୨୪ ଘଣ୍ଟାରେ ବିଡିଓଙ୍କ ବଦଳି ଦାବି କଲା ବିଜେଡି

Get real time updates directly on you device, subscribe now.

ଲମତାପୁଟ:ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରୁ ଚୋରି ମାମଲା ଭିନ୍ନ ମୋଡ ନେଇଛି । ଏ ଦିଗରେ କୌଣସି ପ୍ରକାର କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ ନଥିବାରୁ ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ଉପରେ ବର୍ଷିଛି ବିଜେଡି । ଚବିଶ ଘଣ୍ଟା ମଧ୍ୟରେ ବିଡିଓଙ୍କ ବଦଳି ସହ ଗିରଫ କରିବାକୁ ଦଳ ଦାବି କରିଛି । ମଙ୍ଗଳବାର ଦଳର ଏକ ଜରୁରୀ ବୈଠକରେ ଦଳ ଚେୟାର ଚୋରିପାଇଁ ବିଡିଓଙ୍କୁ ଦାୟୀ କରିଛି । ଏହାବ୍ୟତୀତ ବିଡିଓ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଜନ ପ୍ରତିନିଧିଙ୍କୁ ଅବଗତ କରୁ ନଥିବା ଅଭିଯୋଗ ହୋଇଛି । ଶ୍ରୀ ମିଶ୍ର ନିଜେ କଣ୍ଟ୍ରାକ୍ଟର ସାଜି କାମ କରୁଥିବା ଓ ଉନ୍ନୟନ କାର୍ଯ୍ୟାଦେଶ ପାଇଁ ୧୫ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ହାତଗୁଞ୍ଜା ନେଉଥିବା ଦଳ କହିଛି । ବିଜେଡିର ଏଭଳି ଅଭିଯୋଗକୁ ବିଡିଓ ଶ୍ରୀ ମିଶ୍ର ଖଣ୍ଡନ କରିବା ସହ ଅଧ୍ୟକ୍ଷାଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି ।
ବିଜେଡିର ଏହି ବୈଠକରେ ୧୫ ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ସାମିଲ ହୋଇଥିଲେ । ବିଭିନ୍ନ ଗାଁରୁ ଅନେକ ଲୋକ ଉପସ୍ଥିତ ଥିଲେ । ବ୍ଲକ ପରିସର ସଭାଗୃହରେ ବୈଠକ ହୋଇଥିଲା । କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ସାନୀ, ରଘୁରାମ ମାଛ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ହନ୍ତାଳ, ଉପାଧ୍ୟକ୍ଷ ଘାସିରାମ ମାଣ୍ଡି, ଜିଲ୍ଲା ପରିଷଦ ଜୋନ୍-୨ ସଭ୍ୟ ଘାସିରାମ ଗୋଡିଆ, ବ୍ଲକ ବିଜେଡି ସଭାପତି ଶ୍ୟାମ ସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଡିଓ ଶ୍ରୀ ମିଶ୍ର ଜନପ୍ରତିନିଧିମାନଙ୍କୁ ସହଯୋଗ କରୁ ନଥିବା ନେଇ ପ୍ରଶ୍ନ ଉଠିଥିଲା । ତାଙ୍କ ବିରୋଧରେ ଚିଠା ପ୍ରସ୍ତୁତ କରି ଜିଲ୍ଲାପାଳ, ଭିଜିଲାନ୍ସକୁ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଚବିଶ ଘଣ୍ଟା ମଧ୍ୟରେ ବିଡିଓଙ୍କ ଅନ୍ୟତ୍ର ବଦଳି କରିବା ସହ ତାଙ୍କୁ ଗିରଫ କରିବାକୁ ଦଳ ଦାବି କରିଛି ।
ଦଳ ପକ୍ଷରୁ କୁହାଯାଇଛି, ଗତ ମାସ ୨୩ ରୁ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରୁ ଚେୟାର ସମେତ ପଙ୍ଖା, ବିଦୁ୍ୟତ ବଲବ୍ ଆଦି ଚୋରି ହୋଇଛି । ଏ ସମ୍ପର୍କରେ ଥାନାରେ ଏତଲା ଦିଆଯାଇଛି । ହେଲେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇପାରିନି । ବିଡିଓ ଶ୍ରୀ ମିଶ୍ର ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ । ଏ ଦିଗରେ ବିଡିଓ ପଦକ୍ଷେପ ନେବା ବଦଳରେ ଚଳିତ ମାସ ୭ ରେ ଅଧ୍ୟକ୍ଷାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ଏପରିସ୍ଥଳେ, ଦଳର ଦାବି ପୂରଣ ନହେଲେ ବ୍ଲକ କାର୍ଯ୍ୟାଳୟରେ ତାଲା ଝୁଲାଇ ଦଳୀୟ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି । ବ୍ଲକରେ ନାନା ଦୁର୍ନୀତି ଚାଲିଥିବା ବେଳେ ଅଧ୍ୟକ୍ଷା ସ୍ୱର ଉଠାଇ ଆସୁଛନ୍ତି । କିନ୍ତୁ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଅଧ୍ୟକ୍ଷାଙ୍କ ଚାମ୍ବର ବ୍ୟତୀତ ଅନ୍ୟ କୌଣସି ଚାମ୍ବରରୁ ଚୋରି ହୋଇ ନଥିବାରୁ ଏଥିପାଇଁ ଦଳ ବିଡିଓଙ୍କୁ ଦାୟୀ କରିଛି ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କିର୍ସାନୀ କହିଛନ୍ତି, ଜିପିଇଓ ଶ୍ରୀନିବାସ ପଟ୍ଟନାୟକ ବ୍ଲକକୁ ଆସିବା ପରଠାରୁ ଏଠାରେ ଦୁର୍ନୀତି ବଢିଯାଇଛି । ଏ ସବୁ ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବ । ଶ୍ରୀ ମାଛ ମଧ୍ୟ ବିଡିଓଙ୍କ ଉପରେ ବର୍ଷିଛନ୍ତି । ବିଡିଓ ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ମାଛ କହିଛନ୍ତି । ଏ ସମ୍ପର୍କରେ ବିଡିଓ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅଧ୍ୟକ୍ଷା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି । ମାମଲାର ସତ୍ୟତା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଉନ୍ନୟନ କାମରେ ଦୁର୍ନୀତି ସମ୍ପର୍କରେ ଅଧ୍ୟକ୍ଷା ପୂର୍ବରୁ ଅଭିଯୋଗ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ କୌଣସି ଦୁର୍ନୀତି ହୋଇ ନଥିବା ଦର୍ଶାଯାଇଥିଲା । ସେହିପରି, ଅଧ୍ୟକ୍ଷା ମୋର ବଦଳି ଦାବି କରିଛନ୍ତି । ମୁଁ ଜଣେ ସରକାରୀ କର୍ମଚାରୀ, ମୋତେ ଯେଉଁଠିକୁ ପଠାଯିବ ସେଠାରେ ମୁଁ ନିରପେକ୍ଷଭାବେ କାମ କରିବି । ଅନ୍ୟ କର୍ମଚାରୀଙ୍କ ବିରୋଧରେ ଅଧ୍ୟକ୍ଷା ଅଭିଯୋଗ ଆଣିଲେ ସେ ସମ୍ପର୍କରେ କିଛି କହିପାରିବିନି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons