୨୦୫୦ ସୁଦ୍ଧା ବୁଡ଼ିଯିବ ଅନେକ ସହର

Get real time updates directly on you device, subscribe now.

ନୂଆଦିଲ୍ଲୀ: ସମୁଦ୍ରର ଜଳସ୍ତର ଯେପରି ବୃଦ୍ଧି ପାଉଛି, ତାହା ଆଗାମୀ ଦିନରେ ସମଗ୍ର ବିଶ୍ୱ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିବ । ସମୁଦ୍ର ତଟରେ ଥିବା ବିଶ୍ୱର ଅନେକ ପ୍ରମୁଖ ସହର ଜଳମଗ୍ନ ହେବ । ଭାରତର ମୁମ୍ବାଇ, ଇଜିପ୍ଟର ଆଲେକଜାଣ୍ଡ୍ରିଆ ଓ ଇରାକର ବାସ୍ରା ଭଳି ଅନେକ ସହର ସମ୍ପୂର୍ଣ୍ଣ ଭାବେ ସମୁଦ୍ରରେ ବୁଡ଼ିଯିବେ । ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରାୟ ୧୫୦ ନିୟୁତ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ । କାରଣ ସେମାନଙ୍କ ବାସସ୍ଥଳୀ ସମୁଦ୍ରରେ ସବୁଦିନ ପାଇଁ ବିଲୁପ୍ତ ହୋଇଯିବ । ନିକଟରେ ଆମେରିକାର କିଛି ଗବେଷକଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି । ଏଥିରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ ବି ଏହାଦ୍ୱାରା ଅଧିକ ପ୍ରଭାବିତ ହେବ ବୋଲି ଉଲ୍ଲେଖ କରାଯାଇଛି ।
‘ ନେଚର କମୁ୍ୟନିକେସନସ’ ନାମକ ଆନ୍ତର୍ଜାତିକ ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି କି ସମୁଦ୍ରର ଜଳସ୍ତର ବୃଦ୍ଧି ନେଇ ଆଗରୁ ଯେଉଁ ଆକଳନ କରାଯାଇଥିଲା, ଏବେ ଉପଗ୍ରହ ତଥ୍ୟ ଜରିଆରେ ତାହାର ଆହୁରି ସଠିକ୍ ଭାବେ ଆକଳନ କରାଯାଇଛି । ଏଥିରୁ ଏହି ସମସ୍ୟାକୁ ପୂର୍ବରୁ ଯେତିକି ଗୁରୁତର ବୋଲି ମନେ କରାଯାଉଥିଲା, ଏହା ତା’ଠାରୁ ଆହୁରି ଅଧିକ ସାଂଘାତିକ ବୋଲି ଏବେ ଜଣାପଡିଛି । ଏବେ ଗବେଷକମାନେ ଏହି ସିଦ୍ଧାନ୍ତରେ ପହଞ୍ଚôଛନ୍ତି କି ଚଳିତ ଶତାଦ୍ଧୀରେ ସମୁଦ୍ରର ଜଳସ୍ତରରେ ୨ରୁ ୭ ଫୁଟ ଯାଏଁ ବୃଦ୍ଧି ପରିଲକ୍ଷିତ ହେବ । ଏହାଯୋଗୁ ୨୦୫୦ ମସିହା ସୁଦ୍ଧା ୩୦୦ ନିୟୁତ ଲୋକ ରହୁଥିବା ଉପକୂଳବର୍ତ୍ତୀ ଅଞ୍ଚଳ ବର୍ଷରେ ଅତିକମ୍ରେ ଥରେ ସମୁଦ୍ର ଦ୍ୱାରା ଜଳମଗ୍ନ ହେବ । ଶତାଦ୍ଧୀର ଶେଷ ଆଡ଼କୁ ପ୍ରାୟ ୨୦୦ ନିୟୁତ ଲୋକ ରହୁଥିବା ଉପକୂଳବର୍ତ୍ତୀ ଅଞ୍ଚଳ ସମୁଦ୍ରରେ ସବୁଦିନ ପାଇଁ ଲୀନ ହୋଇଯିବ ।
ଏହି ସମସ୍ୟା ଯୋଗୁ ଏସିଆ ମହାଦେଶର ୮ଟି ପ୍ରମୁଖ ଦେଶ ଯେପରିକି ଚୀନ୍, ଭାରତ, ବାଂଲାଦେଶ, ଫିଲିପାଇନ୍ସ, ଭିଏତନାମ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଓ ଜାପାନର ପ୍ରାୟ ୭୦ଧ ଲୋକ ପ୍ରଭାବିତ ହେବେ । ଭାରତର ମୁମ୍ବାଇ, କୋଲକାତା, ବାଂଲାଦେଶର ଢାକା, ଭିଏତନାମର ହାନୋଇ, ଚୀନର ହଂକଂ, ସାଂଘାଇ ଓ ଟିଆନଜିନ୍ ପରି ସହର ସମୁଦ୍ରରେ ବୁଡ଼ିଯିବେ । ଭିଏତ୍ନାମର ପୂରା ଦକ୍ଷିଣ ଭାଗ ସମୁଦ୍ରରେ ବୁଡ଼ିଯିବ । କେବଳ ଏସିଆର ଦେଶ ନୁହନ୍ତି, ବରଂ ବ୍ରାଜିଲ ଓ ବ୍ରିଟେନ ଭଳି ବିଶ୍ୱର ଆହୁରି ୧୯ଟି ଦେଶ ବି ଏହି ସମସ୍ୟାର ସମ୍ମୁଖୀନ ହେବେ । ଏହି ଦେଶଗୁଡ଼ିକରେ ବି ଅନେକ ସହର ସମୁଦ୍ରରେ ବିଲୀନ ହୋଇଯିବେ ।
ଗବେଷକଙ୍କ ଅନୁସାରେ, ହିମାଳୟ ଠାରୁ ଆରମ୍ଭ କରି ଆଣ୍ଟାର୍କଟିକା ଯାଏଁ ସବୁଆଡେ ବରଫ ତରଳିବା ଏବଂ ଅନ୍ୟ କିଛି କାରଣରୁ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି । ପୂର୍ବରୁ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରର ଜଳସ୍ତର ତିନି ଫୁଟ ଯାଏଁ ବଢ଼ିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଏବେ ଏହା ୭ ଫୁଟ ଯାଏଁ ବଢ଼ିପାରେ ବୋଲି ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ସମସ୍ତ ଉପକୂଳବର୍ତ୍ତୀ ସହରରେ ଏଭଳି ସମସ୍ୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତି କରାଯିବା ଦରକାର ବୋଲି ସେମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons