ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ମଙ୍ଗଳବାର ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ୪ ଦୋଷୀଙ୍କ ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି । ଆସନ୍ତା ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍ରେ ଦୋଷୀ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହଙ୍କୁ ଫାଶୀ ଦିଆଯିବ । ଏହି ୧୪ ଦିନ ସମୟ ଭିତରେ ଦୋଷୀମାନେ ଚାହିଁଲେ ଆଇନଗତ ସହାୟତା ନେଇପାରିବେ ବୋଲି ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଆରୋରା ତାଙ୍କ ରାୟରେ କହିଛନ୍ତି । ଅନ୍ୟପକ୍ଷରେ ଦୋଷୀଙ୍କ ଓକିଲ ଏ.ପି. ସିଂହ କହିଛନ୍ତି ସେ ସୁପି୍ରମକୋର୍ଟରେ କୁ୍ୟରେଟିଭ୍ ପିଟିସନ ଫାଇଲ କରିବେ ।
ଦିଲ୍ଲୀ କୋର୍ଟରେ ମଙ୍ଗଳବାର ଶୁଣାରି ବେଳେ ସରକାରୀ ଓକିଲ ଯୁକ୍ତି ଦର୍ଶାଇଥିଲେ କି ଦୋଷୀଙ୍କ ପକ୍ଷରୁ କୌଣସି କୋର୍ଟରେ ପିଟିସନ ଦାଖଲ ହୋଇନାହିଁ କିମ୍ବା ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରାଯାଇନାହିଁ । ପୂର୍ବରୁ ସେମାନଙ୍କ ଦଣ୍ଡାଦେଶ ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ସାରିଛନ୍ତି । ତେଣୁ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି କରିବାକୁ ସରକାରୀ ଓକିଲ କୋର୍ଟଙ୍କୁ ନିବେଦନ କରିଥିଲେ । ସେ ଦର୍ଶାଇଥିଲେ ଯେ ଡେଥ ୱାରେଣ୍ଟ ଜାରି ଭିତରେ ମଧ୍ୟ ଯଦି ଦୋଷୀମାନେ ଚାହିଁବେ ତେବେ ସୁପ୍ରିମକୋର୍ଟରେ କୁ୍ୟରେଟିଭ୍ ପିଟିସନ ମଧ୍ୟ ଦାଖଲ କରିପାରିବେ ।
ସୂଚନାଯୋଗ୍ୟ ଯେ ୨୦୧୨ ଡିସେମ୍ବର ୧୬ ତାରିଖରେ ୨୩ ବର୍ଷୀୟା ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଚଳନ୍ତା ବସ୍ରେ ୬ ଜଣ ଅଭିଯୁକ୍ତ ଗଣବଳାକ୍ରାର କରି ଫିଙ୍ଗି ଦେଇଥିଲେ । ଦୀର୍ଘ ୧୩ ଦିନ ଧରି ମୃତୁ୍ୟସହ ସଂଗ୍ରାମ କରିବା ପରେ ନିର୍ଭୟା ଆଖି ବୁଜିଥିଲେ । ଏହି ଘଟଣାକୁ ନେଇ ଦେଶବ୍ୟାପୀ ଆନେ୍ଦାଳନ ଦେଖାଦେଇଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ କଠୋର ଦଣ୍ଡ ଦେବା ଦାବିରେ ଲୋକମାନେ ରାଜ ରାସ୍ତାକୁ ଓହ୍ଲାଇଥିଲେ । ତେବେ ଘଟଣାର ୨୪ ଘଣ୍ଟା ଭିତରେ ପୁଲିସ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିଲା ବେଳେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ତାର ବିଚାର ହୋଇଥିଲା ଏବଂ ତାକୁ ୩ ବର୍ଷ ପାଇଁ ବାଳ ସୁଧାର ଗୃହକୁ ପଠାଯାଇଥିଲା । ଅନ୍ୟତମ ଅଭିଯୁକ୍ତ ତଥା ବସ୍ର ଡ୍ରାଇଭର ରାମ ସିଂହ ତିହାର ଜେଲ୍ରେ ଥିଲା ବେଳେ ଆତ୍ମହତ୍ୟା କରିଥିଲା । ଅନ୍ୟ ୪ ଅଭିଯୁକ୍ତଙ୍କୁ ତଳକୋର୍ଟ ୨୦୧୩ ସେପ୍ଟେମ୍ବର ୧୦ରେ ମୃତୁ୍ୟ ଦଣ୍ଡାଦେଶ ଦେଇଥିଲା ବେଳେ ୨୦୧୪ ମାର୍ଚ୍ଚ ୧୫ରେ ଦିଲ୍ଲୀ ହାଇକୋର୍ଟ ତାକୁ କାଏମ ରଖିଥିଲେ । ୨୦୧୭ ମାର୍ଚ୍ଚ ୫ ସୁପି୍ରମକୋର୍ଟ ମଧ୍ୟ ମୃତୁ୍ୟ ଦଣ୍ଡାଦେଶ କାଏମ ରଖିଥିଲେ । ଏହା ପରେ ଦୋଷୀଙ୍କ ରାୟ ସମୀକ୍ଷା ଆବେଦନକୁ ମଧ୍ୟ ସୁପି୍ରମକୋର୍ଟ ଖାରଜ କରିଥିଲେ ।
ଅନ୍ୟପକ୍ଷରେ ଦୋଷୀଙ୍କ ବିରୋଧରେ ଜାରି କରାଯାଇଥିବା ଡେଥ ୱାରେଣ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ଯେ ‘ରାୟକୁ ନେଇ ମୁଁ ବହୁତ ଖୁସି । ମୋ ଝିଅକୁ ଏବେ ନ୍ୟାୟ ମିଳିଛି । ୪ ଦୋଷୀଙ୍କୁ ଫାଶୀ ମିଳିବା ଦ୍ୱାରା ଦେଶରେ ମହିଳାମାନଙ୍କୁ ଶକ୍ତି ମିଳିପାରିବ । ତା’ଛଡା ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ବଢ଼ିବ ।’ ସେହିଭଳି ନିର୍ଭୟାଙ୍କ ପିତା ବଦ୍ରିନାଥ ସିଂହ କହିଛନ୍ତି ଦୋଷୀଙ୍କୁ ଫାଶୀ ମିଳିବା ଦ୍ୱାରା ଏଭଳି ଜଘନ୍ୟ କାଣ୍ଡ ଘଟାଉଥିବା ଅପରାଧୀଙ୍କ ମନରେ ଭୟ ସୃଷ୍ଟି ହେବ । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମଲିୱାଲ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଦେଶର ସବୁ ନିର୍ଭୟାଙ୍କ ବିଜୟ ଘଟିଛି । ଦୀର୍ଘ ୭ ବର୍ଷ ଧରି ଝିଅକୁ ନ୍ୟାୟ ଦେବା ପାଇଁ ନିର୍ଭୟାଙ୍କ ପିତାମାତା ଯେଉଁ ଲଢେ଼ଇ ଲଢ଼ି ଆସିଛନ୍ତି ସେଥିପାଇଁ ସେମାନଙ୍କୁ ଆଶେଷ ଧନ୍ୟବାଦ । ଏଭଳି ଜଘନ୍ୟ ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି କାହିଁକି ୭ ବର୍ଷ ସମୟ ଲାଗିଗଲା । ଶୀଘ୍ର କ’ଣ ଏହା ହୋଇପାରି ନଥାନ୍ତା କି ବୋଲି ସେ ପଚାରିଛନ୍ତି ।


Comments are closed, but trackbacks and pingbacks are open.