୨୦ ବର୍ଷରେ ହଜାରେରୁ ବେଶୀ ଶବ ସଂସ୍କାର କଲେଣି ମିଟୁ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ବୁ୍ୟରୋ): ରାମ ନାମ ସତ୍ୟ ହେ.. ହରି ନାମ ସତ୍ୟ ହେ । କାନରେ ପଡ଼ିଲେ ଘରୁ ବାହାରି ଆସନ୍ତି ମିଟୁ ମାଝି । ବାହାର ଘରେ ରଖିଥିବା ପ୍ୟାଣ୍ଟ୍ସାର୍ଟ ପିନ୍ଧି ସାମିଲ ହୋଇଯାଆନ୍ତି ଶବ ଶୋଭାଯାତ୍ରାରେ । ନା ଏହା ତାଙ୍କର ବୃତ୍ତି, ନା ଏଥିପାଇଁ ସେ କାହାଠାରୁ କିଛି ସହାୟତା ଆଶା କରନ୍ତି । ଶବସଂସ୍କାର ହିଁ ଅନ୍ୟତମ ସେବାକାର୍ଯ୍ୟ ବୋଲି ଭାବି ସଂସ୍କାର କରନ୍ତି ବ୍ରହ୍ମପୁର ବିଜିପୁର ସୁନାରୀବନ୍ଧ ସାହିର ମିଟୁ ମାଝୀ । ୨୦ ବର୍ଷ ବୟସରୁ ଏହି କାମ ଆରମ୍ଭ କରିଥିବାବେଳେ ଏଯାବତ୍ ହଜାରେରୁ ବେଶୀ ଶବସଂସ୍କାର କରିଥିବା କୁହନ୍ତି ମିଟୁ ।
ପରିବାର କହିଲେ ମିଟୁ, ତାଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ । ସେ ଜନସ୍ୱାସ୍ଥ୍ୟ ବିଭାଗରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ । ମାସିକ ୮ହଜାର ଟଙ୍କା ଦରମା । ଯେନତେନ ପରିବାର ଚଳିଯାଏ । କେହି ଫୋନ୍ କରି ଡାକିଲେ ମଧ୍ୟ ଶବ ଦାହ କରିବାକୁ ସେ ପହଞ୍ଚି ଯାଆନ୍ତି । ଘର ବାହାରେ ଗୋଟିଏ ପମ୍ପ ଘରେ ନିଜର ଅଲଗା ଡ୍ରେସ୍ ରଖିଥାନ୍ତି । ଯେତେବେଳେ ସେ ଶବ ସଂସ୍କାର କରିବାକୁ ଯାଇଥାନ୍ତି ସେଠାକୁ ଯାଇ ଅଲଗା ଲୁଗା ପିନ୍ଧିଥାନ୍ତି । ଶବ ସଂସ୍କାର ପରେ ନିଜେ ଗାଧୋଇ ପମ୍ପ ଘରୁ ନିଜର ସଫା ଲୁଗା ପିନ୍ଧି ଘରକୁ ଫେରି ଆସନ୍ତି । ଅନେକ ସମୟରେ ପରିବାର ଲୋକେ ମଧ୍ୟ ଏହା ଜାଣିପାରନ୍ତି ନାହିଁ ବୋଲି ସେ କୁହନ୍ତି ।
ମିଟୁଙ୍କ କହିବା କଥା, ଶବକୁ କାନ୍ଧ ଦେଲେ ଓ ସଂସ୍କାର କଲେ ଯେତିକି ପୁଣ୍ୟ ମିଳେ ତାହା ଆଉ କୋଉ କାମରେ ମିଳିବ ନାହିଁ । ତାଙ୍କୁ ଏବେ ୪୦ବର୍ଷ ବୟସ । ସେ ଯେତେବେଳେ ୨୦ବର୍ଷ ବୟସ ହୋଇଥିଲେ ସେତେବେଳେ ସାହିରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଥିଲା । ସେତେବେଳେ ସାହି ଲୋକଙ୍କ ସାଙ୍ଗରେ ଶବ ସଂସ୍କାର କରିବାକୁ ଯାଇଥିଲେ । ସେବେଠୁ ଚୌତାଳ (ଶବ ନେବା ସମୟରେ ଯେଉଁ ବାଦ୍ୟ ବାଜେ) ଶବ୍ଦ ଶୁଣିବା ମାତ୍ରେ ମିଟୁ ଅଥୟ ହୋଇପଡନ୍ତି । ସାହିରେ ହେଉ କିମ୍ବା ଆଉ କୌଣସି ଜାଗାରେ, ଶବ ଯିବା ଦେଖିଲେ ସେ ସେଥିରେ ସାମିଲ ହୋଇଯାଆନ୍ତି ଆଉ ଶବକୁ ଜୁଇରେ ଲଦିବା ଠାରୁ ଆରମ୍ଭ କରି ପୋଡ଼ିବା ସମସ୍ତ କାର୍ଯ୍ୟ ସରିବା ପରେ ହିଁ ସେ ଘରକୁ ଫେରିଥାନ୍ତି । ପରିବାର ଲୋକ ବେଳେ ବେଳେ ଏହାକୁ ବିରୋଧ କରିଥାନ୍ତି । ସେଥିପାଇଁ ମିଟୁ ଲୁଚି ଲୁଚି ମଧ୍ୟ ବହୁ ଜାଗାରେ ଶବ ସଂସ୍କାର କରନ୍ତି । ବର୍ଷକରେ ଅତି କମ୍ରେ ୬୦ଟି ଶବ ସଂସ୍କାର କରନ୍ତି ବୋଲି ସେ କହିଛନ୍ତି । ଏଭଳି ଭାବେ ୨୦ବର୍ଷ ମଧ୍ୟରେ ହଜାରେରୁ ବେଶୀ ସଂସ୍କାରରେ ସାମିଲ ଥିବା କୁହନ୍ତି ସେ । ଜୀବନ ରହିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି । ନୀଳକଣ୍ଠେଶ୍ୱର ହେଉକି ଆସିକା ରୋଡ଼ ଶ୍ମଶାନ ସବୁ ଜାଗାରେ ସେ ଶବ ସଂସ୍କାର କରିଥାନ୍ତି । ଏମିତିକି ଆସିକା, ପୁରୁଷୋତ୍ତମପୁର, ଛତ୍ରପୁରକୁ ଯାଇ ମଧ୍ୟ ସେ ଶବ ସଂସ୍କାର କରିଥାନ୍ତି ।
ଯେତେବେଳେ ଅସହାୟ ଲୋକଙ୍କ ଶବକୁ କାନ୍ଧ ଦେବାକୁ ସୁଯୋଗ ମିଳେ ସେହି ସମୟରେ ଅଧିକ ଖୁସି ଲାଗେ ବୋଲି କହିଛନ୍ତି ମିଟୁ । ଆସିଛନ୍ତି ଏକା, ଯିବା ବି ଏକା । ଗର୍ବ, ଅହଂକାର ତ୍ୟାଗ କରି ଜଣେ ମଣିଷକୁ ଆଉ ଜଣେ ମଣିଷ ବିଦାୟ ଦେବା । ଲକ୍ଡାଉନ୍ ସମୟରେ କରୋନା ସଂକ୍ରମଣକୁ ନେଇ ଲୋକ ଶବସଂସ୍କାର କରିବାକୁ ପଛଘୁଞ୍ଚା ଦେଉଥିଲେ । କିନ୍ତୁ ମିଟୁ ଏହି ସମୟ ମଧ୍ୟରେ ୪୦ରୁ ଅଧିକ ସଂସ୍କାର କରିଥିବା କୁହନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons