ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏ ଗାଁରେ ପାଇପ୍ ପାଣି ପହଞ୍ଚିନି । ସେଠି ପାନୀୟ ଜଳ ପ୍ରକଳ୍ପ ଅଚଳ । ସୌରଶକ୍ତି ଚାଳିତ ନଳକୂପ ଖରାପ ହୋଇ ପଡ଼ିଛି । ଲୋକେ ନଈ, ନାଳ ପାଣି ପିଉଛନ୍ତି । ଆଗକୁ ଖରାଦିନ ଆସୁଛି । ଅଚଳ ପାନୀୟ ଜଳ ପ୍ରକଳ୍ପକୁ ଚାଲୁ କର । ଗାଁ ଗଣ୍ଡାରେ ପାଇପ୍ ପାଣି ପହଞ୍ଚାଅ । ପିଇବା ପାଣି ସମସ୍ୟାକୁ ନେଇ ଆଜି ଶାସକ-ବିରୋଧୀ ମିଳିତ ଭାବେ ଏମିତି ଉଦ୍ବେଗ ଜାହିର କରିଥିଲେ ବିଧାନସଭାରେ । ନିଜ ନିଜ ଅଞ୍ଚଳର ସମସ୍ୟା ଉଠାଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଥିଲେ ।
ଜବାବରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଲେ, ରାଜ୍ୟରେ ମୋଟ ୪୭ ହଜାର ୩୬୬ଟି ଗାଁ ମଧ୍ୟରୁ ୧୯ ହଜାର ୫୦୪ଟି ଗାଁକୁ ପାଇପ୍ ପାଣି ଯୋଗାଇ ଦିଆଯାଇଛି ।
ମୂଳ ପ୍ରଶ୍ନକର୍ତ୍ତା ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, ମନ୍ତ୍ରୀ ଯେଉଁ ଉତ୍ତର ରଖୁଛନ୍ତି, ତାହା ସମ୍ପୂର୍ଣ୍ଣ ଅସତ୍ୟ । ରାଜ୍ୟରେ କେତେ ପାଣି ଟାଙ୍କି କାମ କରୁଛି? କେବେ ଅନୁଧ୍ୟାନ କରିଛନ୍ତି? ଶତକଡ଼ା ୫୦ ଭାଗ ପାଇପ୍ ଯୋଗାଣ ବ୍ୟବସ୍ଥା ଠପ୍ ହୋଇପଡ଼ିଛି । ଅବିଭକ୍ତ କୋରାପୁଟ ଅଞ୍ଚଳକୁ ଏକ ଟିମ୍ ପଠାଇ ସ୍ଥିତି ଅନୁଧ୍ୟାନ କରନ୍ତୁ । ଲୋକେ ନଈ, ନାଳ ପାଣି ପିଇ ଅସୁସ୍ଥ ହେଉଛନ୍ତି କି ନାହିଁ, ଦେଖନ୍ତୁ । ସ୍ଥିତି ସର୍ଭେ କରି ପାଣିର ବ୍ୟବସ୍ଥା କରନ୍ତୁ ।
ମନ୍ତ୍ରୀ ଉତ୍ତରରେ ଦର୍ଶାଇଥିଲେ, କୋରାପୁଟ ଜିଲ୍ଲାର ୧୯୩୨ ଗାଁ ମଧ୍ୟରୁ ୫୪୮ଟି ଗାଁକୁ ପାଇପ୍ ପାଣି ଯୋଗାଇ ଦିଆଯାଉଛି । ଜିଲ୍ଲାର ଆଉ ୯୧ଟି ଗାଁକୁ ଏକକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଓ ୨୫୭ଟି ଗାଁକୁ ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା ହେଉଛି । ଜିଲ୍ଲାରେ ହୋଇଥିବା ମୋଟ ୪୯୧ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୭ଟି ପ୍ରକଳ୍ପ ସାମୟିକ ଅଚଳ ଅବସ୍ଥାରେ ଅଛି । ସେଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଉଛି । ଏହାବାଦ୍ ଆଉ ଯେଉଁ ପ୍ରକଳ୍ପ ଅଚଳ ଅଛି, ଦୃଷ୍ଟିକୁ ଆଣିଲେ ତୁରନ୍ତ ପଦକ୍ଷେପ ନିଆଯିବ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ବଲାଙ୍ଗିର ଓ ଦେଓଗାଁ ବ୍ଲକରେ ଅଧାରୁ ଅଧିକ ପାଇପ୍ ପାଣି ପ୍ରକଳ୍ପ ଚାଲୁନି । କେତୋଟି ଆଦୌ କାମ କରୁନି । ଏଗୁଡ଼ିକୁ କେତେ ଦିନ ଭିତରେ ସଜଡ଼ାଯିବ? ୨ ବର୍ଷ ତଳେ ଉଦ୍ଘାଟିତ ହୋଇଥିବା ଓଭର ହେଡ୍ ଟ୍ୟାଙ୍କ ଏଯାଏଁ କାର୍ଯ୍ୟକ୍ଷମ ହେଲାନି । ଦେଓଗାଁ, କଛାରପାଲି ଅଞ୍ଚଳକୁ କେବେ ସୁଦ୍ଧା ପାଇପ୍ ପାଣି ପହଞ୍ଚିବ ବୋଲି ସେ ପ୍ରଶ୍ନ କରିଥିଲେ । ଯେଉଁଠି ସମସ୍ୟା ଅଛି, ସେ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ ।
ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ମଧ୍ୟ ଛାଡ଼ିନଥିଲେ ପାଣି ପ୍ରସଙ୍ଗ । ଜୋରଦାର ଢଙ୍ଗରେ ଶାଣିତ ସ୍ୱରରେ ଆକ୍ରମଣ କରିଥିଲେ ମହାରଥୀ । ସିଧାସଳଖ ଟାର୍ଗେଟ କରିଥିଲେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ । ମହାରଥୀ କହିଲେ, ତୁରନ୍ତ କାର୍ଯ୍ୟାନୁÂାନର ସଂଜ୍ଞା କ’ଣ? ଓଡ଼ିଶାରେ ମାତ୍ର ୧୯,୫୦୪ଟି ଗାଁକୁ ପାଇପ୍ ପାଣି ଯୋଗାଇ ଦିଆଯାଉଛି । ୨୭,୮୬୨ ଗାଁକୁ କେବେ ସୁଦ୍ଧା ପାଣି ପହଞ୍ଚିବ? ଦିଲ୍ଲୀ ନା ଓଡ଼ିଶା ମେକାନିଜିମ୍ରେ ପାଣି ପଠାଇବେ? ରାସ୍ତା ନିର୍ମାଣ ବେଳେ ଅନେକ ଜାଗାରେ ପାଣି ପାଇପ୍ ଫାଟି ଯାଉଛି । ହେଲେ ମରାମତି ହେଉନି । ଏଭଳି ସ୍ଥିତିରେ ୨୦୨୦ରେ କେମିତି ସବୁ ଅଞ୍ଚଳକୁ ପାଣି ପହଞ୍ଚିବ ବୋଲି ମନ୍ତ୍ରୀ କହୁଛନ୍ତି? ନବୀନ ବାବୁଙ୍କ ନାଁ ନେଇ ଏଠି ପାରି ହେବାକୁ ଚେଷ୍ଟା କରନ୍ତୁନି ବୋଲି ମହାରଥୀ କହିଥିଲେ ।
ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଲେ, ୨୦୨୦ ମାର୍ଚ୍ଚ ସୁଦ୍ଧା ସମସ୍ତ ସହରାଞ୍ଚଳର ପ୍ରତି ଘରକୁ ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ । ସେହିପରି ୨୦୨୪-୨୫ ସୁଦ୍ଧା ସବୁ ସବୁ ଘରକୁ ପାଣି ଯୋଗାଇ ଦିଆଯିବ । ପିଇବା ପାଣି ଯୋଗାଣ ପାଇଁ ୧୭, ୩୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରୁ ଗତ ୫ ବର୍ଷ ଭିତରେ କେନ୍ଦ୍ର ସରକାର ୫୪୯ କୋଟି ଟଙ୍କା ଦେଇଛନ୍ତି ।
ବିଜେପି ବିଧାୟିକା କୁସୁମ ଟେଟେ କହିଲେ, ସୌର ଶକ୍ତି ଚାଳିତ ପାନୀୟ ଜଳ ବ୍ୟବସ୍ଥା ମରାମତି ହେଉନି । ଖରାପ ହେଲେ ଭୁବନେଶ୍ୱରକୁ ଫୋନ୍ କରିବାକୁ ପଡ଼ୁଛି । ମାତ୍ର ଫୋନ୍ କଲେ ବି କେହି ମରାମତି ପାଇଁ ଆସୁନାହାନ୍ତି ।
ସରକାରୀ ଦଳ ସଭ୍ୟ ଅତନୁ ସବ୍ୟସାଚୀ ନାୟକ କହିଲେ, ମହାକାଳପଡ଼ାରେ ୩୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି । ଏଥିପାଇଁ ବିଭାଗକୁ ଧନ୍ୟବାଦ । ହେଲେ ମାର୍ଶାଘାଇରେ ଏକ ପ୍ରକଳ୍ପ ଅଟକିଯାଇଛି । ଏ ନେଇ ବିଭାଗ ଠିକଣା ପଦକ୍ଷେପ ନେଉ ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଲେ, ଏବେ ବି ୨୭,୮୬୨ ଗାଁକୁ ପାଣି ପହଞ୍ଚିନି । ୨୦୨୪ ସୁଦ୍ଧା ସବୁ ଗାଁକୁ ପାଣି ପହଞ୍ଚାଇ ପାରିବେ ତ? ଗାଁରେ ପିଇବା ପାଣି ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ କେତେ ଅନୁଦାନ ଦେଇଛନ୍ତି । ଅଧିକ ଅନୁଦାନ ପାଇଁ କେନ୍ଦ୍ର ଉପରେ କାହିଁକି ଚାପ ପକାଯାଉନି?
ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଲେ, ବର୍ତ୍ତମାନ ୪୪ଧ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି । ପ୍ରତି ଗାଁକୁ ପିଇବା ପାଣି ଯୋଗାଇ ଦିଆଯିବ । ଏ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପାନୀୟ ଜଳ ଯୋଗାଣ ପାଇଁ ୧୭,୩୭୨ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏଥିରେ କେନ୍ଦ୍ର ୫୪୯ କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟ ନିଜ ଅଂଶ ବାବଦକୁ ୭୨୨୧ କୋଟି ଦେଇଛି । ଅବଶିଷ୍ଟ ଅର୍ଥ ବିଭିନ୍ନ ଯୋଜନାରେ ଆସିଛି ।
ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଲେ, ନଳକୂପ ମରାମତି କରୁଥିବା କର୍ମଚାରୀଙ୍କୁ ଠିକ୍ ଭାବେ ଦରମା ମିଳୁନି । ରାଜନୈତିକ ହସ୍ତକ୍ଷେପ ବନ୍ଦ କରି ସେମାନଙ୍କ ସମସ୍ୟାର ସମାଧାନ କରାଯାଉ ।
ଶାସକ ଦଳ ସଭ୍ୟ ପ୍ରଦୀପ କୁମାର ଅମାତ କହିଲେ, ବୌଦ୍ଧ ଜିଲ୍ଲାର ବଘିଆପଡ଼ାରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପ କାମ ୧୩ ବର୍ଷ ଚାଲିଛି । ଶ୍ରୀ ଅମାତଙ୍କଠାରୁ ଏକଥା ଶୁଣି ମନ୍ତ୍ରୀ ନିଜେ ଆଶ୍ଚର୍ଯ୍ୟ ହୋଇଥିବାବେଳେ ଏହି ପ୍ରକଳ୍ପ ବାବଦରେ ୨୪ ଘଣ୍ଟାରେ ଉତ୍ତର ଦେବେ ବୋଲି କହିଥିଲେ ।
ସଭ୍ୟମାନଙ୍କ ଉଦ୍ବେଗକୁ ଲକ୍ଷ୍ୟ କରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଲେ, ପ୍ରାୟ ୭୦ଧ ବିଧାୟକ ଏହି ପ୍ରସଙ୍ଗରେ ମତ ରଖିବାକୁ ଚାହୁଛନ୍ତି । ବିଧାୟକମାନେ ଲିଖିତ ଆକାରରେ ସମସ୍ୟା ଜଣାଇବା ପାଇଁ ବାଚସ୍ପତି କହିଥିଲେ ।
Comments are closed, but trackbacks and pingbacks are open.