାଏ ଓଭର୍ଡ୍ରାଫ୍ଟ ଉଠାଣ ସୁଯୋଗ ମିଳିବ ।
ବ୍ୟାଙ୍କ ଏବଂ ଏନ୍ବିଏଫ୍ସିକୁ ଦୃଢ଼ କରିବା ଦିଗରେ ବଜେଟ୍ରେ ପ୍ରସ୍ତାବ ରହିଛି । ଜାତୀୟ ବ୍ୟାଙ୍କ ଗୁଡ଼ିକୁ ୭୦ ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଜନତାଙ୍କ ଠାରୁ ଟଙ୍କା ଉଠାଇବାକୁ ଏନ୍ବିଏଫ୍ସିକୁ ସୁଯୋଗ ଦିଆଯିବ ।
ଲମ୍ବା ଚଉଡ଼ା ବ୍ୟୟ ପ୍ରସ୍ତାବକୁ ଭରଣା କରିବାକୁ ସରକାର ଖୋଲା ବଜାରରୁ ୪ ଲକ୍ଷ ୪୮ ହଜାର କୋଟି ଟଙ୍କା ଋଣ ଉଠାଇବେ । ଟିକସ ପ୍ରସ୍ତାବରେ ସରକାର କର୍ପୋରେଟ୍ ଜଗତକୁ ରିହାତି ଦେଇଛନ୍ତି । ୪୦୦ କୋଟି ଟଙ୍କା ଯାଏଁ ବେପାର କରୁଥିବା କର୍ପୋରେଟ୍ ଏବେ ୩୦ ବଦଳରେ ୨୫ ପ୍ରତିଶତ ଟିକସ ଦେବେ । ଦେଶର ୯୯.୩୦ ପ୍ରତିଶତ କର୍ପୋରେଟ୍ ଏଥିରୁ ଫାଇଦା ପାଇବେ । ଷ୍ଟାର୍ଟ ଅପ୍ ପାଣ୍ଠି ସଂଗ୍ରହକୁ ଯାଞ୍ଚ ମୁକ୍ତ କରିବାକୁ ସରକାର କଟକଣା ଉଠାଇ ଦେଇଛନ୍ତି । ବିଜୁଳି ଯାନ ପ୍ରଚଳନକୁ ପ୍ରୋତ୍ସାହିିତ କରିବା ଲାଗି ଉତ୍ପାଦନ କର ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ବାର୍ଷିକ ୨ କୋଟିରୁ ୫ କୋଟି ଯାଏ ଆୟ କରୁଥିବା ବ୍ୟକ୍ତିଙ୍କୁ ଏବେ ସର୍ବାଧିକ ୩୦ ପ୍ରତିଶତ ଆୟ କର ଉପରେ ୩ ପ୍ରତିଶତ ସର୍ଚାର୍ଜ ଦେବାକୁ ପଡ଼ିବ । ୫ କୋଟିରୁ ଅଧିକ ଆୟ ଉପରେ ୭ ପ୍ରତିଶତ ଅତିରିକ୍ତ ଟିକସ ଲାଗୁ ହେବ । ପେଟ୍ରୋଲ ଓ ଡିଜେଲ୍ ଉପରେ ଲିଟର୍ ପିଛା ୨ ଟଙ୍କା ବଢ଼ାଯାଇଛି । ମେକ୍ ଇନ୍ ଇଣ୍ଡିଆକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ସୁନା, ମୂଲ୍ୟବାନ ଧାତୁ, ଏସି ଭଳି ସାମଗ୍ରୀ ଉପରେ ଆମଦାନୀ କର ବଢ଼ାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons