ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତି ପୁଲିସ ସୋମବାର ଏକ ବାଇକ୍ ଚୋର ର୍ୟାକେଟକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୪ଟି ରୟାଲ ଏନ୍ଫିଲ୍ଡ ସହ ମୋଟ ୨୪ଟି ବାଇକ୍ ଜବତ କରାଯାଇଛି । ସମ୍ପୃକ୍ତ ଘଟଣାରେ ପୁଲିସ ଜଣେ ଗୃହରକ୍ଷୀଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୋହନା ଥାନା ଅଧୀନ ନୂଆସାହି ଗ୍ରାମର ଅଜିତ ମାଳି, ଗୁରାଣ୍ଡିର ସୁଧାକର ପାଟିକି ଓ ରାଜୁ ମିଶାଲ୍, ରା.ଉଦୟଗିରି ଥାନା ଅନ୍ତର୍ଗତ ତିଲିକାର ଗ୍ରାମର ମିଖା ଗମାଙ୍ଗ, ସେରଙ୍ଗ ଥାନା ଖଜୁରୀପଦା ଗ୍ରାମର ଗଙ୍ଗା ପ୍ରଧାନ ଏବଂ ସେରଙ୍ଗ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ନୂଆଗଡ଼ର ସମୀର କୁମାର ସିଂ । ପାରଳାଖେମୁଣ୍ଡି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ତପନ କୁମାର ପ;ନାୟକ ଏ ବାବଦରେ ସୂଚନା ଦେଇଛନ୍ତି ।
ପୁଲିସ ସୂଚନା ମୁତାବକ, ମୋହନା ଥାନା ଅଧୀନ ନୂଆସାହି ଗ୍ରାମର ଅଜିତ ମାଳି ଏକ ଚୋରି ଗ୍ଲାମର୍ ବାଇକ୍କୁ ବିକ୍ରି କରିବା ପାଇଁ ରବିବାର ପାରଳାଖେମୁଣ୍ଡି ଯାଉଥିଲା । ଖବର ପାଇ ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ସହକର୍ମୀଙ୍କ ସାଙ୍ଗରେ ଫରେଷ୍ଟ ଗେଟ୍ ଛକ ନିକଟରେ ତାକୁ ଧରିବାକୁ ଛକି ରହିଥିଲେ । ସନ୍ଧ୍ୟା ସାଢେ଼ ୫ଟା ବେଳେ ଅଜିତ ଆସୁଥିବା ଦେଖି ତାକୁ ଅଟକାଇଥିଲା ପୁଲିସ । ହେଲେ ସେ କ୍ଷୀପ୍ର ଗତିରେ ପୁଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ପୁଲିସ ଗୋଡ଼ାଇ ତାକୁ ଧରିବାରେ ସଫଳ ହୋଇଥିଲା । ଥାନାକୁ ଆଣି ପଚରା ଉଚୁରା କରିବା ସମୟରେ ଅନେକ ଦିନ ହେଲା ସେ ଏହି କାରବାର କରୁଥିବା ଏବଂ ତାକୁ ସୁଧାକର ପାଟିକି, ରାଜୁ ମିଶାଲ୍, ମିଖା ଗମାଙ୍ଗ, ଗଙ୍ଗା ପ୍ରଧାନ ଓ ହୋମଗାର୍ଡ ସମୀର କୁମାର ସିଂ ସହାୟତା କରୁଥିବା କହିଥିଲା । ପୁଲିସ ଅଜିତର ବୟାନକୁ ଭିତ୍ତି କରି ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୨୪ଟି ବାଇକ୍ ଜବତ କରାଯାଇଛି । ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଗଜପତି ଏସ୍ପି ତପନ କୁମାର ପ;ନାୟକ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଏହି ଗ୍ୟାଙ୍ଗ୍ରେ ଆହୁରି ଅନେକ ସଦସ୍ୟ ରହିଥିବା ସନେ୍ଦହ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଏସ୍ଡିପିଓ ପ୍ରକାଶଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.