ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଯେଉଁ ପ୍ରସଙ୍ଗ ଉପରେ ସମଗ୍ର ବିଶ୍ୱର ନଜର ଥିଲା ତାହା ହେଉଛି ପ୍ରତିରକ୍ଷା ଚୁକ୍ତି । ଯାହା ଉପରେ ଟ୍ରମ୍ପ ତାଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ମୋହର ଲଗାଇଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ୩୦୦ କୋଟି ଡଲାର (୨୧.୫ ହଜାର କୋଟି ଟଙ୍କା)ର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ଅନୁସାରେ ଭାରତକୁ ଆମେରିକା ୨୪ଟି ଏମ୍ଏଚ୍-୬୦ ରୋମିଓ ସି ହକ୍ ହେଲିକପ୍ଟର ଓ ୬ଟି ଏଚ୍-୬୪ଇ ଆପାଚେ ହେଲିକପ୍ଟର ଦେବ । ହାଇଦ୍ରାବାଦ ହାଉସ୍ରେ ମୋଦି ଓ ଟ୍ରମ୍ପଙ୍କ ଉପସ୍ଥିତିରେ ଦୁଇଦେଶ ମଧ୍ୟରେ ଅନୁÂିତ ପ୍ରତିନିଧିସ୍ତରୀୟ ବୈଠକରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ନେଇ ସହମତି ପ୍ରକାଶ ପାଇଥିଲା ।
ବୈଠକ ପରେ ଉଭୟ ନେତା ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ଟ୍ରମ୍ପ କହିଥିଲେ କି ୩୦୦ କୋଟି ଡଲାର ଚୁକ୍ତି ସ୍ୱାକ୍ଷର ହେବା ଫଳରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଅଧିକ ମଜଭୁତ ହେବ । ଭାରତ ସହିତ ଆମେରିକା ସନ୍ତୁଳିତ ବ୍ୟବସାୟ କାରବାର ଚାହୁଁଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ପାଇଁ ଉଭୟ ଦେଶ କାର୍ଯ୍ୟ କରିବେ । ତାଙ୍କ କାର୍ଯ୍ୟକାଳରେ ଭାରତ ସହ ବ୍ୟବସାୟିକ କାରବାର ୬୦ଧ ବୃଦ୍ଧି ପାଇଛି । ଏଥିପାଇଁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । କହିଥିଲେ ଭାରତ ସହ ମିଶି କାମ କରିବାକୁ ଭଲ ଲାଗୁଛି । ନିଜ ଦେଶର ନାଗରିକଙ୍କୁ କଠୋରପନ୍ଥୀ ଇସ୍ଲାମିକ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷା ଦେବାକୁ ମୋଦି ଓ ସେ ପ୍ରତିଶ୍ରୁତିବଦ୍ଧ । ପାକିସ୍ତାନ ମାଟିରେ ଚାଲୁଥିବା ଆତଙ୍କବାଦ ଉପରେ ଲଗାମ ଲଗାଯିବାର ଆବଶ୍ୟକତା ରହିଛି । ଏ ଦିଗରେ ଆମେରିକା ପଦକ୍ଷେପ ନେଉଥିବା ଟ୍ରମ୍ପ ପ୍ରକାଶ କରିଥିଲେ । ସୋମବାର ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଅବସରରେ ଟ୍ରମ୍ପ ଭାରତ-ଆମେରିକା ପ୍ରତିରକ୍ଷା ଚୁକ୍ତି ବିଷୟରେ ସୂଚନା ଦେଇଥିଲେ ।
ସେହିଭଳି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତ-ଆମେରିକା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତାହା ପ୍ରତିରକ୍ଷା ହେଉ କିମ୍ବା ସୁରକ୍ଷା । ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ପ୍ରଯୁକ୍ତି ଓ ଦ୍ୱିପାକ୍ଷିକ ସମ୍ପର୍କ ଭଳି ପ୍ରସଙ୍ଗ ଉପରେ ସହଯୋଗ ବୃଦ୍ଧି ନେଇ ସହମତି ପ୍ରକାଶ ପାଇଛି । ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ନିଷ୍ପତ୍ତି ଭାରତ-ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ । ଦୁଇଦେଶ ମଧ୍ୟରେ ଗତ ୩ ବର୍ଷ ଭିତରେ ବ୍ୟବସାୟିକ କାରବାର ବହୁତ ବଢ଼ିଛି । ଦୁଇଦେଶ ମଧ୍ୟରେ ଏକ ବଡ ବ୍ୟବସାୟିକ ଡିଲ୍ ନେଇ ସହମତି ପ୍ରକାଶ ପାଇଛି । ଖୁବଶୀଘ୍ର ଏହାର ସକାରାତ୍ମକ ବାଟ ବାହାରିବ । ଯୋଗାଯୋଗ ଓ ଭିତ୍ତିଭୂମି ବିକାଶ ଉପରେ ସହମତି ବନିଛି । ଏହା କେବଳ ଦୁଇଦେଶ ପାଇଁ ନୁହେଁ, ପୁରା ଦୁନିଆର ହିତ ପାଇଁ । ଆତଙ୍କବାଦ ବିରୋଧରେ ମିଳିତ ଲଢେ଼ଇ ଜାରି ରହିବ । ବେଆଇନ ନିଶା କାରବାର ଉପରେ ରୋକ୍ ଲାଗିବ । ତେଲ ଓ ଗ୍ୟାସ୍ କ୍ଷେତ୍ରରେ ଭାରତ ପାଇଁ ଆମେରିକା ମହତ୍ତ୍ୱପୂର୍ଣ୍ଣ ସ୍ରୋତ ପାଲଟିଛି । ଇନ୍ଧନ ହେଉ କି ଆଣବିକ ଶକ୍ତି, ଆମକୁ ନୂଆ ଶକ୍ତି ମିଳିଛି ବୋଲି ମୋଦି କହିଛନ୍ତି ।
ତେବେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ବେଳେ ନାଗରିକ ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିଲା । ଏହା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଟ୍ରମ୍ପ କହିଥିଲେ । କିନ୍ତୁ କାଶ୍ମୀର ପ୍ରସଙ୍ଗରେ ଦୁଇ ନେତା ଚର୍ଚ୍ଚା କରିଥିଲେ । ଉଭୟ ଭାରତ ଓ ପାକିସ୍ତାନ କାଶ୍ମୀର ସମସ୍ୟାର ସମାଧାନ ବାଟ ବାହାର କରିବାକୁ ଟ୍ରମ୍ପ ପରାମର୍ଶ ଦେଇଥିଲେ । ଏହାର ଜବାବରେ ମୋଦି କହିଥିଲେ କି ବର୍ତ୍ତମାନ କାଶ୍ମୀର ପରିସ୍ଥିତି କ୍ରମଶଃ ବଦଳିବାରେ ଲାଗିଛି । ସେଠାରେ ସକାରାତ୍ମକ ବିକାଶ ହେଉଛି । ନିକଟରେ ଦୁଇଟି ଅନ୍ତର୍ଜାତୀୟ ପ୍ରତିନିଧି ଦଳ କାଶ୍ମୀର ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେମାନେ କାଶ୍ମୀର ସ୍ଥିତିକୁ ନେଇ ବେଶ୍ ସନ୍ତୋଷ ପ୍ରକାଶ କରିଥିଲେ । ସେହି ପ୍ରତିନିଧି ଦଳରେ ଆମେରିକା ରାଷ୍ଟ୍ରଦୂତ କେନେଥ ଜଷ୍ଟର ସାମିଲ ଥିଲେ । ସେହିଭଳି ମୋଦି ମଧ୍ୟ ଟ୍ରମ୍ପଙ୍କ ସମ୍ମୁଖରେ ଏଚ୍୧ବି ଭିସା ପ୍ରସଙ୍ଗ ଉଠାଇଥିଲେ । ଏହା ଯୋଗୁ ଭାରତୀୟ ଆଇଟି ପେସାଧାରୀମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଉଲ୍ଲେଖ କରିଥିଲେ ।
ପରେ ଆମେରିକୀୟ ଦୂତାବାସରେ ଟ୍ରମ୍ପ ଭାରତୀୟ ଶିଳ୍ପ ଓ ବ୍ୟବସାୟିକ ପ୍ରତିନିଧିଙ୍କୁ ଭେଟିଥିଲେ । କହିଥିଲେ ସେ ଦ୍ୱିତୀୟଥର ନିର୍ବାଚନ ଜିତିଲେ ବଜାର ରକେଟ ଭଳି ଉଠିଯିବ । କିନ୍ତୁ ନିର୍ବାଚନ ହାରିଲେ ବଜାର ଏତେତଳକୁ ଖସିଯିବ ଯେ ଆପଣମାନେ ପୂର୍ବରୁ କେବେ ଦେଖିନଥିବେ । ଏହା ପୂର୍ବରୁ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ସବିତା କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଟ୍ରମ୍ପ ଦମ୍ପତିଙ୍କୁ ସ୍ୱାଗତ କରିଥିଲେ । ସେଠାରୁ କାର୍ଯ୍ୟକ୍ରମ ଶେଷ କରି ଟ୍ରମ୍ପ ଓ ମେଲାନିଆ ରାଜଘାଟ ଯାଇଥିଲେ । ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଆମେରିକା ନିର୍ମିତ ଏମ୍ଏଚ୍ ରୋମିଓ ହୋଲିକପ୍ଟର ହାସଲ କରିବା ପରେ ଭାରତୀୟ ନୌସେନାର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ । ଫଳରେ ଭାରତର ସାମୁଦ୍ରିକ ସୁରକ୍ଷା ଅଧିକ ମଜଭୁତ ହେବ । ଭାରତୀୟ ନୌସେନା ଏଭଳି ମଲ୍ଟିରୋଲ୍ ହେଲିକପ୍ଟର ଯୋଗାଇଦେବା ଲାଗି ବହୁଦିନରୁ ଦାବି କରିଆସୁଛି । ଏହି ବହୁମୁଖୀ ହେଲିକପ୍ଟର ଗଭୀର ସମୁଦ୍ରରେ ଯୁଦ୍ଧଜାହାଜ ଓ ବୁଡାଜାହାଜକୁ ଧ୍ୱଂସ କରିବାରେ ସକ୍ଷମ । ଅତ୍ୟାଧୁନିକ ପ୍ରଯୁକ୍ତି କୌଶଳରେ ସୁସଜ୍ଜିତ ଏହି ହେଲିକପ୍ଟରରେ ସେନ୍ସର, ମିସାଇଲ ଓ ଟର୍ପେଡୋ ମୁତୟନ କରାଯିବ । ତା’ଛଡା ଏହା ସମୁଦ୍ରରେ ତଲାସ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ କରିପାରିବ । ୨୬୦ କୋଟି ଡଲାର ମୂଲ୍ୟରେ ଭାରତ ଏହି ଧରଣର ୨୪ଟି ହେଲିକପ୍ଟର ଆଣିବାକୁ ଚୁକ୍ତି କରିଛି । ସେହିଭଳି ୮୦ କୋଟି ଡଲାର ମୂଲ୍ୟର ୬ଟି ଏଚ୍-୬୪ଇ ଆପାଚେ ହେଲିକପ୍ଟର ପାଇଁ ମଧ୍ୟ ଚୁକ୍ତି ହୋଇଛି । ବିଶ୍ୱର ସର୍ବଶ୍ରେÂ ଲଢ଼ୁଆ ହେଲିକପ୍ଟର ମଧ୍ୟରୁ ଏହା ଅନ୍ୟତମ ।
Comments are closed, but trackbacks and pingbacks are open.